ଭୁବନେଶ୍ୱର,୧୯/୫ : ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଏକ ୪ଜଣିଆ ଛାତ୍ରଛାତ୍ରୀ ଟିମ୍ ‘ଟେକ୍ଜିଅମ୍ ୨୦୨୬’କାର୍ଯ୍ୟକ୍ରମରେ ସମ୍ମାନ ଜନକ ‘ପିପୁଲ୍ସ ଚଏସ୍ ଆୱାର୍ଡ଼’ ବିଜେତା ହୋଇଛନ୍ତି । ଏଲଆଣ୍ଡଟି ଟେକ୍ନୋଲଜି ସର୍ଭିସେସ୍ (ଏଲ୍ଟିଟିଏସ୍) ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାର ନବମ ସଂସ୍କରଣର ଗ୍ରାଣ୍ଡ ଫିନାଲେ ଗତ ୧୪ ଏବଂ ୧୫ତାରିଖରେ ମହୀଶୂରସ୍ଥିତ ଏଲଟିଟିଏସ୍ କ୍ୟାମ୍ପସ୍ରେ ଆୟୋଜିତ ହୋଇଥିଲା । ଶିଳ୍ପ ଏବଂ ଶିକ୍ଷା କ୍ଷେତ୍ର ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବାର ଲକ୍ଷ୍ୟ ନେଇ ଓ ଉଦ୍ଭାବନ କ୍ଷେତ୍ରରେ ଯୁବପିଢ଼ିଙ୍କୁ ଏଆଇ, ରୋବୋଟିକ୍ସ ଏବଂ ସ୍ମାର୍ଟ ମ୍ୟାନୁଫ୍ୟାକ୍ଚରିଂ କ୍ଷେତ୍ରରେ ଅଧିକ ନିୟୋଜିତ କରିବାର ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ ।

ଏହି କାର୍ଯ୍ୟକ୍ରମରେ ସୋଆ ଏବଂ ଅଟଳ ଇନୋଭେସନ୍ ସେଂଟର – ସୋଆ ଫାଉଣ୍ଡେସନ୍ର ବିଶେଷ ସଫଳତା ପରିଲକ୍ଷିତ ହୋଇଥିଲା । କୌସ୍ତଭ ବେରା, ତନିସ୍କ ଭାକୁନି, ଶ୍ୱେତାଞ୍ଜନା ମାଇତି ଏବଂ ଆୟନ୍ ଭଟ୍ଟାଚାର୍ଜୀଙ୍କୁ ନେଇ ଗଠିତ ଟିମ୍ର ମାର୍ଗଦର୍ଶନ କରିଥିଲେ ଡକ୍ଟର ଅୟସ ଚିନ୍ମୟ । ଏହି ଟିମ୍ ତାଙ୍କର ଅଭିନବ ପ୍ରକଳ୍ପ ‘ଚିରଞ୍ଜିବୀ’ ନିମନ୍ତେ ବିଜୟୀ ହୋଇଥିଲେ । ସାରା ଦେଶରୁ ପ୍ରାୟ ୫୪୦ରୁ ଊର୍ଦ୍ଧ୍ୱ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନର ୬୨ହଜାର ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଦୀର୍ଘ ୯ମାସ ଧରି ଏହି ଯାତ୍ରା ଜାରୀ ରହିଥିବାବେଳେ ଏଲ୍ଟିଟିଏସ୍ର ଇଞ୍ଜିନିୟର ଏବଂ ଶିଳ୍ପ କ୍ଷେତ୍ରର ମେଂଟରମାନେ ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶନ କରାଇଥିଲେ । ବିଭିନ୍ନ ପର୍ଯ୍ୟାୟ ପରେ ୩୪ଟି ଟିମ୍ ଫାଇନାଲ୍ ଷ୍ଟେଜ୍ରେ ପହଂଚିଥିଲେ ଏବଂ ତାଙ୍କର ଅଭିନବ କାର୍ଯ୍ୟ, ଶିଳ୍ପ, ଶିକ୍ଷା ଏବଂ ବିଶ୍ଳେଷଣ କ୍ଷେତ୍ରର ନେତୃବର୍ଗଙ୍କୁ ନେଇ ଗଠିତ ବିଶିଷ୍ଟ ବିଚାରକ ମଣ୍ଡଳୀ ସମ୍ମୁଖରେ ପ୍ରଦର୍ଶନ କରିଥିଲେ । ବିଜେତାମାନଙ୍କୁ ୧୮ଲକ୍ଷରୁ ଊର୍ଦ୍ଧ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା ।

ସିଏସ୍ଆଇଆର-ନ୍ୟାସ୍ନାଲ୍ ଏରୋସ୍ପେସ୍ ଲାବାରୋଟୋରିଜ୍ର ପଦ୍ମଶ୍ରୀ ବିଜେତା ଡକ୍ଟର ଶୁଭା ଭି. ଆୟଙ୍ଗାର ଯିଏକି ଭାରତର ସ୍ୱଦେଶୀ ରନ୍ୱେ ଭିଜିବିଲିଟି ସିଷ୍ଟମ୍ ‘ଦ୍ରିଷ୍ଟି’କୁ ବିକଶିତ କରିଛନ୍ତି ସିଏ ଶେଷ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଟେକ୍ଜିଅମ୍ ମୁଖ୍ୟତଃ ଶିକ୍ଷା ଓ ଶିଳ୍ପ କ୍ଷେତ୍ରରେ ଥିବା ଦୂରତ୍ୱକୁ ଯୋଡ଼ିବା ସହ ଛାତ୍ରଛାତ୍ରୀମାନଙ୍କୁ ଇଞ୍ଜିନିୟରିଂ କ୍ଷେତ୍ରରେ ଉତ୍କର୍ଷ ଆଣିବାରେ ସକ୍ଷମ ହୋଇପାରିଛି । ଆଇଟିଇଆର ଟିମ୍ ନିଜ ସଫଳତା ଦ୍ୱାରା ଅନୁଷ୍ଠାନ କିଭଳି ଇଞ୍ଜିନିୟରିଂ ଶିକ୍ଷା, ଗବେଷଣା, କୃତ୍ରିମ ବୁଦ୍ଧିମତା, ରୋବୋଟିକ୍ସ, ନବୀକରଣ ଶକ୍ତି ଏବଂ ନୂତନ ବୈଷୟିକ ଜ୍ଞାନକୌଶଳକୁ ନେଇ ଉତ୍କର୍ଷ କେନ୍ଦ୍ର ପାଲଟିଛି ତାହା ପ୍ରତିପାଦିତ କରିଥିଲେ ।

ଏଆଇସି-ସୋଆ ଫାଉଣ୍ଡେସନ୍, (ଅଟଳ ଇନ୍କ୍ୟୁବେସନ୍ ସେଂଟର)ଯାହାକି ନୀତି ଆୟୋଗ ଅଧିନସ୍ଥ ଅଟଳ ଇନୋଭେସନ୍ ମିଶନ୍ ଦ୍ୱାରା ପରିଚାଳିତ ତାହା ଷ୍ଟାର୍ଟ ଅପ୍, ଡିପ୍ ଟେକ୍ ଇନୋଭେସନ୍, ମେନ୍ଟୋରିଂ ଏବଂ ଇନ୍କ୍ୟୁବେସନ୍ ଭଳି କାର୍ଯ୍ୟରେ ନିଜର ଉତ୍କର୍ଷତା ପ୍ରଦର୍ଶନ କରୁଛି ।