ନୂଆଦିଲ୍ଲୀ,୧୩/୦୨; ପ୍ରଥମ ଥର ପାଇଁ ଟିଟ୍ୱେଣ୍ଟି ବିଶ୍ୱକପ୍ରେ ଯୋଗ୍ୟତା ଅର୍ଜନ କରିଥିବା ଇଟାଲୀ ଐତିହାସିକ ବିଜୟ ହାସଲ କରିଛି । ୱାଙ୍ଖଡ଼େ ଷ୍ଟାଡ଼ିୟମ୍ରେ ଅନୁଷ୍ଠିତ ଗ୍ରୁପ୍ ସି’ର ଏକ ମ୍ୟାଚରେ ଦଳ ୧୦ ୱିକେଟ୍ରେ ନେପାଳକୁ ହରାଇଥିଲା । ନେପାଳ ପ୍ରଥମ ମ୍ୟାଚରେ ଇଂଲଣ୍ଡ ଭଳି ଶକ୍ତିଶାଳୀ ଦଳକୁ ପାଣି ପିଆଇ ଦେଇଥିଲା । ମାତ୍ର ଇଟାଲୀ ବିପକ୍ଷରେ ବେପରବାୟ ଖେଳ ପ୍ରଦର୍ଶନ କରି ପରାଜିତ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ନେପାଳ ୧୯.୩ ଓଭରରେ ୧୨୩ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଜବାବରେ ଇଟାଲୀ ୧୨.୪ ଓଭରରେ କୌଣସି ୱିକେଟ୍ ନ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ଗ୍ରୁପ୍ ସି’ ପଏଣ୍ଟ ତାଲିକାରେ ଇଟାଲୀ ବର୍ତ୍ତମାନ ତୃତୀୟ ସ୍ଥାନ ଦଖଲ କରିଛି । ଇଂଲଣ୍ଡ ଚତୁର୍ଥକୁ ଖସିଛି । ୱେଷ୍ଟ ଇଣ୍ଡିଜ ଶୀର୍ଷରେ ରହିଥିବାବେଳେ ସ୍କଟଲାଣ୍ଡ ଦ୍ୱିତୀୟ ସ୍ଥାନ ବଜାୟ ରଖିଛି ।
ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ନେପାଳ ବ୍ୟାଟରମାନେ ବେପରବାୟ ବ୍ୟାଟିଂ କରିଥିଲେ । ୪୯ ରନ୍ରେ ୩ଟି ୱିକେଟ୍ ହରାଇବା ପରେ ମଧ୍ୟ ଦଳ ଚେତି ନଥିଲା । ସବୁ ବ୍ୟାଟର ଛକା ମାରିବାକୁ ଯାଇ ଇଟାଲୀ ବୋଲରଙ୍କୁ ୱିକେଟ୍ ଉପହାର ଦେଇଥିଲେ । ଶେଷରେ ନେପାଳ ୧୨୩ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଆରିଫ ଶେଖ ସର୍ବାଧିକ ୨୭ ରନ କରିଥିବାବେଳେ ରୋହିତ ପୌଡ଼େଲ ୨୩, ଆସିଫ ଶେଖ ୨୦ ଓ କରଣ କେସି ଅପରାଜିତ ୧୮ ରନ କରିଥିଲେ ।
India and Sri Lanka record second straight win at #T20WorldCup even as Italy register a memorable victory in Mumbai 👌
— ICC (@ICC) February 12, 2026
Day's report 👇https://t.co/ENEdhHYC0M
ଏହା ବି ପଢନ୍ତୁ...ଏଫଆଇଏଚ୍ ହକି ପ୍ରୋ ଲିଗ୍, ଆର୍ଜେଣ୍ଟିନାଠୁ ୮-୦ ଗୋଲ୍ରେ ହାରିଲା ଭାରତ
ଇଟାଲୀର ଦୁଇ ସ୍ପିନର କ୍ରିଷନ କାଳୁଗାମାଗେ ୩ଟି ଓ ବେନ ମାନେଣ୍ଟି ୯ ରନରେ ୨ଟି ୱିକେଟ୍ ନେଇଥିଲେ । ଜବାବରେ ଇଟାଲୀର ମୋସ୍କା ଭ୍ରାତା ଜଷ୍ଟିନ ଓ ଆନ୍ଥୋନି ବିସ୍ଫୋରକ ବ୍ୟାଟିଂ କରି କିଛି କ୍ଷଣ ମଧ୍ୟରେ ନେପାଳ ହାତରୁ ମ୍ୟାଚ ଛଡ଼ାଇ ନେଇଥିଲେ । ନେପାଳ ବୋଲର ଏହି ଯୋଡ଼ି ଭାଙ୍ଗି ପାରି ନଥିଲେ । ଉଭୟ ୭.୨ ଓଭର ଖେଳ ବାକି ଥାଇ ଦଳକୁ ବିଜୟୀ କରାଇଥିଲେ । ଜଷ୍ଟିନ ୪୪ଟି ବଲ୍ରେ ୫ଚୌକା ଓ ୩ ଛକା ବଳରେ ୬୦ ରନ କରିଥିଲେ । ଆନ୍ଥୋନି ୩୨ଟି ବଲ୍ରୁ ୩ ଚୌକା ଓ ୬ ଛକା ବଳରେ ୬୨ ରନ ପାଳି ଖେଳିଥିଲେ ।