ନୂଆଦିଲ୍ଲୀ: ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଦେଶରେ ଇସଲାମିକ ପୋଷାକ ବିରୋଧରେ ଏକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସେ ଏକ ନୂତନ ବିଲ୍ ଆଗତ କରିଛନ୍ତି ଯାହା ବୁର୍ଖା ଏବଂ ଅନ୍ୟାନ୍ୟ ଇସଲାମିକ ପୋଷାକ ଉପରେ ପ୍ରତିବନ୍ଧକ ପ୍ରସ୍ତାବ ରଖିଛି। ବିଲ୍ ରେ ପ୍ରସ୍ତାବ ଦିଆଯାଇଛି ଯେ, ସ୍କୁଲ, ବିଶ୍ୱବିଦ୍ୟାଳୟ, ଦୋକାନ ଏବଂ କାର୍ଯ୍ୟାଳୟ ଭଳି ସାର୍ବଜନୀନ ସ୍ଥାନରେ ଇସଲାମିକ ପୋଷାକ ପିନ୍ଧିଲେ ଜରିମାନା କରାଯିବ।
ପ୍ରଧାନମନ୍ତ୍ରୀ ମେଲୋନି, ଯିଏ ନିଜର କଠୋର ପ୍ରବାସୀ ନୀତି ଏବଂ ପାରମ୍ପରିକ ଇଟାଲୀୟ ମୂଲ୍ୟବୋଧର ରକ୍ଷା ପାଇଁ ଜଣାଶୁଣା । ଇସଲାମିକ ପୋଷାକ ସମ୍ପର୍କିତ ସୁରକ୍ଷା ଏବଂ ପରିଚୟ ଚିନ୍ତା ହେତୁ ଏହି ପ୍ରସ୍ତାବ ସେ ଦେଇଛନ୍ତି। ଏହା ଉପରେ ସେ ଯୁକ୍ତି ରଖିଛନ୍ତି ଯେ, ବୁର୍ଖା କିମ୍ବା ନିକାବ ଭଳି ଏପରି ପୋଷାକ କେବଳ ମହିଳାଙ୍କ ସ୍ୱାଧୀନତାକୁ ପ୍ରତିବନ୍ଧିତ କରେ ନାହିଁ ବରଂ ସାମାଜିକ ଏବଂ ସାଂସ୍କୃତିକ ସମନ୍ୱୟକୁ ମଧ୍ୟ ବାଧା ଦିଏ। ମେଲୋନିଙ୍କ ପ୍ରସ୍ତାବକୁ ଇଟାଲୀୟ ମୂଲ୍ୟବୋଧକୁ ସୁରକ୍ଷା ଦେବା ପାଇଁ ଏକ ଆବଶ୍ୟକୀୟ ପଦକ୍ଷେପ ଭାବରେ ବର୍ଣ୍ଣନା କରାଯାଉଛି।
ବିଲ୍ ରେ ଏହା ମଧ୍ୟ କୁହାଯାଇଛି ଯେ ସାର୍ବଜନୀନ ସ୍ଥାନରେ ଏପରି ପୋଷାକ ପିନ୍ଧିଥିବା ଲୋକଙ୍କୁ ଜରିମାନା ଦେବାକୁ ପଡିବ। ଜରିମାନାର କୌଣସି ନିର୍ଦ୍ଦିଷ୍ଟ ପରିମାଣ ଏପର୍ଯ୍ୟନ୍ତ ପ୍ରଦାନ କରାଯାଇ ନାହିଁ, କିନ୍ତୁ ଏହାକୁ ସାର୍ବଜନୀନ ସୁରକ୍ଷା ଦୃଷ୍ଟିକୋଣରୁ ଗମ୍ଭୀର ବିବେଚନା କରାଯାଉଛି। ମେଲୋନି କହିଛନ୍ତି ଯେ ଏହି ଆଇନର ଲକ୍ଷ୍ୟ ମହିଳା ମାନଙ୍କ ସୁରକ୍ଷା ଏବଂ ଅଧିକାରକୁ ସୁରକ୍ଷା ଦେବା ସହିତ ଇଟାଲୀରେ ଏକତା ଏବଂ ସମାନତା ସୁନିଶ୍ଚିତ କରିବା।
ମେଲୋନିଙ୍କ ପ୍ରସ୍ତାବ ବିଭିନ୍ନ ପ୍ରତିକ୍ରିୟା ଆଣିଛି। ତାଙ୍କ ସମର୍ଥକମାନେ କହିଛନ୍ତି ଯେ ଏହି ପଦକ୍ଷେପ ଇଟାଲୀର ସାଂସ୍କୃତିକ ପରିଚୟ ଏବଂ ସ୍ୱାଧୀନତାକୁ ସଂରକ୍ଷଣ କରିବା ପାଇଁ ଆବଶ୍ୟକ। ତଥାପି, ବିରୋଧୀ ଦଳ ଏବଂ ମାନବାଧିକାର ସଂଗଠନ ଗୁଡ଼ିକ ଏହି ପଦକ୍ଷେପକୁ ସମାଲୋଚନା କରିଛନ୍ତି, କହିଛନ୍ତି ଯେ ଏହା ମୁସଲମାନ ମହିଳାଙ୍କୁ ଟାର୍ଗେଟ କରେ ଏବଂ ସେମାନଙ୍କ ବ୍ୟକ୍ତିଗତ ସ୍ୱାଧୀନତାରେ ହସ୍ତକ୍ଷେପ କରେ। ସେମାନେ ଏହାକୁ ପକ୍ଷପାତପୂର୍ଣ୍ଣ ଏବଂ ଅସମ୍ବେଦନଶୀଳ ବୋଲି ବିବେଚନା କରିଛନ୍ତି । ସେମାନେ ସେମାନଙ୍କ ଧାର୍ମିକ ବିଶ୍ୱାସ ଯୋଗୁଁ ଏହି ପୋଷାକ ପିନ୍ଧନ୍ତି ବୋଲି କହିଛନ୍ତି ।