ଫ୍ଲୋରିଡା,୧୫/୦୭: ଭାରତର ଶୁଭାଂଶୁ ଶୁକ୍ଳାଙ୍କ ସମେତ ୪ ଜଣ ମହାକାଶଚାରୀ ସୋମବାର ସନ୍ଧ୍ୟା ୪ଟା ୪୫ରେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ (ଆଇଏସ୍ଏସ୍)ରୁ ପୃଥିବୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ପ୍ରାୟ ୨୩ ଘଣ୍ଟାର ଯାତ୍ରା ପରେ ସେମାନଙ୍କ ଡ୍ରାଗନ୍ ଗ୍ରେସ୍ ସ୍ପେସ୍କ୍ରାଫ୍ଟ ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟାରେ କାଲିଫର୍ଣ୍ଣିଆ ତଟରେ ଜଳାବତରଣ କରିବ । ଏହି ଅବତରଣ ପ୍ରକ୍ରିୟାକୁ ‘ସ୍ପ୍ଲାସ୍ଡାଉନ୍’ କୁହାଯାଏ ।
ସୂଚନା ଅନୁସାରେ, ସୋମବାର ଅପରାହ୍ନ ପ୍ରାୟ ୨ଟା ୧୫ରେ ୪ ଜଣ ମହାକାଶଚାରୀ ଡ୍ରାଗନ୍ କ୍ୟାପ୍ସୁଲ୍ରେ ପ୍ରବେଶ କରିଥିଲେ । ଏହାପରେ ସନ୍ଧ୍ୟା ୪ଟା ୪୫ରେ କ୍ୟାପ୍ସୁଲ୍ଟି ଆଇଏସ୍ଏସ୍ର ହାର୍ମନି ମଡ୍ୟୁଲ୍ରୁ ଅନ୍ଡକ୍ ହୋଇଥିଲା । ଆଜି ଅପରାହ୍ନ ପ୍ରାୟ ୩ଟାରେ ଏହା କାଲିଫର୍ଣ୍ଣିଆ ତଟରେ ଜଳାବତରଣ କରିବ । ମହାକାଶ ଯାନଟି ୨୬୩ କିଲୋଗ୍ରାମ୍ରୁ ଅଧିକ ଓଜନର ସାମଗ୍ରୀ ସହ ପ୍ରତ୍ୟାବର୍ତ୍ତନ କରୁଛି । ଏଥିରେ ନାସାର ହାର୍ଡୱେର ଓ ୬୦ରୁ ଅଧିକ ପ୍ରୟୋଗର ତଥ୍ୟ ସାମିଲ ରହିଛି । ଏହା ମହାକାଶ ଗବେଷଣା ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ଆକ୍ସିଓମ୍-୪ ମିଶନର ଏହି ଟିମ୍ ଜୁନ୍ ୨୬ ସନ୍ଧ୍ୟା ୪ଟା ୧ରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପହଞ୍ଚିଥିଲା । ଜୁନ୍ ୨୫ ଅପରାହ୍ନ ପ୍ରାୟ ୧୨ଟାରେ ସେମାନେ ଯାତ୍ରା ଆରମ୍ଭ କରିଥିଲେ । ସ୍ପେସ୍ଏକ୍ସର ଫାଲ୍କନ୍-୯ ରକେଟ୍ ସହ ଜଡ଼ିତ ଡ୍ରାଗନ୍ କ୍ୟାପ୍ସୁଲ୍ରେ ସେମାନେ କେନେଡି ମହାକାଶ କେନ୍ଦ୍ରରୁ ଉଡ଼ାଣ ଭରିଥିଲେ । ବୈଷୟିକ ସମସ୍ୟା ଓ ପ୍ରତିକୂଳ ପାଣିପାଗକୁ ନେଇ ମିଶନକୁ ୬ ଥର ରୋକାଯାଇଥିଲା ।
ଉଲ୍ଲେଖଯୋଗ୍ୟ, ନାସା ଓ ଇସ୍ରୋ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁଙ୍କୁ ମିଶନ ପାଇଁ ଚୟନ କରାଯାଇଥିଲା । ଶୁଭାଂଶୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯିବାରେ ପ୍ରଥମ ଓ ମହାକାଶ ଯାତ୍ରା କରିବାରେ ଦ୍ୱିତୀୟ ଭାରତୀୟ । ରାକେଶ ଶର୍ମା ୧୯୮୪ରେ ସୋଭିଏତ ୟୁନିୟନର ମହାକାଶ ଯାନରେ ମହାକାଶ ଯାତ୍ରା କରିଥିଲେ ।