ନୂଆଦିଲ୍ଲୀ,୨୪।୧୧: ୭ ଅକ୍ଟୋବର ୨୦୨୩, ଏହି ଦିନ ଇସ୍ରାଏଲ ସୀମାରେ ପଶିଥିଲା ହମାସ। ୧୨୦୦ ଲୋକଙ୍କୁ ହତ୍ୟା କରିବା ସହ ପ୍ରାୟ ୨୪୦ ଜଣଙ୍କୁ ବନ୍ଧକ କରିଥିଲା। ଏହି ଘଟଣା ପରେ ହମାସ ଓ ଇସ୍ରାଏଲ ଭିତରେ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ଦୁଇ ବର୍ଷ ପରେ ଏବେ ଇସ୍ରାଏଲର ସେନା ମୁଖ୍ୟ ଲେଫ୍ଟନାଷ୍ଟ ଜେନେରାଲ ଇୟାଲ ଜମିର ରବିବାର ବହୁ ବରିଷ୍ଠ ସେନା ଅଧିକାରୀଙ୍କୁ ବରଖାସ୍ତ କରିଛନ୍ତି। ରିପୋର୍ଟ ଅନୁସାରେ, ୭ ଅକ୍ଟୋବର ଆକ୍ରମଣକୁ ରୋକିବାରେ ବିଫଳତା ପାଇଁ ତିନି ଜେନେରାଲଙ୍କୁ ପଦରୁ ହଟାଇ ଦିଆଯାଇଛି। ବହୁ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛନ୍ତି ସେନା ମୁଖ୍ୟ
ଏହି ପଦକ୍ଷେପ ସେନା ମୁଖ୍ୟ ଇୟାଲ ଜମିର ନେଇଛନ୍ତି। ସେ ଆକ୍ରମଣ ଘଟଣା ଏବଂ ତ୍ରୁଟିକୁ ‘ବ୍ୟବସ୍ଥିତ ଯାଞ୍ଚ’ର ଦାବି କରିବା ପରେ ପ୍ରାୟ ଦୁଇ ସପ୍ତାହ ପରେ ଆସିଛି ରିପୋର୍ଟ। ସେଭଳି ନେତନ୍ୟାହୁ ସରକାର ଜନତାଙ୍କ ଭାରି ଚାପ ପରେ ସ୍ବତନ୍ତ୍ର ରାଜ୍ୟ ସ୍ତରୀୟ ତଦନ୍ତ କମିଶନ୍ ଗଠନ କରିବାକୁ ମନା କରିଦେଇଥିଲେ। ବରଖାସ୍ତ କରାଯାଇଥିବା ଜେନେରାଲଙ୍କ ଭିତରେ ତିନି ଡିଭିଜନାଲ କମାଣ୍ଡର ରହିଛନ୍ତି, ତାଙ୍କ ଭିତରୁ ଜଣେ ସେତେବେଳେ ସେନାର ଗୁଇନ୍ଦା ବିଭାଗର ମୁଖ୍ୟ ଥିଲେ।
ରବିବାର ଜାରି ଅଧିକାରିକ ସେନା ବୟାନରେ କୁହାଯାଇଛି ଗାଜା ପଟିରେ ହମାସର ଆକ୍ରମଣକୁ ରୋକିବାରେ ଇସ୍ରାଏଲୀ ସେନାର ବିଫଳତା ପାଇଁ ତିନି ଅଧିକାରୀ ବ୍ୟକ୍ତିଗତ ଭାବରେ ଦାୟୀ। ଉଲ୍ଲେଖନୀୟ ଯେ, ଏହି ତିନି ଜେନେରାଲ ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇ ସାରିଥିଲେ, ତଥାପି ତାଙ୍କୁ ଔପଚାରିକ ଭାବରେ ବରଖାସ୍ତ କରାଯାଇଛି। ଏହାଛଡା ନୌସେନା ମୁଖ୍ୟ ଓ ବାୟୁସେନା ମୁଖ୍ୟଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ଘୋଷଣା ହୋଇଥିଲା। ଏହା ସହ ଅନ୍ୟ ୪ ଜଣ ଜେନେରାଲ ଓ ବହୁ ବରିଷ୍ଠ ଅଧିକାରୀଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।