ପୁରୀ,୦୯/୦୭: ବୁଧବାର ରାତି ୧୨ ଟା ୫ ମିନିଟ୍ ସୁଦ୍ଧା ଲଗାତାର ୧୮୪ ଘଣ୍ଟା ହେଲା ଶ୍ରୀମନ୍ଦିରରେ ପହୁଡ଼ ନୀତି ହୋଇ ନାହିଁ । ଅର୍ଥାତ୍ ୭ ଦିନ ହେଲା ଠାକୁରେ ଶୋଇନାହାନ୍ତି । ମହାପ୍ରଭୁଙ୍କ ଅନବସର ସେବା କ୍ରମରେ ୩୦ ତାରିଖର ପହୁଡ଼ ନୀତି ପରଦିନ ପ୍ରାତଃ ୫ଟାରେ ହୋଇ ଗତ ୧ ତାରିଖ ସକାଳ ୮ଟା ୫ରେ ଶ୍ରୀମନ୍ଦିର ଦ୍ୱାର ଫିଟିଥିଲା । ସେହି ସମୟରୁ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଠାକୁରଙ୍କ ପହୁଡ଼ ନୀତି ହୋଇ ନାହିଁ କିମ୍ବା ଠାକୁରେ ନିଦ୍ରା ଯାଇନାହାନ୍ତି । ଗତ ଜୁନ୍ ୨୯ ତାରିଖ ସ୍ନାନଯାତ୍ରାର ନୀତି ବହୁଳତା ଦୃଷ୍ଟିରୁ ପହୁଡ଼ ସମ୍ଭବ ନଥିଲା । ପରେ ଅଣସର ନୀତିକୁ ୧୦ ଦିନ ବିତୁଥିବା ସ୍ଥଳେ ମାତ୍ର ଦିନଟିଏ ଠାକୁରେ ଶୋଇଛନ୍ତି । ବୁଧବାର ଶ୍ରଦ୍ଧାଳୁମାନେ ଅବଢ଼ା ପାଇବାକୁ ମଧ୍ୟ ଅପରାହ୍ଣ ୪ଟା ବାଜିଥିଲା ।
ବୁଧବାର ପ୍ରାତଃ ୪ଟା ୫୦ରେ ମଙ୍ଗଳବାର ନୀତି ବଡ଼ସିଂହାର ଭୋଗ ବଢ଼ି ଶ୍ରୀମନ୍ଦିର ନୀତି ବନ୍ଦ ହୋଇଥିଲା । ଏଣୁ ୮ ତାରିଖ ତଥା ୧୦ମ ଦିନ ଅନବସରରେ ଠାକୁରଙ୍କ ପହୁଡ଼ ନୀତି ନହୋଇ ମଙ୍ଗଳଆଳତି ବଢ଼ିଥିଲା ସକାଳ ୮ଟା ୨୦ରେ । ଅଣସର ସମୟ ହେତୁ ରତ୍ନସିଂହାସନରେ ନୀତି ନହୋଇ ତାଟି ସମ୍ମୁଖରେ ଜଗମୋହନ ପଲଙ୍କରେ ବିଜେ ଦଶଅବତାର ମୂର୍ତ୍ତିଙ୍କ ଠାରେ ପୂର୍ବଭଳି ଦ୍ୱାର ଫିଟା ଠାରୁ ପହୁଡ଼ ପର୍ଯ୍ୟନ୍ତ ନୀତି ଅନୁଷ୍ଠିତ ହେବାର ବିଧି । ସେହି କ୍ରମରେ ବୁଧବାର ମଙ୍ଗଳଆଳତି ପରେ ୮ଟା ୫୦ରେ ଅବକାଶ ପୂଜା ସମ୍ପନ୍ନ ହେଲା । ୧ଟା ୫ରେ ଗୋପାଳବଲ୍ଲଭ ପୂଜା ସରିଲା । ସକାଳ ଧୂପ ସରିଲା ବେଳକୁ ଅପରାହ୍ଣ ସାଢ଼େ ୨ଟା ହୋଇଥିଲା । ସକାଳଧୂପ ବାହାରି ପାଣି ପଡ଼ିବା ପରେ ପ୍ରଥମ ଭୋଗମଣ୍ଡପ ପୂଜା ଶେଷ ହେଲା ଅପରାହ୍ଣ ୩ଟା ୫୦ରେ । ଭୋଗମଣ୍ଡପରୁ ମହାପ୍ରସାଦ ବୁହା ପରେ ବିକ୍ରି ହୋଇ ଶ୍ରଦ୍ଧାଳୁ ଅବଢ଼ା ପାଇଲା ବେଳକୁ ଅପରାହ୍ଣ ୪ଟା ଡେଇଁଥିଲା । ଏଣୁ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ଦର୍ଶନ ସାରି ଢେର ସମୟ ଅନ୍ନମହାପ୍ରସାଦକୁ ଅପେକ୍ଷା କରି ରହିଥିଲେ ।
ଅଧିକ ପଢ଼ନ୍ତୁ :- Weather Forecast: ଆସୁଛି ଆଉ ଏକ ଲଘୁଚାପ, ୧୨ରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷା, ଆଜି ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଏପଟେ ଅଣସର ଗୃହରେ ଦାରୁବ୍ରହ୍ମଙ୍କ ଓଷ ଲାଗି ଜାରି ରହିଛି । ୧୦ ତାରିଖ ଦିନ ଠାକୁରଙ୍କ ଚକା ବିଜେ ନୀତି । ସେଦିନ ପର୍ଯ୍ୟନ୍ତ ଠାକୁରଙ୍କୁ ଓଷ ଲାଗି ଜାରି ରହିବ । ଅଣସର ଶୁଦ୍ଧୁସୁଆର ସେବକ ରାଶି ତେଲ ଓ ଝୁଣାରେ ଓଷ ପ୍ରସ୍ତୁତ କରିଦେବା ପରେ ଏହାକୁ ସମସ୍ତ ଦଇତାପତି ସେବକ ମିଶି ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି କରୁଛନ୍ତି । ରାତ୍ରି ସମୟରେ ଠାକୁରଙ୍କ ଗୁପ୍ତ ନୀତି କରୁଛନ୍ତି ଦଇତାପତି ସେବକମାନେ । ପଞ୍ଚମୀରେ ଶ୍ରୀବିଗ୍ରହଙ୍କୁ ଫୁଲୁରୀ ତେଲ ଲାଗି ହୋଇଥିଲା । ପରେ ଶ୍ରୀଅଙ୍ଗରେ ଓଷ ଲାଗି ଆରମ୍ଭ ହେଲା । ଶ୍ରୀଅଙ୍ଗରୁ ତାପ କମିବାକୁ ଓଦାକନା ଲାଗି କରାଯାଉଛି । ଓଷ ଲାଗି ପରେ ସନ୍ଧ୍ୟା ତଥା ରାତ୍ରକାଳରେ ଜଳ ଭିଜା ବସ୍ତ୍ର ଲାଗି ହେଉଛି । ଅଧିକ ଜ୍ୱର ସମୟରେ ମନୁଷ୍ୟ ଶରୀରରୁ ତାପ ହ୍ରାସ ପାଇଁ ଯେପରି ପାଣିପଟି ଦ୍ୱାରା ଚିକିତ୍ସା କରାଯାଏ । ଦଶମୀରେ ଚକା ସିଂହାସନକୁ ଉଠିବେ ଠାକୁରେ । ଏସବୁ ଠାକୁରଙ୍କ ଅନନ୍ୟ ମାନବୀୟ ଲୀଳା । ଶୁକ୍ରବାର ଦଶମୀ ତିଥିରେ ଦଶମୂଳ ଔଷଧ ଶ୍ରୀମନ୍ଦିରରେ ପହଞ୍ଚିଲେ ଏକାଦଶୀ ତିଥିରେ ଠାକୁରଙ୍କୁ ଲାଗି କରାଯିବ । ଏବେ ପୂର୍ବଭଳି ଗହଳି ନଥିଲେ ମଧ୍ୟ ଢେର ସଂଖ୍ୟକ ଭକ୍ତ ଶ୍ରୀମନ୍ଦିର ଦଶଅବତାର ମୂର୍ତ୍ତିଙ୍କୁ ଦର୍ଶନ କରି ମହାପ୍ରସାଦ ସେବନ କରୁଛନ୍ତି । ଠାକୁରଙ୍କ ମାନବୀୟ ଲୀଳା ବାବଦରେ ଅବଗତ ହେବା ସହ ରଥ ନିର୍ମାଣ ଓ ବଡ଼ଦାଣ୍ଡରେ ରଥ ଯାତ୍ରା ପ୍ରସ୍ତୁତି ଦେଖି ଦିବ୍ୟ ଅନୁଭବ ଲଭୁଛନ୍ତି ।