ଭୁବନେଶ୍ବର,୨୭/୧୧ : ଓଡ଼ିଶା ବିଧାନସଭାକୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଆଜିର ଐତିହାସିକ ସମ୍ବୋଧନ ଓଡ଼ିଶାର ଗଣତାନ୍ତ୍ରିକ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, ଓଡ଼ିଶା ବିଧାନସଭାକୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଆଜିର ଐତିହାସିକ ସମ୍ବୋଧନ ଓଡ଼ିଶାର ଗଣତାନ୍ତ୍ରିକ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଛି । ଦୀର୍ଘ ୭୫ବର୍ଷର ବିଧାନସଭା ଇତିହାସରେ ପ୍ରଥମ ଥର ପାଇଁ ଦେଶର ପ୍ରଥମ ନାଗରିକଙ୍କ ମାର୍ଗଦର୍ଶନ ଗ୍ରହଣ କରିବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଓଡ଼ିଶା ମାଟିର ଏହି ସୁକନ୍ୟା ତାଙ୍କର ସକ୍ରିୟ ରାଜନୈତିକ ଯାତ୍ରା ଏହି ବିଧାନସଭାରୁ ହିଁ ଆରମ୍ଭ କରିଥିଲେ ଏବଂ ନିଜର କଠୋର ଅଧ୍ୟବସାୟ, ସ୍ୱଚ୍ଛତା ଓ ସମାଜ ସେବା ଦ୍ୱାରା ଦେଶର ସର୍ବୋଚ୍ଚ ସ୍ଥାନରେ ପହଞ୍ଚିଛନ୍ତି।

ଏହି ପବିତ୍ର ଗୃହକୁ ତାଙ୍କର ପୁନଃଆଗମନ ରାଷ୍ଟ୍ରପତିଙ୍କର ଜନ୍ମମାଟି ଓ କର୍ମଭୂମି ପ୍ରତି ଥିବା ଅତୁଟ ସ୍ନେହ ଓ ଆମ ଉତ୍କଳୀୟ ପରମ୍ପରାର ମୂଲ୍ୟବୋଧକୁ ପୁଣି ଥରେ ପ୍ରତିପାଦିତ କରିଛି । ଜଣେ ସାଧାରଣ ଆଦିବାସୀ ପରିବାରର ସଦସ୍ୟା ଭାବେ ତାଙ୍କର ଏହି ସଫଳତା ଆଜିର ଭାରତୀୟ ସମ୍ବିଧାନ ତଥା ଗଣତନ୍ତ୍ରର ଶକ୍ତିକୁ ଦର୍ଶାଉଛି, ଯାହା ସମାଜର ପ୍ରତ୍ୟେକ ବର୍ଗ ପାଇଁ ଏକ ବିଶାଳ ପ୍ରେରଣାର ଉତ୍ସ ହୋଇ ରହିବ ।