ନୂଆଦିଲ୍ଲୀ ୧୪/୦୫: ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ର ବରିଷ୍ଠ ବୈଜ୍ଞାନିକ ନନ୍ଦିନୀ ହରିନାଥ ଏବେ ଦେଶ ଲାଗି ଗୌରବ ଆଣିଦେଇଛନ୍ତି । ମାର୍ସ ଅର୍ବିଟର ମିସନ (ମଙ୍ଗଳଯାନ) ସମୟରେ ସେ ପିନ୍ଧିଥିବା ଶାଢ଼ିଟି ଏବେ ଆମେରିକାର ୱାଶିଂଟନ୍ ଡିସିସ୍ଥିତ ସ୍ମିଥସୋନିଆନ୍ ନ୍ୟାସନାଲ ଏୟାର ଆଣ୍ଡ ସ୍ପେସ୍ ମ୍ୟୁଜିୟମରେ ସ୍ଥାନ ପାଇଛି । ବିଶ୍ୱର କିଛି ପ୍ରତିଷ୍ଠିତ ମହାକାଶ କଳାକୃତି ସହ ପ୍ରଦର୍ଶିତ ହୋଇଥିବା ଏହି ଶାଢ଼ି ଭାରତୀୟ ମହିଳା ବୈଜ୍ଞାନିକମାନଙ୍କର କ୍ଷମତାକୁ ବୈଶ୍ୱିକ ମଞ୍ଚରେ ସମ୍ମାନିତ କରିବାର ଏକ ମାଧ୍ୟମ ବୋଲି ସଂଗ୍ରହାଳୟ ପକ୍ଷରୁ କୁହାଯାଇଛି । ସଂଗ୍ରହାଳୟ ଏହାର ଫଟୋ ଏବଂ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ତାହା ଭାଇରାଲ୍ ହେଉଛି ।

ଗାଢ଼ ନାଲି ରଙ୍ଗର ଏହି ଶାଢ଼ିରେ ଜଟିଳ ବ୍ଲକ୍ ପ୍ରିଣ୍ଟ ଏବଂ ସୁନେଲି ରଙ୍ଗର କାମ ହୋଇଛି । ନୀଳ ରଙ୍ଗର ବର୍ଡରରେ ହାଲ୍‌କା ଡିଜାଇନ୍ ବି କରାଯାଇଛି । ଭାରତର ଐତିହାସିକ ମାର୍ସ ଅର୍ବିଟର ମିସନ ସହ ଏହି ଶାଢ଼ି ଜଡିତ । ଇସ୍ରୋର ମହାକାଶଯାନ ଯେଉଁଦିନ ପୃଥିବୀର କକ୍ଷରୁ ବାହାରି ମଙ୍ଗଳ ଗ୍ରହ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ସେଦିନ ନନ୍ଦିନୀ ଏହି ଶାଢ଼ି ପିନ୍ଧିଥିଲେ । ସେହି ମିସନ ଭାରତକୁ ମଙ୍ଗଳ ଗ୍ରହର କକ୍ଷରେ ପହଞ୍ଚିବାରେ ପ୍ରଥମ ଏସୀୟ ଦେଶ ଏବଂ ବିଶ୍ୱର ଚତୁର୍ଥ ଦେଶର ମାନ୍ୟତା ଦେଇଥିଲା । ପ୍ରଥମ ପ୍ରୟାସରେ ଭାରତ ଏହି ସଫଳତା ପାଇଥିଲା । ସେଥିଯୋଗୁ ଏହି ଶାଢ଼ିକୁ ଏତେ ଗୁରୁତ୍ୱ ଦିଆଯାଉଛି । ନନ୍ଦିନୀ ହରିନାଥ ମଙ୍ଗଳଯାନ ମିସନ ଲାଗି ଉପ ସଞ୍ଚାଳନ ନିର୍ଦ୍ଦେଶକ ଭାବେ କାମ କରିଥିଲେ । ମିସନର ଯୋଜନା ପ୍ରସ୍ତୁତି, ମହାକାଶଯାନର ସଞ୍ଚାଳନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ୩୦୦ ଦିନର ଏହି ଜଟିଳ ଯାତ୍ରାର ସଫଳ ସଞ୍ଚାଳନ ଲାଗି ସେ ଅକ୍ଲାନ୍ତ ପରିଶ୍ରମ କରିଥିଲେ । ପ୍ରାଥମିକ ଭାବେ ମାର୍ସ ଅର୍ବିଟର ମିସନ ମାତ୍ର ୬-୧୦ ମାସ ଧରି କାର୍ଯ୍ୟ କରିବାକୁ ଡିଜାଇନ୍ ହୋଇଥିଲା । କିନ୍ତୁ ତାହା ପ୍ରାୟ ୮ ବର୍ଷ ଧରି ସକ୍ରିୟ ଭାବେ କାର୍ଯ୍ୟ କରିଥିଲା । ଏହା ମଙ୍ଗଳପୃଷ୍ଠ ଏବଂ ବାୟୁମଣ୍ଡଳରୁ ମୂଲ୍ୟବାନ ତଥ୍ୟ ସଂଗ୍ରହ କରିଥିଲା । ଖାସ୍ ସେଥିଲାଗି ଏହାକୁ ଇସ୍ରୋର ସଫଳ ମିସନ ମଧ୍ୟରୁ ଅନ୍ୟତମ ଭାବେ ବିବେଚନା କରାଯାଏ ।

​​​​​​​

ନନ୍ଦିନୀଙ୍କ ଜନ୍ମ ତାମିଲନାଡୁରେ ହୋଇଥିଲା । ମା’ ଗଣିତ ଶିକ୍ଷୟତ୍ରୀ ଭାବେ କାମ କରୁଥିବାବେଳେ ବାପା ଇଞ୍ଜିନିୟର ଥିଲେ । ପିଲାଦିନରୁ ଘରେ ବିଜ୍ଞାନ ଚର୍ଚ୍ଚାର ବାତାବରଣ ଥିବାରୁ ସେ ବିଜ୍ଞାନରେ କ୍ୟାରିୟର କରିବାକୁ ଆଗ୍ରହୀ ହୋଇଥିଲେ । ଇସ୍ରୋରେ ଯୋଗ ହେବା ପୂର୍ବରୁ ନନ୍ଦିନୀ ଇଞ୍ଜିନିୟରିଂରେ ଗ୍ରାଜୁଏସନ୍ ଏବଂ ପୋଷ୍ଟ ଗ୍ରାଜୁଏସନ୍ କରିଥିଲେ । ଇସ୍ରୋରେ ଦୀର୍ଘ ଦୁଇ ଦଶନ୍ଧିରୁ ଊଦ୍ଧ୍ୱର୍ ସମୟର କ୍ୟାରିୟର ମଧ୍ୟରେ ସେ ୧୪ରୁ ଅଧିକ ମିସନରେ କାମ କରିଛନ୍ତି । ସେଥିଯୋଗୁ ତାଙ୍କୁ ଭାରତର ଦକ୍ଷ ମହାକାଶ ବିଜ୍ଞାନୀଙ୍କ ମଧ୍ୟରେ ଗଣନା କରାଯାଏ । ମହାକାଶ ଗବେଷଣା କ୍ଷେତ୍ରରେ ତାଙ୍କର ଅସାଧାରଣ ଯୋଗଦାନ କାରଣରୁ ତାଙ୍କୁ ଭାରତର ‘ରକେଟ୍ ୱିମେନ୍’ ଭାବେ ବି ସମ୍ବୋଧନ କରାଯାଏ । ଏଭଳିକ୍ଷେତ୍ରରେ ସ୍ମିଥସୋନିଆନ ସଂଗ୍ରହାଳୟରେ ତାଙ୍କର ଶାଢ଼ି ସ୍ଥାନିତ ହେବା କେବଳ ନନ୍ଦିନୀଙ୍କ କାମର ସମ୍ମାନ ନୁହେଁ ବରଂ ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଏବଂ ଗଣିତ ଭଳି କ୍ଷେତ୍ରରେ ମହିଳାଙ୍କର ବର୍ଦ୍ଧିଷ୍ଣୁ ଭାଗିଦାରୀର ପ୍ରତୀକ ବୋଲି କୁହାଯାଉଛି ।

ଆହୁରି ପଢ଼ନ୍ତୁ...Children in Space: ମହାକାଶରେ ଜନ୍ମ ହେବେ ଶିଶୁ ! ପ୍ରଥମ ଥର ପାଇଁ କୃତ୍ରିମ ମାନବ ଭ୍ରୁଣ ପଠାଇଲା ଚୀନ୍