ଫ୍ଲୋରିଡା,୧୫/୦୭: ଭାରତର  ଶୁଭାଂଶୁ ଶୁକ୍ଳାଙ୍କ ସମେତ ୪ ଜଣ  ମହାକାଶଚାରୀ ସୋମବାର ସନ୍ଧ୍ୟା ୪ଟା  ୪୫ରେ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନ  (ଆଇଏସ୍‌ଏସ୍‌)ରୁ ପୃଥିବୀ ଅଭିମୁଖେ  ଯାତ୍ରା ଆରମ୍ଭ କରିଛନ୍ତି । ପ୍ରାୟ ୨୩  ଘଣ୍ଟାର ଯାତ୍ରା ପରେ ସେମାନଙ୍କ  ଡ୍ରାଗନ୍‌ ଗ୍ରେସ୍‌ ସ୍ପେସ୍‌କ୍ରାଫ୍ଟ ମଙ୍ଗଳବାର  ଅପରାହ୍ନ ପ୍ରାୟ ୩ଟାରେ କାଲିଫର୍ଣ୍ଣିଆ  ତଟରେ ଜଳାବତରଣ କରିବ । ଏହି  ଅବତରଣ ପ୍ରକ୍ରିୟାକୁ ‘ସ୍ପ୍ଲାସ୍‌ଡାଉନ୍‌’  କୁହାଯାଏ । 

ସୂଚନା ଅନୁସାରେ, ସୋମବାର ଅପରାହ୍ନ ପ୍ରାୟ ୨ଟା ୧୫ରେ ୪ ଜଣ  ମହାକାଶଚାରୀ ଡ୍ରାଗନ୍‌ କ୍ୟାପ୍‌ସୁଲ୍‌ରେ  ପ୍ରବେଶ କରିଥିଲେ । ଏହାପରେ ସନ୍ଧ୍ୟା  ୪ଟା ୪୫ରେ କ୍ୟାପ୍‌ସୁଲ୍‌ଟି ଆଇଏସ୍‌ଏସ୍‌ର  ହାର୍ମନି ମଡ୍ୟୁଲ୍‌ରୁ ଅନ୍‌ଡକ୍‌ ହୋଇଥିଲା । ଆଜି ଅପରାହ୍ନ  ପ୍ରାୟ ୩ଟାରେ ଏହା କାଲିଫର୍ଣ୍ଣିଆ ତଟରେ ଜଳାବତରଣ କରିବ । ମହାକାଶ ଯାନଟି  ୨୬୩ କିଲୋଗ୍ରାମ୍‌ରୁ ଅଧିକ ଓଜନର  ସାମଗ୍ରୀ ସହ ପ୍ରତ୍ୟାବର୍ତ୍ତନ କରୁଛି ।  ଏଥିରେ ନାସାର ହାର୍ଡୱେର ଓ ୬୦ରୁ  ଅଧିକ ପ୍ରୟୋଗର ତଥ୍ୟ ସାମିଲ  ରହିଛି । ଏହା ମହାକାଶ ଗବେଷଣା  ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ଆକ୍ସିଓମ୍‌-୪  ମିଶନର ଏହି ଟିମ୍‌ ଜୁନ୍‌ ୨୬ ସନ୍ଧ୍ୟା ୪ଟା  ୧ରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ  ପହଞ୍ଚିଥିଲା । ଜୁନ୍‌ ୨୫ ଅପରାହ୍ନ ପ୍ରାୟ  ୧୨ଟାରେ ସେମାନେ ଯାତ୍ରା ଆରମ୍ଭ  କରିଥିଲେ । ସ୍ପେସ୍‌ଏକ୍ସର ଫାଲ୍‌କନ୍‌-୯  ରକେଟ୍‌ ସହ ଜଡ଼ିତ ଡ୍ରାଗନ୍‌ କ୍ୟାପ୍‌ସୁଲ୍‌ରେ ସେମାନେ କେନେଡି ମହାକାଶ କେନ୍ଦ୍ରରୁ  ଉଡ଼ାଣ ଭରିଥିଲେ । ବୈଷୟିକ ସମସ୍ୟା  ଓ ପ୍ରତିକୂଳ ପାଣିପାଗକୁ ନେଇ ମିଶନକୁ  ୬ ଥର ରୋକାଯାଇଥିଲା । 

ଉଲ୍ଲେଖଯୋଗ୍ୟ,  ନାସା ଓ ଇସ୍ରୋ ମଧ୍ୟରେ ହୋଇଥିବା ଚୁକ୍ତି  ଅନୁସାରେ ଭାରତୀୟ ବାୟୁସେନାର ଗ୍ରୁପ୍‌  କ୍ୟାପ୍‌ଟେନ୍‌ ଶୁଭାଂଶୁଙ୍କୁ ମିଶନ ପାଇଁ ଚୟନ  କରାଯାଇଥିଲା । ଶୁଭାଂଶୁ ଅନ୍ତର୍ଜାତୀୟ  ମହାକାଶ ଷ୍ଟେସନକୁ ଯିବାରେ ପ୍ରଥମ  ଓ ମହାକାଶ ଯାତ୍ରା କରିବାରେ ଦ୍ୱିତୀୟ ଭାରତୀୟ । ରାକେଶ ଶର୍ମା ୧୯୮୪ରେ  ସୋଭିଏତ ୟୁନିୟନର ମହାକାଶ ଯାନରେ  ମହାକାଶ ଯାତ୍ରା କରିଥିଲେ ।