ଜୟପୁର, ୯।୭: ରାଜସ୍ଥାନ ରାଜଧାନୀ ଜୟପୁରରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ନିଜ ମା’ କୁ ହତ୍ୟା କରିବାକୁ ୭ ଲକ୍ଷର ସୁପାରୀ ଦେଇଥିବା ଝିଅ ଆୟୁଷୀ ଶର୍ମାର କଳା କାରନାମାର ପର୍ଦ୍ଦାଫାଶ ହୋଇଛି । କେବଳ ମା’ ନୁହେଁ, ସାନ ଭାଇକୁ ଜିଅନ୍ତା ଜାଳି ମାରିଦେବାକୁ ସାଂଘାତିକ ଯୋଜନା କରିଥିଲା ଆୟୁଷୀ । କିଛି ଦିନ ପୂର୍ବରୁ ସେମାନଙ୍କୁ ଜୀଅନ୍ତା ଜାଳିଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ସଫଳତା ମିଳିନଥିଲା । ଶେଷରେ ମା’ ନୀରଜ ଶର୍ମାଙ୍କୁ ଏକ ସ୍କର୍ପିଓ ଗାଡ଼ିରେ ଧକ୍କା ଦେଇ ହତ୍ୟା କରାଯାଇଛି । ପ୍ରଥମେ ଏହାକୁ ଏକ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରାଯାଇଥିଲା, ହେଲେ ପୁଲିସର ତଦନ୍ତରେ ଆୟୁଷୀର ସବୁ ଯୋଜନା ସାମନାକୁ ଆସିଛି ।

ମା’ ନୀରଜ ଶର୍ମାଙ୍କୁ ଯେକୌଣସି ପରିସ୍ଥିତିରେ ବି ହତ୍ୟା କରିବା ପାଇଁ ଆୟୁଷୀ ଶର୍ମା ସୁପାରୀ କିଲରମାନଙ୍କୁ କହିଥିଲା । ପ୍ରାୟ ମାସେ ପୂର୍ବରୁ ଥାର୍ ଗାଡ଼ି ଚଢ଼ାଇ ମାରିବାକୁ ଚେଷ୍ଟା କରାଯାଇଥିଲା ହେଲେ ତାହା ବିଫଳ ହୋଇଥିଲା । ଏହାପରେ ଜୁନ୍ ୨୭ ରେ ମା’ ଏବଂ ଭାଇକୁ ଜୀଅନ୍ତା ଜାଳିଦେବାକୁ ପ୍ଲାନ୍ ପ୍ରସ୍ତୁତ ହୋଇଥିଲା । ଯୋଜନା ମୁତାବକ ଆୟୁଷୀ ନିଜେ ଘରୁ ବାହାରି ଚାଲିଯାଇଥିଲା । ଏହାପରେ ଅଭିଯୁକ୍ତ ଆକାଶ ଆୟୁଷୀଙ୍କ ଘର ଭିତରକୁ ନିଆଁ ଜଳୁଥିବା ଜିନିଷ ଫିଙ୍ଗିଥିଲା, ଯେପରି ନିଆଁ ଲାଗି ମା’ଓ ଭାଇ ଜୀଅନ୍ତା ଜଳି ମରିଯିବେ । ସିସିଟିଭି ଫୁଟେଜ୍ ଅନୁସାରେ, ଜୁନ୍ ୨୭ ଦ୍ୱିପହର ପ୍ରାୟ ୧ଟା ସମୟରେ ଅଭିଯୁକ୍ତ ଆକାଶ ପ୍ରଥମେ ଆୟୁଷୀଙ୍କ ଘର ବାହାରୁ ଏକ ନଡ଼ିଆ ଫିଙ୍ଗିଥିଲା । ସେହି ନଡ଼ିଆରେ କପଡ଼ା ଏବଂ ନାଲି ସୂତା ଗୁଡ଼ା ହୋଇଥିଲା । ଏହାପରେ ଜଳନ୍ତା କପଡ଼ାର ଗୁଳା ଘର ଭିତରକୁ ଫିଙ୍ଗାଯାଇଥିଲା । ତେବେ ସେହି ଜଳନ୍ତା କପଡ଼ା ଗୁଡ଼ିକ ଘରର ପାହାଚ ଉପରେ ପଡ଼ିଥିଲା । ଘରେ ଥିବା ଆୟୁଷୀଙ୍କ ଭାଇ ସେହି ଜଳନ୍ତା କପଡ଼ାର ମୋବାଇଲ୍ ଭିଡିଓ ରେକର୍ଡିଂ କରିନେଇଥିଲେ, ଯାହାକୁ ଏବେ ପୁଲିସ ଜବତ କରିଛି ।

ପୂରା ଖବର ଜାଣିବାକୁ କମେଣ୍ଟରେ ଲିଙ୍କ୍... Live-in Relationship : ଲିଭ୍-ଇନ୍ ପାର୍ଟନରଙ୍କୁ ଛାଡ଼ିବା ହେବନି ସହଜ, ଏଣିକି No ବ୍ରେକଅପ୍ ...

ଦୁଇ ଦୁଇ ଥର ହତ୍ୟା ଉଦ୍ୟମ ବିଫଳ ହେବା ପରେ, ତୃତୀୟ ପ୍ରୟାସରେ ମା’ ଙ୍କୁ ହତ୍ୟା କରାଯାଇଥିଲା । ୪ ଜୁଲାଇ ସନ୍ଧ୍ୟାରେ ମା’ ନୀରଜ ଶର୍ମା ଯେତେବେଳେ ନିଜ ପୁଅକୁ ଟ୍ୟୁସନ ଛାଡ଼ି ଫେରୁଥିଲେ, ସେତେବେଳେ ଅଭିଯୁକ୍ତ ମୋହିତ ଶର୍ମା ଗତିବିଧି ଉପରେ ନଜର ରଖି ସୂଚନା ଦେଇଥିଲା । ସୂଚନା ପାଇବା ମାତ୍ରେ ଆକାଶ ଦ୍ରୁତ ଗତିରେ ସ୍କର୍ପିଓ ଚଲାଇ ତାଙ୍କ ଉପରେ ଗାଡ଼ି ଚଢ଼ାଇ ହତ୍ୟା କରିଥିଲା । ସେହି ଗାଡ଼ିରେ ଅନ୍ୟତମ ଅଭିଯୁକ୍ତ ଅରବିନ୍ଦ ଶର୍ମା ମଧ୍ୟ ଉପସ୍ଥିତ ଥିଲା । ଏହାକୁ ଏକ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରାଯାଇଥିଲେ ବି ଆୟୁଷୀଙ୍କ ମାମୁଁ ରାକେଶ ପୁଲିସ ଆଗରେ ସନ୍ଦେହ ପ୍ରକାଶ କରିଥିଲେ । ପୁଲିସ ସମସ୍ତ ଦିଗକୁ ନେଇ ତଦନ୍ତ କରିବା ପରେ ପୂରା ସତ ସାମ୍ନାକୁ ଆସିଛି ।

ଏହି ଭୟାବହ ହତ୍ୟାକାଣ୍ଡ ମାମଲାରେ ପୁଲିସ ମୃତ ନୀରଜ ଶର୍ମାଙ୍କ ଝିଅ ଆୟୁଷୀ ଶର୍ମା ଏବଂ ତାଙ୍କ ବଡ଼ବାପା ମୋହନ ସ୍ୱରୂପଙ୍କୁ ଗିରଫ କରିଛି । ଏହା ସହିତ ଗାଡ଼ି ଚଢ଼ାଇଥିବା ଆକାଶ ଶର୍ମା, କାର୍‌ରେ ଥିବା ଅରବିନ୍ଦ ଶର୍ମା, ରେକି କରିଥିବା ମୋହିତ ଶର୍ମା, ସୁପାରୀ ନେଇଥିବା ହେମନ୍ତ ଶର୍ମା ଏବଂ ରୋହିତ ଜାଟବଙ୍କୁ ଗିରଫ କରାଯାଇଛି । ଏହି ହତ୍ୟାକାଣ୍ଡରେ ଆୟୁଷୀଙ୍କ ବଡ଼ବାପା ପୁଅ ବଳରାମ ଓରଫ୍ ରବି ମଧ୍ୟ ସାମିଲ ଅଛି, ଯାହାକୁ ପୁଲିସ ଏବେ ଖୋଜୁଛି । ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଥିବା ପୁଲିସ ଟିମ୍‌ କୁ ଡିସିପି ଇଷ୍ଟ ରଞ୍ଜିତା ଶର୍ମା ସାବାସୀ ଦେଇଛନ୍ତି । ଏହି ସଫଳ ତଦନ୍ତକାରୀ ଦଳରେ ଏଡିସନାଲ ଡିସିପି ଆଲୋକ ସିଂହଲ, ଏସିପି ହରିଶଙ୍କର ଶର୍ମା, ଇନ୍ସପେକ୍ଟର ପୂରଣ ମଲ୍ ଯାଦବ, ସବ୍-ଇନ୍ସପେକ୍ଟର ଗିରିରାଜ, ଏଏସଆଇ ବଳଦେବ, ହେଡ୍ କନଷ୍ଟେବଳ ଦୟାରାମ, ହେଡ୍ କନଷ୍ଟେବଳ ସୁଭାଷ, କନଷ୍ଟେବଳ ଗଣେଶ, ବିରଦୀ ଚନ୍ଦ, ଦିଲୀପ ସିଂହ, ଦିଲୀପ କୁମାର, ମୁକେଶ କୁମାର ଏବଂ ମହିଳା କନଷ୍ଟେବଳ ହଂସା ପ୍ରମୁଖ ସାମିଲ ଥିଲେ ।