ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯାଉଛି । ଟିମ୍ ଇଣ୍ଡିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଜିତି ୨-୦ରେ ଅଗ୍ରଣୀ ହାସଲ କରିଛି । ଏହି ସିରିଜରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଖୁବ ଚମତ୍କାର ରହିଛି । ସିରିଜର ତୃତୀୟ ମ୍ୟାଚ୍ ଅହମଦାବାଦରେ ଖେଳାଯିବ। ଏହି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ଇଂଲଣ୍ଡ ଦଳକୁ କ୍ଲିନ୍ ସୁଇପ୍ କରିବାକୁ ଚାହିଁବ । ସେହିଭଳି ଇଂଲଣ୍ଡ ଦଳ ତାର ପ୍ରଥମ ବିଜୟ ପାଇଁ ଚେଷ୍ଟା କରିବ । ଏହାରି ମଧ୍ୟରେ ପୂର୍ବତନ ବିସିସିଆଇ ସଚିବ ଏବଂ ବର୍ତ୍ତମାନର ଆଇସିସି ଅଧ୍ୟକ୍ଷ ଜୟ ଶାହ ଏହି ମ୍ୟାଚ୍ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । 

ଟିମ୍ ଇଣ୍ଡିଆ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ୧୨ ଫେବ୍ରୁଆରୀରେ ଆୟୋଜିତ ହେବ। ଏ ସମ୍ପର୍କରେ ଜୟ ଶାହ ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି।  ସେ ପୋଷ୍ଟ କରିଛନ୍ତି, ଏହି ମ୍ୟାଚ୍‌ ଅବସରରେ ‘ଅଙ୍ଗଦାନ କରନ୍ତୁ, ଜୀବନ ବଞ୍ଚାନ୍ତୁ’ ନାମକ ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ସେ ଲେଖିଛନ୍ତି ଯେ, ୧୨ ଫେବ୍ରୁଆରୀରେ ଅହମ୍ମଦାବାଦରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ୍ ଅବସରରେ, ଆମେ ଏକ ସଚେତନତା କାର୍ଯ୍ୟକ୍ରମ "ଅଙ୍ଗଦାନ କରନ୍ତୁ, ଜୀବନ ବଞ୍ଚାନ୍ତୁ" ଆରମ୍ଭ କରିବାକୁ ଯାଉଥିବାରୁ ଗର୍ବିତ ମନେ କରୁଛୁ । କ୍ରୀଡ଼ାରେ ପ୍ରେରଣା ଦେବା, ଏକତ୍ରିତ କରିବା ଏବଂ କ୍ଷେତ୍ର ବାହାରେ ଏକ ସ୍ଥାୟୀ ପ୍ରଭାବ ସୃଷ୍ଟି କରିବାର ଶକ୍ତି ଅଛି । ଏହି ପଦକ୍ଷେପ ମାଧ୍ୟମରେ, ଆମେ ସମସ୍ତଙ୍କୁ ସର୍ବୋତ୍ତମ ଉପହାର - ଜୀବନର ଉପହାର ଦେବା ପାଇଁ ଏକ ପଦକ୍ଷେପ ନେବାକୁ ଅନୁରୋଧ କରୁଛୁ। ଗୋଟିଏ ପ୍ରତିଶ୍ରୁତି, ଗୋଟିଏ ନିଷ୍ପତ୍ତି, ଅନେକ ଜୀବନ ବଞ୍ଚାଇପାରିବ । ଆସନ୍ତୁ ଏକାଠି ହୋଇ ଏକ ପରିବର୍ତ୍ତନ ଆଣିବା ।’




ସିରିଜର ତୃତୀୟ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ପ୍ଲେଇଂ ୧୧ରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ । ପ୍ରକୃତରେ, ଏହା ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟିମ୍ ଇଣ୍ଡିଆର ଶେଷ ମ୍ୟାଚ୍ ହେବାକୁ ଯାଉଛି । ଏପରି ପରିସ୍ଥିତିରେ, ରୋହିତ ଶର୍ମା ଏବଂ ଟିମ୍ ମ୍ୟାନେଜମେଣ୍ଟ ବେଞ୍ଚରେ ବସିଥିବା ଖେଳାଳିଙ୍କୁ ସୁଯୋଗ ଦେଇପାରେ । ଅର୍ଶଦୀପ ସିଂହ, ରିଷଭ ପନ୍ତ ଏବଂ ୱାଶିଂଟନ ସୁନ୍ଦରଙ୍କୁ ପ୍ଲେଇଂ ୧୧ରେ ସାମିଲ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏହି ତିନି ଜଣ ଖେଳାଳି ଚାମ୍ପିଅନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆରେ ସାମିଲ ଅଛନ୍ତି। 

ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ (ଉପ-ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ (ଓ୍ବିକେଟକିପର), ରିଷଭ ପନ୍ତ (ଓ୍ବିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ଯଶସ୍ୱୀ ଜୟସ୍ବାଲ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ମହମ୍ମଦ ଶାମି, ଅର୍ଶଦୀପ ସିଂହ, ୱାଶିଂଟନ ସୁନ୍ଦର, ହର୍ଷିତ ରାଣା ।