ପ୍ରମୂଖ ଖବର
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ହମାସ-ଇସ୍ରାଏଲ ଯୁଦ୍ଧ ବନ୍ଦୀ, ନୂଆ ପରିବାର ପାଇଲା ଇସ୍ରାଏଲ ଝିଅ

Published By : Krishna Priya | October 9, 2024 9:13 AM

ନୂଆଦିଲ୍ଲୀ ୦୯/୧୦: ଇସ୍ରାଏଲ ଦମ୍ପତି ଲେରନ୍‌ ଓ ଜୋଲି ମୋର୍‌ ନିଜ ନିଜ ବାହୁରେ ଏକାଭଳି ଟାଟୁ କରାଇଛନ୍ତି । ଏଥିରେ ୮ ହାତୀଙ୍କର ଶୋଭାଯାତ୍ରା ଦେଖିବାକୁ ମିଳିଛି । ସେମାନଙ୍କ ଲାଞ୍ଜ ଓ ଶୁଣ୍ଢ ପରସ୍ପର ମଧ୍ୟରେ ଛନ୍ଦିହୋଇଛି । ଆଗରେ ଥିବା ଦୁଇ ହାତୀ ପଛରେ ଥିବା ୬ ଛୋଟ ଛୁଆଙ୍କର ମା’-ବାପା । ଶେଷରେ ଥିବା ୩ ହାତୀ ଛୁଆ ଅନ୍ୟ ୩ ହାତୀ ଛୁଆଙ୍କଠୁ ଆହୁରି ସାନ । ସେମାନଙ୍କ ଟାଟୁର ରଙ୍ଗ ଟିକିଏ ସତେଜ ଦିଶୁଛି । କାରଣ ସେମାନଙ୍କୁ ପରେ ଏହି ସମୂହରେ ମିଶାଯାଇଛି ।

ଏହି ୮ ହାତୀ ମୋର୍‌ ପରିବାରକୁ ପ୍ରତିନିଧିତ୍ୱ କରୁଛନ୍ତି । ଲେରନ୍‌ ଓ ଜୋଲି ମୋର୍‌ଙ୍କର ୩ ସନ୍ତାନ ଅଛନ୍ତି । ସେମାନେ ଆଉ ୩ ପିଲାଙ୍କୁ ପୋଷ୍ୟ କରିଛନ୍ତି । ଗତ ବର୍ଷ ଅକ୍ଟୋବର ୭ ତାରିଖରେ ହମାସ ବନ୍ଧୁକଧାରୀମାନେ ଇସ୍ରାଏଲ ଉପରେ କରିଥିବା ଆକ୍ରମଣରେ ଏହି ପିଲାଙ୍କ ମା’ବାପା ପ୍ରାଣ ହରାଇଥିଲେ । ପ୍ରାଣ ହରାଇଥିବା ଅଭିଭାବକଙ୍କ ମଧ୍ୟରେ ଲେରନ୍‌ଙ୍କ ଭଉଣୀ ଥିଲେ ।

ଏବେ ଇସ୍ରାଏଲର ଉତ୍ତରରେ ଥିବା ବିନେଇ ଡ୍ରର୍‌ ଗାଁରେ ନୂଆ ଘରେ ଏହି ପରିବାର ରହୁଛି । ଲେରନ୍‌ ନିଜ ବାହୁର ଟାଟୁକୁ ଦେଖାଇ କହନ୍ତି, ସେମାନେ ପୂର୍ବରୁ ୫ ଜଣ ଥିଲେ । ଏବେ ଆଉ ୩ ଜଣ ସେମାନଙ୍କ ସହ ଯୋଡ଼ି ହୋଇଛନ୍ତି । ଲେରନ୍‌ ପରିବାର ପୋଷ୍ୟ କରିଥିବା ୩ ପିଲାଙ୍କ ମଧ୍ୟରେ ଅଭିଗେଲ ଇଦାନ ଅନ୍ୟତମ । ପାଲେଷ୍ଟାଇନ୍‌ ଉଗ୍ରବାଦୀ ସମୂହ ନେତୃତ୍ୱରେ ଆକ୍ରମଣ ସମୟରେ ବନ୍ଦୀ ହୋଇଥିବା ୨୫୦ ଜଣଙ୍କ ମଧ୍ୟରେ ସେ ଥିଲେ । ଗତ ନଭେମ୍ବର ମାସରେ ତାଙ୍କୁ ମୁକ୍ତ କରାଯାଇଥିଲା । ଆକ୍ରମଣ ଯୋଗୁ ଇସ୍ରାଏଲ-ହମାସ ଯୁଦ୍ଧ ତୀବ୍ର ହେବାରୁ ଆହୁରି ପ୍ରାୟ ୧୦୦ ଜଣ ଏବେ ବି ବନ୍ଦୀ ଅଛନ୍ତି । 

ଆକ୍ରମଣ ସମୟରେ ଅଭିଗେଲ ମାତ୍ର ୩ ବର୍ଷ ବୟସର ହୋଇଥିଲେ । ଆକ୍ରମଣରେ ପ୍ରାଣ ହରାଇଥିବା ୧୨୦୦ ଲୋକଙ୍କ ମଧ୍ୟରେ ତାଙ୍କ ମା’ବାପା ଥିଲେ । ଆକ୍ରମଣ ସମୟରେ ତାଙ୍କ ବଡ଼ ଭାଇ-ଭଉଣୀ ମାଇକେଲ ଓ ଆମାଲିଆ ସେମାନଙ୍କ କିବୁଜ୍‌ ସ୍ଥିତ ଘରେ ଥିବା ଏକ କ୍ୟାବିନେଟ୍‌ ଭିତରେ ଲୁଚି ରହିଥିଲେ । ମୃତା ମା’ ସେମାନଙ୍କ ପାଖରେ ଚଟାଣରେ ପଡ଼ିଥିଲେ । ସେତେବେଳେ ମୋର୍‌ ପରିବାର ମଧ୍ୟ ଦକ୍ଷିଣ ଇସ୍ରାଏଲ ସ୍ଥିତ କିବୁଜରେ ରହୁଥିଲେ । ଆକ୍ରମଣ ପରଦିନ ସେମାନଙ୍କୁ ନିଜ ଘରୁ ଉଦ୍ଧାର କରାଯାଇଥିଲା । ଏବେ ସେମାନେ ଘରଠୁ ବହୁତ ଦୂର ବିନେଇ ଡ୍ରର୍‌ ସ୍ଥିତ ନୂଆ ଘରେ ରହୁଛନ୍ତି । ଏହା ଭୂମଧ୍ୟସାଗରୀୟ ତଟ ନିକଟସ୍ଥ ଏକ କୃଷି ଗ୍ରାମ । ଲେରନ୍‌ ମୋର୍‌ କହନ୍ତି ‘ଘରେ ଆମର ଖୋଲାଖୋଲି ଆଲୋଚନା ହୁଏ । ଆମେ ସେମାନଙ୍କ (ପୋଷ୍ୟ ସନ୍ତାନ) ମା’ବାପା (ମୃତକ)ଙ୍କ ବିଷୟରେ କଥା ହେଉ । ମୁହୂର୍ତ୍ତକ ପାଇଁ ମଧ୍ୟ ଆମେ ସେମାନଙ୍କୁ ଭୁଲିନୁ । ଆମେ ଏକତ୍ର ଫଟୋ ଦେଖୁ । ସେମାନେ ଆମ ଜୀବନରେ ଆଜି ବି ଉପସ୍ଥିତ ଅଛନ୍ତି ।’ ଅଭିଗେଲଙ୍କର ଆମେରିକୀୟ ନାଗରିକତା ମଧ୍ୟ ରହିଛି । ଗତ ଏପ୍ରିଲରେ ସେ ଓ ତାଙ୍କ ପରିବାର ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଭେଟିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.