କିଛି କାଶ୍ମୀର ରାଜନେତାଙ୍କୁ ସେମାନଙ୍କର ରାଜନୀତି ଛାଡ଼ନ୍ତୁ ବୋଲି ଆହ୍ୱାନ କରିବାର ସମୟ ମଧ୍ୟ ଏବେ ପହଞ୍ଚିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଅବଦୁଲ୍ଲା ପିତା-ପୁତ୍ର । ଦେଶର ଏକମାତ୍ର ମୁସଲମାନ ବହୁଳ ରାଜ୍ୟରେ ସଂଖ୍ୟାଲଘୁ ହିନ୍ଦୁଙ୍କୁ ସୁରକ୍ଷା ଦେବାରେ ଏମାନେ ବିଫଳ ହୋଇଛନ୍ତି ବୋଲି ଲୋକେ ନିହାତି ମନେରଖିବା ଦରକାର ।

​​​​​​​​​​​​​​

ପହଲଗାମ୍‌ ଉଗ୍ରବାଦୀ ଆକ୍ରମଣ ତଥା ଦିଲ୍ଲୀ ଲାଲକିଲ୍ଲା ଆତ୍ମଘାତୀ ବିସ୍ଫୋରଣ ଭଳି ଜଘନ୍ୟ ଘଟଣା ସବୁସ୍ତରରେ ସମୂହ ଭାବେ ନିନ୍ଦାଯୋଗ୍ୟ । ମାତ୍ର ଆମରି ମଧ୍ୟରୁ କେତେଜଣ ରାଜନେତା ଏହା ପଛରେ ସଂଖ୍ୟାଲଘୁ ସମ୍ପ୍ରଦାୟର ତଥାକଥିତ ‘ଅସନ୍ତୋଷ’ କାରଣ ରହିଥିବାର ଯୁକ୍ତି ଦର୍ଶାଇଛନ୍ତି। ସେମାନେ ଏପରି କାରଣ ଦର୍ଶାଇ ଆତଙ୍କୀଙ୍କୁ ନିନ୍ଦା କରିବାକୁ ପଛଘୁଞ୍ଚା ଦେଉଛନ୍ତି । ବାସ୍ତବତା ହେଲା, ଯଦି ଆମକୁ ଦେଶର ସମ୍ବିଧାନ ଏବଂ ଗଣତାନ୍ତ୍ରିକ ଜୀବନ ଧାରାକୁ ବଜାୟ ରଖିବାକୁ ହେବ,ତେବେ ଆମକୁ ଦୋମୁହାଁ କଥା କହୁଥିବା,ଆତଙ୍କବାଦକୁ ନେଇ ‘ଯଦି’, ‘କିନ୍ତୁ’ ଲଗାଉଥିବା ସମସ୍ତ ରାଜନୈତିକ ନେତାଙ୍କୁ ‘ବାସନ୍ଦ’ କରିବାକୁ ହେବ । 

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍‌ଙ୍କ ପ୍ରତିକ୍ରିୟାକୁ ଆଲୋଚନାକୁ ନିଆଯାଉ । ସେ କହିଛନ୍ତି ଯେଉଁମାନେ ପହଲଗାମ୍‌ ଏବଂ ଲାଲକିଲ୍ଳା ଆତଙ୍କୀ ଆକ୍ରମଣ ସଂଘଟିତ କଲେ ସେମାନେ ‘ଘରେ ବଢ଼ିଥିବା’ ଆତଙ୍କବାଦୀ । ଏଠାରେ ପ୍ରଶ୍ନ ଉଠେ ‘ସେ କେମିତି ଜାଣିଲେ?’ ଚିଦାମ୍ବରମ୍‌ ଭାରତର ଗୃହ ମନ୍ତ୍ରୀ ନୁହଁନ୍ତି । ଏପରି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ସିଦ୍ଧାନ୍ତ ଦେଇ ଦେଶବାସୀଙ୍କ ମଧ୍ୟରେ ଭ୍ରମ ଖେଳାଇବାର ଅଧିକାର ନିଶ୍ଚୟ ତାଙ୍କର ନାହିଁ । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ନିଜର ଅଭିସନ୍ଧିମୂଳକ ପ୍ରତିକ୍ରିୟା ଉଲ୍ଲେଖ କରିଛନ୍ତି । ସେ ଲେଖିଥିଲେ, ଆତଙ୍କବାଦୀ ଦୁଇ ପ୍ରକାରର । ଗୋଟିଏ ବିଦେଶରେ ତାଲିମପ୍ରାପ୍ତ ଅନୁପ୍ରବେଶକାରୀ ଆତଙ୍କବାଦୀ ଏବଂ ଅନ୍ୟଟି ଦେଶ ମଧ୍ୟରେ ବଢ଼ିଥିବା ଆତଙ୍କବାଦୀ । ଏହା ଉପରେ ଆହୁରି ଚିନ୍ତାଜନକ ଟିପ୍ପଣୀ ଦେଇଛନ୍ତି- ଆମେ ନିଜକୁ ପଚାରିବା ଉଚିତ ଯେ କେଉଁ ପରିସ୍ଥିତିରେ ଭାରତୀୟ ନାଗରିକମାନେ, ଏପରିକି ଶିକ୍ଷିତ ଯୁବକ, ଆତଙ୍କବାଦୀରେ ପରିଣତ ହେଉଛନ୍ତି? ସମୟ ଆସିଛି, ଏପରି ନେତାମାନଙ୍କୁ ପଦାରେ ପକାଇଦେବାକୁ ।

ଏଠାରେ ସ୍ପଷ୍ଟ କୁହାଯାଇପାରେ, ଏଭଳି ନେତାମାନଙ୍କ ରାଜନୀତି ହିଁ ଭାରତୀୟ ନାଗରିକକୁ ଉଗ୍ରବାଦୀରେ ପରିବର୍ତ୍ତିତ କରାଇବାରେ ଦାୟୀ । ସେମାନଙ୍କର ତୁଷ୍ଟୀକରଣ ରାଜନୀତି ହିଁ ଦେଶ ବିଭାଜନର ବାଟ ଫିଟାଇଥିଲା ଏବଂ ୧୯୪୭ରେ ସୃଷ୍ଟିହେଲା ପାକିସ୍ତାନ । ଏହି ତୁଷ୍ଟୀକରଣ ରାଜନୀତି ଯୋଗୁଁ ଦେଶର ମୁସଲମାନଙ୍କ ମଧ୍ୟରେ ଅବହେଳିତ, ଶୋଷିତ ହେଉଥିବାର ଭାବନା ଉଦ୍ରେକ କରିବାକୁ ଉସୁକାଉଛି । ଚିଦାମ୍ବରମ୍‌ଙ୍କ ପରି ରାଜନେତାମାନେ ହିଁ ଦେଶରେ ଅପପ୍ରଚାର କରୁଛନ୍ତି ଯେ ଭାରତରେ ଧାର୍ମିକ ସଂଖ୍ୟାଲଘୁ ସୁରକ୍ଷିତ ନୁହଁନ୍ତି । ଗୋଟିଏ କଥା ଅବଶ୍ୟ ଚିଦାମ୍ବରମ୍‌, କଂଗ୍ରେସ ନିଶ୍ଚୟ ମନେରଖିବା ଉଚିତ । ତାହା ହେଲା, ଭାରତର ମୁସଲମାନ ଦାବି କରିଥିଲେ ଦେଶରୁ ଅଲଗା ହୋଇ ସ୍ୱତନ୍ତ୍ର ରାଷ୍ଟ୍ର ହେବାକୁ, ଯାହା ପରିଶେଷରେ ଇସଲାମିକ୍‌ ରିପବ୍ଲିକ୍‌ ଅଫ୍‌ ପାକିସ୍ତାନର ସ୍ୱରୂପ ନେଇଥିଲା । ବାକି ୮୮ ପ୍ରତିଶତ ଜନତା କହିଥିଲେ ଭାରତ ଏକ ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ପ୍ରଜାତାନ୍ତ୍ରିକ ରାଷ୍ଟ୍ର ହେଉ । ଏହି ଜନତା ଥିଲେ ଇଣ୍ଡିକ୍‌ ରିଲିଜିଅନ୍‌ ବା ଭାରତୀୟ ଧର୍ମର ହିନ୍ଦୁ, ଶିଖ, ଜୈନ, ବୌଦ୍ଧ ଇତ୍ୟାଦି ଇତ୍ୟାଦି । ତେବେ ଏକ ସ୍ୱତନ୍ତ୍ର ଇସଲାମୀୟ ରାଷ୍ଟ୍ର ଗଠନ ସତ୍ତେ୍ୱ ୩.୫କୋଟି ମୁସଲମାନ ଭାରତରେ ରହିଯିବାକୁ ନିଷ୍ପତ୍ତି ନେଇଥିଲେ । ସେମାନଙ୍କର ଜନସଂଖ୍ୟା ଏବେ ୨୦କୋଟିକୁ ବୃଦ୍ଧିପାଇଛି । ଅର୍ଥାତ୍‌ ସ୍ୱାଧୀନତା ସମୟ ଠାରୁ ୫ଗୁଣା, ଯେଉଁ ପରିମାଣ ଅନ୍ୟାନ୍ୟ ଧାର୍ମିକ ଗୋଷ୍ଠୀଠାରୁ ସର୍ବାଧିକ । ଯଦି ସେମାନେ ନିର୍ଯାତିତ ତେବେ ଜନସଂଖ୍ୟା ପରିସଂଖ୍ୟନ ଦୃଷ୍ଟିରୁ ବଢ଼ିପାରିଥାଆନ୍ତେ କି! ମୁସଲିମ୍‌ ଶିକ୍ଷା ତଥା ସାଂସ୍କୃତିକ ପ୍ରତିଷ୍ଠାନଗୁଡ଼ିକ ମଧ୍ୟ ଦେଶବ୍ୟାପୀ ବହୁସଂଖ୍ୟକ ବୃଦ୍ଧିପାଇଛି । ମଦ୍ରାସା ତଥା ମସଜିଦ୍‌ର ସଂଖ୍ୟା ମଧ୍ୟ ବଢ଼ିଚାଲିଛି ।

ଦେଶରେ ସଶକ୍ତ ମୁସଲମାନ ମଧ୍ୟବିତ୍ତ ପରିବାରର ଅଭ୍ୟୁଦୟ ହୋଇଛି । ଅନ୍ୟ ନାଗରିକମାନଙ୍କ ପରି ମୁସଲମାନ ଯୁବକମାନେ ବଡ଼ ବଡ଼ ପେସାରେ ପ୍ରବେଶ କରୁଛନ୍ତି । ସେମାନେ ଶିକ୍ଷାବିତ୍‌ ହୋଇପାରୁଛନ୍ତି । ମିଡିଆ, କର୍ପୋରେଟ୍‌ ମ୍ୟାନେଜମେଣ୍ଟ ବା କ୍ରୀଡ଼ା ସବୁଠି ସେମାନଙ୍କ ଆଗଧାଡ଼ିକୁ ଆସୁଛନ୍ତି । କ୍ରୀଡ଼ା କ୍ଷେତ୍ରରେ ଭାରତର ପତାକାକୁ ସେମାନେ ଉଡ଼ାଉଛନ୍ତି । ଭାରତର ସର୍ବବୃହତ ଚଳଚ୍ଚିତ୍ର ଶିଳ୍ପ ‘ବଲିଉଡ’ରେ ତିନି ଖାଁଙ୍କ ରାଜତ୍ୱ ଜାରି ରହିଛି । ସେମାନେ ହେଲେ- ସଲମାନ, ଶାହରୁଖ ଏବଂ ଅମୀର । ଆମକୁ ପ୍ରତିରକ୍ଷା କ୍ଷେତ୍ରରେ ସଶକ୍ତ କରିବାରେ ବଳିଷ୍ଠ ଅବଦାନ ରଖିଥିବା ମିଜାଇଲ୍‌ ମ୍ୟାନ ଭାବେ ସୁପରିଚିତ ତଥା ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ସମ୍ମାନିତ ବ୍ୟକ୍ତିତ୍ୱ ହେଲେ ଭାରତ ରତ୍ନ ଡ. ଏପିଜେ ଅବଦୁଲ୍‌ କାଲାମ । ସେ ପରବର୍ତ୍ତୀ ସମୟରେ ଆମର ରାଷ୍ଟ୍ରପତି ହୋଇଥିଲେ । ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ୧୯୯୮ରେ ଭାରତ ଯେଉଁ ଆଣବିକ ପରୀକ୍ଷଣ କରିଥିଲା, ତାହାର ମୁଖ୍ୟ ସୂତ୍ରଧର ଥିଲେ ଡ. କଲାମ୍‌ । ସ୍ୱାଧୀନୋତ୍ତର ଭାରତରେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ଙ୍କ ମଧ୍ୟରେ ୬ ଜଣ ମୁସଲମାନ ବ୍ୟକ୍ତିତ୍ୱ ରହିଥିବାବେଳେ ଆମର ତିନିଜଣ ରାଷ୍ଟ୍ରପତି ତଥା ଜଣେ କାମଚଳା ରାଷ୍ଟ୍ରପତି ଏହି ସମ୍ପ୍ରଦାୟର ଅଟନ୍ତି ।

ସର୍ବୋପରି ଦେଶର ସମ୍ବିଧାନ ମୁଖ୍ୟ ମୌଳିକ ଅଧିକାରଗୁଡ଼ିକୁ ଅନ୍ୟ ନାଗରିକଙ୍କ ପରି ମୁସଲମାନ ନାଗରିକମାନଙ୍କ ପାଇଁ ମଧ୍ୟ ସୁନିଶ୍ଚିତ କରିଛି । ଦୈନନ୍ଦିନ ଜୀବନରେ ଭାରତୀୟ ମୁସଲମାନ ସେମାନଙ୍କର ଧର୍ମ ଆଚରଣ କରୁଛନ୍ତି ଏବଂ ପ୍ରଚାର କରିବାର ଅଧିକାର ଉପଭୋଗ କରୁଛନ୍ତି (ଅନୁଚ୍ଛେଦ- ୨୫) । ସମ୍ବିଧାନର ଅନୁଚ୍ଛେଦ-୨୬ ଅନୁଯାୟୀ ନିଜର ଉପାସନା ସ୍ଥଳ ନିର୍ମାଣ କରିବା, ଏହାକୁ ନିଜେ ଚଳାଇବାର ଅଧିକାର ସେମାନଙ୍କୁ ମିଳିଛି । ଅନ୍ୟପକ୍ଷରେ ନିଜସ୍ୱ ଶିକ୍ଷା ପ୍ରତିଷ୍ଠାନ ଗଠନ କରିବା, ପ୍ରତିଷ୍ଠା କରିବା ଏବଂ ଏହାକୁ ଚଳାଇବାର ଅଧିକାର ଦେଶର ୨୦କୋଟି ମୁସଲମାନ ନାଗରିକ ଉପଭୋଗ କରୁଛନ୍ତି । ଆମେ ଭୁଲିଗଲେ ଚଳିବନାହିଁ ଯେ ଭାରତ ବିଶ୍ୱର ସବୁଠୁ ବିବିଧତାଭରା ରାଷ୍ଟ୍ର । ଏହି ଦେଶରେ ବିଭିନ୍ନ ଧର୍ମ, ଜାତି, ଗୋଷ୍ଠୀର ଲୋକ ବସବାସ କରୁଛନ୍ତି ଏବଂ ସେମାନଙ୍କର ବି ସମସ୍ୟା ରହିଛି । ବାସ୍ତବତାକୁ ବିଚାରକୁ ନେଲେ ଦେଶରେ ‘ଦଳିତ’ଙ୍କଠାରୁ ଆଉ ଅଧିକ କିଏ ନିଷ୍ପେଷିତ ଗୋଷ୍ଠୀ ଅଛନ୍ତି? ତା’ମାନେ କ’ଣ ସେମାନେ ଉଗ୍ରବାଦୀ କାର୍ଯ୍ୟକଳାପକୁ ଆପଣେଇଲେ ସେମାନେ କ୍ଷମାଯୋଗ୍ୟ ହୋଇଯିବେ! ଚିଦାମ୍ବରମ୍‌ଙ୍କ ପରି କର୍ଣ୍ଣାଟକର ଦୁଇଜଣ କଂଗ୍ରେସିଆ ନେତାଙ୍କ ମନ୍ତବ୍ୟ ଚକିତ କରିଦେବା ଭଳି ଥିଲା । ଦୁହିଁଙ୍କ ମଧ୍ୟରୁ ଜଣେ କହିଲେ ‘ବିହାରର ପ୍ରଥମ ପର୍ଯ୍ୟୟ ଭୋଟ୍‌ରେ ଭଲ ପ୍ରଦର୍ଶନ କରିନଥିବାର ଆଶଙ୍କା କରୁଥିଲା ଏନଡିଏ । ହୁଏତ ଏଇଥିପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ ଗୋଟେଇବାକୁ ଲାଲକିଲ୍ଳା ପରି ଅଘଟଣ ଘଟାଇବାର ଷଡ଼ଯନ୍ତ୍ର ରଚନା କରିଥିଲା । କି ଲଜ୍ଜାକର! ଆମର ଦୁର୍ଭାଗ୍ୟ ଯେ, ଆମେ ଏପରି ରାଜନେତା ପାଇଛୁ ଯେଉଁମାନେ ଲାଲକିଲ୍ଲା ବିସ୍ଫୋରଣ ପରି ଜଘନ୍ୟ ଆକ୍ରମଣକୁ ଭିନ୍ନମୋଡ଼ ଦେବାପାଇଁ ଚେଷ୍ଟାରତ ଏବଂ ଏଥିପାଇଁ ବିରୋଧୀ ପକ୍ଷ ଉପରେ ଦୋଷ ଲଦିବାକୁ ଉଦ୍ୟତ । କହିବା ବାହୁଲ୍ୟ, ଯେଉଁ ଉଗ୍ରବାଦୀ ଗୋଷ୍ଠୀ ଲାଲକିଲ୍ଲା ବିସ୍ଫୋରଣକୁ ସାକାର କରିଥିଲେ ସେମାନଙ୍କ ପାଖରେ ଥିଲା ୨୯୦୦କିଗ୍ରା. ଓଜନର ଆମୋନିଅମ ନାଇଟ୍ରେଟ୍‌ ଏବଂ ଅନ୍ୟାନ୍ୟ ଭୟାନକ ବୋମା ତିଆରି ସରଞ୍ଜାମ ।

କିଛି କାଶ୍ମୀର ରାଜନେତାଙ୍କୁ ସେମାନଙ୍କର ରାଜନୀତି ଛାଡ଼ନ୍ତୁ ବୋଲି ଆହ୍ୱାନ କରିବାର ସମୟ ମଧ୍ୟ ଏବେ ପହଞ୍ଚିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଅବଦୁଲ୍ଲା ପିତା-ପୁତ୍ର । ଦେଶର ଏକମାତ୍ର ମୁସଲମାନ ବହୁଳ ରାଜ୍ୟରେ ସଂଖ୍ୟାଲଘୁ ହିନ୍ଦୁଙ୍କୁ ସୁରକ୍ଷା ଦେବାରେ ଏମାନେ ବିଫଳ ହୋଇଛନ୍ତି ବୋଲି ଲୋକେ ନିହାତି ମନେରଖିବା ଦରକାର । ଏକ ଟିଭି ଚାନେଲ କାର୍ଯ୍ୟକ୍ରମରେ ଜାମ୍ମୁ ଓ କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ଯେବେ ପଚରାଗଲା ଡାକ୍ତରମାନେ କାହିଁକି କଠୋରପନ୍ଥୀ ହୋଇଯାଉଛନ୍ତି...? ଅବଦୁଲ୍ଳା କହିଲେ “ ମୁଁ ଜାଣେ ନାହିଁ... କେତେକ ଭାବୁଛନ୍ତି ସରକାର ସେମାନଙ୍କ ସହ ପକ୍ଷପାତ କରୁଛନ୍ତି... କେତେକ ଧର୍ମ କାରଣରୁ... କେତେକ ସେମାନଙ୍କ ଭବିଷ୍ୟତ ନେଇ ସନ୍ଦିହାନ...” । ଏହାର ଅର୍ଥ କ’ଣ? ଓମାର ଅବଦୁଲ୍ଲା କ’ଣ ସନ୍ଦେଶ ଦେବାକୁ ଚାହୁଁଛନ୍ତି? ତାଙ୍କ ପିତା ଫାରୁକ୍‌ ଅବଦୁଲ୍ଳାଙ୍କ ପ୍ରତିକ୍ରିୟା ତ ଥିଲା ଆହୁରି ମାରାତ୍ମକ । ସେ କହିଲେ “ଏବେ ସବୁ ଅଙ୍ଗୁଳି ପ୍ରତ୍ୟେକ କାଶ୍ମୀରୀଙ୍କ ଆଡ଼କୁ ନିର୍ଦ୍ଦେଶ କରୁଛି । ଆମେ ଆଉ କେତେଦିନ ଏପରି ଜବାବଦେହି ହୋଇଥିବୁ? ସେଦିନ କେବେ ଆସିବ, ଯେବେ ଆମେ ନିଜକୁ ହିନ୍ଦୁସ୍ଥାନୀ ବୋଲି ଅନୁଭବ କରିବୁ? ଡାକ୍ତରମାନେ କାହିଁକି ଏ ବାଟ ଆପଣାଇ ନେଉଛନ୍ତି?” ୟା’ମାନେ କ’ଣ ସେହି କାଶ୍ମୀର ଡାକ୍ତରମାନେ ଉଗ୍ରବାଦୀରେ ପରିଣତ ହେବାପାଇଁ ବାକି ଭାରତୀୟମାନେ ଦାୟୀ! ଏପରି ବ୍ୟାଖ୍ୟାନ ନିଶ୍ଚିତ ଭାବେ ଅତି ମାରାତ୍ମକ । ଚିଦାମ୍ବରମ, ଅବଦୁଲ୍ଲାଙ୍କ ପରି ନେତାଙ୍କ ଚିନ୍ତାଧାରାର ବିଷକୁ ଯଦି ବ୍ୟାପିବାକୁ ଦିଆଯିବ ଏକଦା ଦେଶର ଏକତା, ଅଖଣ୍ଡତା ନିଶ୍ଚୟ ନିଶ୍ଚିହ୍ନ ହୋଇଯିବ । ଏଣୁ ମୂଳରୁ ମାରାତ୍ମକ ଚିନ୍ତାଧାରାର ନିପାତ ନିହାତି ଆବଶ୍ୟକ ।