ବେଙ୍ଗାଲୁରୁ ୧୬/୧୨: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ କାରଣକୁ ନେଇ ଝଗଡ଼ାର ଅନେକ ନଜିର ରହିଛି । କିନ୍ତୁ ପୋଷା ବିଲେଇ ଯେ ଏଭଳି ଝଗଡ଼ାର ଏକ କାରଣ ହେବ ତାହା ହୁଏତ କେହି ଭାବି ନ ଥିବେ । ସେହିଭଳି ଏକ ଘଟଣା ବେଙ୍ଗାଲୁରୁରୁ ସାମ୍ନାକୁ ଆସିଛି । ସ୍ୱାମୀ ଜଣକ ପୋଷା ବିଲେଇକୁ ଅଧିକ ଭଲ ପାଉଥିବାରୁ ତାଙ୍କ ସ୍ତ୍ରୀ ମାମଲା କରିଛନ୍ତି । ବିଲେଇ ପାଇଁ ସ୍ୱାମୀ ତାଙ୍କୁ ଅବହେଳା କରୁଥିବା ସ୍ତ୍ରୀ ଅଭିଯୋଗ ଆଣିଛନ୍ତି । ସ୍ୱାମୀ ଅଧିକ ସମୟ ବିଲେଇକୁ ଦେବା, ବିଲେଇ ଘରେ ଭଙ୍ଗାରୁଜା କରିବା ଏବଂ ମହିଳାଙ୍କୁ ଆକ୍ରମଣ କରିବା ଆଦିକୁ ନେଇ ଦମ୍ପତିଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ହେଉଥିଲା । ପରେ ତାହା ବଢ଼ି ଥାନା ଏବଂ କୋର୍ଟରେ ପହଞ୍ଚିଛି । ଘଟଣାରେ ପୁଲିସ ଯୌତୁକ ଏବଂ ଘରୋଇ ହିଂସା ନେଇ ମାମଲା କରିଥିଲା । ମାମଲା କୋର୍ଟକୁ ଯିବା ପରେ ବିସ୍ତୃତ ଘଟଣା ଜଣାପଡ଼ିଛି । 

କର୍ଣ୍ଣାଟକ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଏମ୍‌ ନାଗପ୍ରସନ୍ନା କହିଥିଲେ, ମହିଳାଙ୍କ ସ୍ୱାମୀ ଅଧିକାଂଶ ସମୟ ବିଲେଇକୁ ଦେବାକୁ ନେଇ ମହିଳା ଜଣକ ରାଗୁଥିଲେ । ଏହାକୁ ନେଇ ଉଭୟଙ୍କ ଭିତରେ ଅନେକ ସମୟରେ ଝଗଡ଼ା ହେଉଥିଲା । ବିଲେଇଟି ମହିଳାଙ୍କୁ ଖଣ୍ଡିଆଖାବରା କରିବା, ଆକ୍ରମଣ କରିବାକୁ ନେଇ ମଧ୍ୟ କଳିଝଗଡ଼ା ହେଉଥିଲା । ଏହାକୁ କେନ୍ଦ୍ର କରି ମହିଳାଜଣକ ସ୍ୱାମୀଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ ।

ହାଇକୋର୍ଟ ଏହା ଜାଣିବା ପରେ ଏହାକୁ ସାମାନ୍ୟ ଘରୋଇ କଳି କହିବା ସହ ସ୍ୱାମୀଙ୍କ ବିରୋଧରେ ଲାଗିଥିବା ଘରୋଇ ହିଂସା ମାମଲା ଲାଗୁ ହେଉନାହିଁ ବୋଲି କହିଥିଲେ । ଏଭଳି ଛୋଟମୋଟ ମାମଲା ନ୍ୟାୟପାଳିକାଙ୍କ ସମୟ ଅଯଥା ନଷ୍ଟ କରୁଛି ବୋଲି ହାଇକୋର୍ଟ ଟିପ୍ପଣୀ ଦେଇଥିଲେ । ଏହି ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିବା ପରେ ଏ ନେଇ ଅନେକେ ସେମାନଙ୍କ ମତ ରଖିଛନ୍ତି । ଛୋଟ ଛୋଟ କଥାରୁ କିପରି ଘଟଣା ବଢ଼ିପାରେ ତାହାର ଏହା ଜ୍ୱଳନ୍ତ ଉଦାହରଣ ବୋଲି ୟୁଜର୍ସ କମେଣ୍ଟ ଦେଇଛନ୍ତି ।