ହରଭଙ୍ଗା, ୨୬।୨ : କୁସଙ୍ଗ ଆଞ୍ଚଳିକ ଜଗନ୍ନାଥ ମନ୍ଦିରରେ ରତ୍ନମୁଦ, ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ବିଜେ ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିସହ ଭକ୍ତିମୟ ପରିବେଶରେ ୩୦ଫୁଟ ର ନୀଳଚକ୍ର ବାନା ସ୍ଥାପନ କରାଯାଇଛି। ଶତାଧିକ ମହିଳା ମହାନଦୀ ଘାଟ କୁମାରୀରୁ କଳସରେ ପବିତ୍ର ଜଳ ଆଣି ନାମ ସଂକୀର୍ତନ ଓ ଘଣ୍ଟ-ଘଣ୍ଟା ବାଦ୍ୟର ମଧ୍ୟରେ ଯଜ୍ଞ ମଣ୍ଡପରେ ଅବସ୍ଥାପିତ କରିଥିଲେ। ପରେ ସୁନ୍ଦରକାଣ୍ଡ ପାଠ, ହୋମ ଯଜ୍ଞ, ଘୃତ ଯଜ୍ଞ, ନାମ ଯଜ୍ଞ ଓ ଅର୍ଣ୍ଣ ଯଜ୍ଞ ଭଳି ବିଭିନ୍ନ ବେଦିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ବେଦମନ୍ତ୍ର ଓ ପୂଜାର୍ଚ୍ଚନା ମଧ୍ୟରେ ବିଗ୍ରହମାନଙ୍କୁ ଗର୍ଭଗୃହରେ ବିଜେ କରାଯାଇଥିଲା। ଏହା ସହିତ ମନ୍ଦିର ଶିଖରରେ ୩୦ ଫୁଟର ପବିତ୍ର ନୀଳଚକ୍ର ଚଢ଼ାଯିବା ମୁହୂର୍ତ୍ତ ଭକ୍ତମାନଙ୍କ ପାଇଁ ଅତ୍ୟନ୍ତ ଆନନ୍ଦଦାୟକ ଓ ଐତିହାସିକ ଥିଲା।
ମନ୍ଦିର କମିଟିର ସଭାପତି ଅନାଦି ପ୍ରଧାନଙ୍କ ନେତୃତ୍ୱରେ ସମ୍ପାଦକ ଭଗବାନ ହୋତା, ଉପସଭାପତି କବିରାଜ ସାହୁ ସହ ସଦସ୍ୟ ଅକ୍ଷୟ ସାହୁ, ପ୍ରଫୁଲ୍ଲ ସାହୁ, ଅଭୟ ଭୋକ୍ତା, ଅର୍ଜୁନ ଖେତୀ, ନିସାମଣି ଖଟୁଆ, ଘାସିରାମ ରଣା, ରବୀନ୍ଦ୍ର ଦେହୁରୀ, ସଦାନନ୍ଦ ଡାଳୁଆ ଓ ଦୀନବନ୍ଧୁ ଦେହୁରୀ ଉତ୍ସବ ପରିଚାଳନାରେ ସକ୍ରିୟ ଭୂମିକା ନେଇଥିଲେ। ଏହି ପ୍ରତିଷ୍ଠା ଉତ୍ସବ କୁସଙ୍ଗ ଅଞ୍ଚଳରେ ଧାର୍ମିକ ଐକ୍ୟ, ସାମ୍ପ୍ରଦାୟିକ ସମନ୍ୱୟ ଓ ଆଧ୍ୟାତ୍ମିକ ଜାଗରଣର ଆରମ୍ଭ କରିଛି ।