ନୂଆଦିଲ୍ଲୀ, ୧୧।୭: କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ପକ୍ଷରୁ ଜାତୀୟ ସଙ୍ଗୀତ, ଜାତୀୟ ଗୀତ, ରାଜ୍ୟ ଗୀତ ଏବଂ ବିଦେଶୀ ଗୀତ ଗାନକୁ ନେଇ ଏକ ନୂଆ ଗାଇଡଲାଇନ୍ ଜାରି କରାଯାଇଛି । ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଏବଂ ସାମୂହିକ ଗାନ ସମୟରେ କେଉଁ ନିୟମ ପାଳନ କରାଯିବ, ସେନେଇ ଏଥିରେ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି । ଗୃହ ମନ୍ତ୍ରଣାଳୟ କହିଛି ଯେ, ଯେତେବେଳେ ବି ଜାତୀୟ ସଙ୍ଗୀତ ବାଜିବ, ସେତେବେଳେ ଦର୍ଶକମାନେ ସାବଧାନ ମୁଦ୍ରାରେ ଠିଆ ହେବେ । ତେବେ ସିନେମା ହଲ୍ କିମ୍ବା ଫିଲ୍ମ ପ୍ରଦର୍ଶନକୁ ନେଇ ମନ୍ତ୍ରଣାଳୟ ଏକ ବଡ଼ କୋହଳ ନୀତି ଆପଣାଇଛି । ନିର୍ଦ୍ଦେଶନାମା ଅନୁଯାୟୀ, ଯଦି କୌଣସି ନ୍ୟୁଜ୍‌ ରିଲ୍ କିମ୍ବା ଡକ୍ୟୁମେଣ୍ଟାରୀ ଫିଲ୍ମର ଅଂଶ ବିଶେଷ ଭାବେ ଜାତୀୟ ସଙ୍ଗୀତ ବଜାଯାଏ, ତେବେ ସେଠାରେ ଦର୍ଶକମାନେ ଠିଆ ହେବା ଆବଶ୍ୟକ ନାହିଁ । କାରଣ ସେହି ସମୟରେ ଠିଆ ହେବା ଦ୍ୱାରା ଫିଲ୍ମ ପ୍ରଦର୍ଶନରେ ବାଧା ସୃଷ୍ଟି ହୋଇପାରେ ଏବଂ ଜାତୀୟ ସଙ୍ଗୀତର ଗରିମା ବଢ଼ିବା ପରିବର୍ତ୍ତେ ସେଠାରେ ଦ୍ୱନ୍ଦ୍ୱ ଓ ଅବ୍ୟବସ୍ଥା ସୃଷ୍ଟି ହେବାର ଆଶଙ୍କା ରହିଛି ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ଜାତୀୟ ଗୀତ ଏବଂ ଜାତୀୟ ସଙ୍ଗୀତ ଗାନ କରିବା କିମ୍ବା ବଜାଇବା ସମୟରେ ସେଗୁଡ଼ିକର ସଠିକ୍ ପାଠ, ସଠିକ୍ ଲିପି ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଶୁଦ୍ଧ ଉଚ୍ଚାରଣକୁ କଡ଼ାକଡ଼ି ଭାବେ ପାଳନ କରାଯିବ । କେନ୍ଦ୍ର ସରକାରୀ କାର୍ଯ୍ୟାଳୟ ଏବଂ ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ଏହି ନୂଆ ନିର୍ଦ୍ଦେଶ ଜାରି କରାଯାଇଛି । କେଉଁ କେଉଁ ଅବସରରେ ଏହା ଗାନ କରାଯିବ, ତାର ଏକ ସମ୍ପୂର୍ଣ୍ଣ ତାଲିକା ମଧ୍ୟ ମନ୍ତ୍ରଣାଳୟ ନିଜ ୱେବସାଇଟ୍‌ ରେ ଉପଲବ୍ଧ କରାଇଛି ।

ଏହା ବି ପଢ଼ନ୍ତୁ... ଭାରତ ଆସୁଥିବା ଏଲପିଜି ଟ୍ୟାଙ୍କର ଉପରେ ଇରାନ କରିଥିଲା ମିସାଇଲ ହମଲା ? ଜାଣନ୍ତୁ ଭାଇରାଲ ଦାବି ପଛର ସତ

କେଉଁ କେଉଁ ମହୋତ୍ସବରେ ବାଜିବ ଜାତୀୟ ଗୀତ/ସଙ୍ଗୀତ ?

ନୂଆ ଆଦେଶ ଅନୁଯାୟୀ କିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମଗୁଡ଼ିକରେ ଏହାକୁ ଗାନ କରାଯିବ । ନାଗରିକ ସମ୍ମାନ ସମାରୋହ, ଆନୁଷ୍ଠାନିକ ରାଜ୍ୟ କାର୍ଯ୍ୟକ୍ରମ ଏବଂ ଅନ୍ୟ ସରକାରୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ଆଗମନ ଏବଂ ପ୍ରସ୍ଥାନ ସମୟରେ । ଅଲ୍ ଇଣ୍ଡିଆ ରେଡିଓ ଏବଂ ଟେଲିଭିଜନ ମାଧ୍ୟମରେ ରାଷ୍ଟ୍ରପତି ଦେଶବାସୀଙ୍କୁ ସମ୍ବୋଧନ କରିବାର ଠିକ୍ ପୂର୍ବରୁ ଏବଂ ପରେ । ରାଜ୍ୟ ଭିତରେ ହେଉଥିବା ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଉପ-ରାଜ୍ୟପାଳଙ୍କ ଆଗମନ ଓ ପ୍ରସ୍ଥାନ ସମୟରେ । ଯେତେବେଳେ ପରେଡ୍‌ ରେ ଜାତୀୟ ପତାକାକୁ ଅଣାଯିବ, ସେତେବେଳେ ମଧ୍ୟ ଏହାକୁ ବଜାଯିବ । କିଛି ରାଜ୍ୟରେ ଜାତୀୟ ସଙ୍ଗୀତ/ଜାତୀୟ ଗୀତ ସହିତ ନିଜ ରାଜ୍ୟର 'ରାଜ୍ୟ ଗୀତ' ଯେପରି ଓଡ଼ିଶାରେ ବନ୍ଦେ ଉତ୍କଳ ଜନନୀ ମଧ୍ୟ ଗାନ କରାଯାଇଥାଏ । ନୂଆ ନିର୍ଦ୍ଦେଶରେ କୁହାଯାଇଛି ଯେ, ଯେତେବେଳେ ବି କୌଣସି ରାଜ୍ୟ ଗୀତକୁ ଜାତୀୟ ସଙ୍ଗୀତ ସହ ବଜାଯିବ, ସେତେବେଳେ ପ୍ରଥମେ ଜାତୀୟ ଗୀତ/ଜାତୀୟ ସଙ୍ଗୀତ ଗାନ କରାଯିବ ଏବଂ ତା' ପରେ ଯାଇ ରାଜ୍ୟ ଗୀତ ପରିବେଷଣ କରାଯିବ ।