ଅମରାବତୀ: ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ)। ସୋମବାର ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ଵନ ଲଞ୍ଚପ୍ୟାଡ୍ରୁ ନିଜର ସ୍ପେଡେକ୍ସ(SpaDeX) ମିଶନ ଲଞ୍ଚ କରିଛି । ପୋଲାର ସାଟେଲାଇଟ ଲଞ୍ଚ ଭେଇକିଲ(ପିଏସଏଲଭି) –ସି ୬୦ ରକେଟ୍ ଦ୍ଵାରା ସୋମବାର ରାତି ୧୦ଟାରେ ଏହାର ସଫଳ ଉତକ୍ଷେପଣ କରାଯାଇଛି। ପ୍ରଥମ ଲଞ୍ଚପ୍ୟାଡରୁ ମହାକାଶକୁ ୨ଟି ସ୍ପେଶକ୍ରାପ୍ଟ ପଠାଯାଇଛି । ଏହା ୨୨୦ କିଲୋ ଓଜନର ଚେଜର ଓ ଟାର୍ଗେଟ୍ ସ୍ପେଶକ୍ରାଫ୍ଟକୁ ଯୋଡ଼ିବ । ମିଶନ ସଫଳ ହେଲେ ସ୍ପେଶ ଡକିଂରେ ଭାରତ ଚତୁର୍ଥ ଦେଶ ହେବ।
ଏହି ମିଶନରେ ଦୁଇଟି ଉପଗ୍ରହକୁ ଅନ୍ତରୀକ୍ଷରେ ଯୋଡ଼ାଯିବ ଓ ଅଲଗା କରାଯିବ। । ମହାକାଶ ବିଜ୍ଞାନ ଭାଷାରେ ଏହାକୁ ଡକିଂ ଏବଂ ଅନଡକିଂ କୁହାଯାଏ । ମିଶନ ସଫଳ ହେଲେ ଭାରତ ଏପରି କରିବାରେ ଆମେରିକା, ଋଷ ଓ ଚୀନ୍ ପରେ ଚତୁର୍ଥ ଦେଶ ଭାବେ ରେକର୍ଡ କରିପାରିବ । ଭାରତ ନିଜର ଆଗାମୀ ଚନ୍ଦ୍ରଯାନ-୪ ଅଭିଯାନ, ମହାକାଶ ସ୍ପେସ୍ ଷ୍ଟେସନ ଏବଂ ଚନ୍ଦ୍ରରେ ଭାରତୀୟଙ୍କୁ ଓହ୍ଲାଇବାର ସ୍ବପ୍ନ ଦିଗରେ ଆଉ ପାଦେ ଆଗକୁ ବଢିବ । ଚନ୍ଦ୍ରଯାନ ମିଶନରେ ସହାୟକ ହେବ ସ୍ପେଡେକ୍ସ ମିଶନ ।
ଇସ୍ରୋ କହିଛି, ପିଏସଏଲଭି ରକେଟରେ ଦୁଇଟି ଅନ୍ତରୀକ୍ଷ ଯାନ ଅର୍ଥାତ ଦୁଇ ଉପଗ୍ରହ, ସ୍ପେଶକ୍ରାଫ୍ଟ ଏ(ଏସଡିଏକ୍ସ୦୧) ଓ ସ୍ପେଶକ୍ରାଫ୍ଟ ବି(ଏସଡିଏକ୍ସ୦୨)କୁ ଏମିତି ଏକ କକ୍ଷରେ ଅବସ୍ଥାପିତ କରାଯିବ ଯାହା ପରସ୍ପରଠୁ ୫ କିମି ଦୂରତାରେ ରହିବେ। ପରେ ଇସ୍ରୋ ମୁଖ୍ୟାଳୟର ବୈଜ୍ଞାନିକ ଦୁଇ ଉପଗ୍ରହ ମଧ୍ୟରେ ଦୂରତା କମ୍ କରି ୩ ମିଟର କରାଇବାକୁ ଚେଷ୍ଟା କରିବେ । ଏହା ପରେ ପୃଥିବୀରୁ ପ୍ରାୟ ୪୭୦ କିଲୋମିଟର ଉଚ୍ଚତାରେ ପରସ୍ପର ମିଶି ଏକ ହୋଇଯିବେ। ଏହି ପ୍ରକ୍ରିୟାକୁ ଡକିଂ କୁହାଯାଏ। ଏହି ସବୁ ପ୍ରକ୍ରିୟା ପରେ ପୁଣି ଦୁଇ ଉପଗ୍ରହକୁ ଅଲଗା କରାଯିବ, ଯାହାକୁ ଅନଡକିଂ କୁହାଯାଏ ।