ନୂଆଦିଲ୍ଲୀ, ୨୬।୫: ଭାରତର ଆତିଥ୍ୟରେ ମଙ୍ଗଳବାର ଦିନ ରାଜଧାନୀ ନୂଆଦିଲ୍ଲୀଠାରେ କ୍ୱାଡ୍ (QUAD) ସଦସ୍ୟ ଗୋଷ୍ଠୀର ବୈଦେଶିକ ମନ୍ତ୍ରୀସ୍ତରୀୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଇଣ୍ଡୋ-ପାସିଫିକ୍ କ୍ଷେତ୍ରରେ ଚୀନର ବଢ଼ୁଥିବା ସାମରିକ ଆକ୍ରମଣାତ୍ମକ ମନୋଭାବ ଏବଂ ବିଶ୍ୱବ୍ୟାପୀ ସୃଷ୍ଟି ହୋଇଥିବା ଚିନ୍ତାଜନକ ସ୍ଥିତି ମଧ୍ୟରେ ଏହି ସମ୍ମିଳନୀ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଏହି ବୈଠକରେ ବିଶେଷ କରି ହୋର୍ମୁଜ୍ ପ୍ରଣାଳୀକୁ ମୁକ୍ତ ରଖିବା ଏବଂ ସାମୁଦ୍ରିକ ଯୋଗାଯୋଗ ମାର୍ଗରେ ସୃଷ୍ଟି ହେଉଥିବା ବିଭିନ୍ନ ପ୍ରତିବନ୍ଧକକୁ ଦୂର କରିବା ନେଇ ବ୍ୟାପକ ଆଲୋଚନା ହୋଇଛି । ବୈଠକ ପରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଚାରି ଦେଶର ପ୍ରତିନିଧିମାନଙ୍କ ମଧ୍ୟରେ ଏକ ବଡ଼ ଆଲୋଚନା ହୋଇଛି । ଏହି ବୈଠକର ମୁଖ୍ୟ ବିଷୟବସ୍ତୁ ବିଶ୍ୱର ସାମ୍ପ୍ରତିକ ପରିସ୍ଥିତି ଏବଂ ଆହ୍ୱାନଗୁଡ଼ିକ ଉପରେ କେନ୍ଦ୍ରୀଭୂତ ଥିଲା ।
ଇଣ୍ଡୋ-ପ୍ୟାସିଫିକ୍ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ:
ବୈଦେଶିକ ମନ୍ତ୍ରୀ ଶ୍ରୀ ଜୟଶଙ୍କର କହିଛନ୍ତି, "ଆମେ ବିଶେଷ କରି ଇଣ୍ଡୋ-ପ୍ୟାସିଫିକ୍ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉପରେ ଧ୍ୟାନ ସେନ୍ଦ୍ରୀଭୂତ କରିଛୁ । ଆମେ ହେଉଛୁ ଚାରୋଟି ସାମୁଦ୍ରିକ ଗଣତାନ୍ତ୍ରିକ ଦେଶ, ଯେଉଁମାନେ କି ଇଣ୍ଡୋ-ପ୍ୟାସିଫିକ୍ କ୍ଷେତ୍ରର ଭିନ୍ନ ଭିନ୍ନ ପ୍ରାନ୍ତରେ ଅବସ୍ଥିତ । ତେଣୁ ପରସ୍ପର ମଧ୍ୟରେ ବିଚାର ବିମର୍ଷ ଓ ଆଭିମୁଖ୍ୟ ସେୟାର କରିବା ନିହାତି ଜରୁରୀ ।" ସେ ଆହୁରି ମଧ୍ୟ କହିଛନ୍ତି ଯେ, ସାମୁଦ୍ରିକ କ୍ଷେତ୍ରରେ ଚାରି ଦେଶ ମଧ୍ୟରେ ସହଯୋଗ ନିରନ୍ତର ବୃଦ୍ଧି ପାଉଛି । ଏଥିରେ ସାମୁଦ୍ରିକ ନଜର ଓ ଡୋମେନ୍ ସଚେତନତା, ଲଜିଷ୍ଟିକ୍ସ ନେଟୱର୍କ, ଅଣ୍ଡର-ସି କେବୁଲ, ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ ଭଳି କ୍ଷେତ୍ର ସାମିଲ ରହିଛି । ଆଗାମୀ ଦିନରେ ଏହିସବୁ କ୍ଷେତ୍ରକୁ ଆହୁରି ଅଧିକ ସୁଦୃଢ଼ କରାଯିବ ।
ବିଶ୍ୱ ସପ୍ଲାଇ ଚେନ୍ ଏବଂ ସାମୁଦ୍ରିକ ସୁରକ୍ଷା ଉପରେ ଗୁରୁତ୍ୱ:
ବୈଦେଶିକ ମନ୍ତ୍ରୀଙ୍କ କହିବା ଅନୁଯାୟୀ, କ୍ୱାଡ୍ର ମୁଖ୍ୟ ଫୋକସ୍ ସର୍ବଦା ହିନ୍ଦ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଉପରେ ରହିବ, ଯାହାକି ଏହି ସଂଗଠନର ମୁଖ୍ୟ ପରିସୀମା । ବର୍ତ୍ତମାନର ବିଶ୍ୱସ୍ତରୀୟ ଆହ୍ୱାନଗୁଡ଼ିକ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ, ଆମକୁ ସପ୍ଲାଇ ଚେନ୍ (ଯୋଗାଣ ଶୃଙ୍ଖଳା) ର ସୁଦୃଢ଼ୀକରଣ, ପରିବହନ ମାର୍ଗରେ ବାଧା, ଉତ୍ପାଦନ ଓ ସମ୍ବଳର ଅତ୍ୟଧିକ କେନ୍ଦ୍ରୀକରଣ ଏବଂ ଜରୁରୀ ଭିତ୍ତିଭୂମିର ଅଭାବ ଭଳି ସମସ୍ୟାର ମୁକାବିଲା କରିବାକୁ ହେବ । ଏହି ସମସ୍ତ ସମସ୍ୟା କ୍ୱାଡ୍ ଅଂଶୀଦାରମାନଙ୍କ ମଧ୍ୟରେ ସହଯୋଗର ଆବଶ୍ୟକତାକୁ ଆହୁରି ମଜବୁତ କରୁଛି । ଇଣ୍ଡୋ-ପାସିଫିକ୍ କ୍ଷେତ୍ରର ସମ୍ଭାବ୍ୟ ଚିନ୍ତାଜନକ ପରିସ୍ଥିତି ଉପରେ ଆଲୋକପାତ କରି ଶ୍ରୀ ଜୟଶଙ୍କର କହିଛନ୍ତି, "ଏହି ଅଞ୍ଚଳର ସୁରକ୍ଷା ପାଇଁ ରଣନୀତିକ ବିଶ୍ୱାସକୁ ସୁଦୃଢ଼ କରିବା, ସାମୁଦ୍ରିକ ସୁରକ୍ଷା ନିଶ୍ଚିତ କରିବା ଏବଂ ଅର୍ଥନୈତିକ ବିକଳ୍ପଗୁଡ଼ିକୁ ପ୍ରୋତ୍ସାହନ ଦେବା ଜରୁରୀ । ଏହା କେବଳ ପାରଦର୍ଶୀ ଭାଗିଦାରୀ ଏବଂ ପରସ୍ପର ପ୍ରତି ବିଶ୍ୱାସ ମାଧ୍ୟମରେ ହିଁ ସମ୍ଭବ ହୋଇପାରିବ । ସାମୁଦ୍ରିକ ଗଣତନ୍ତ୍ର ଏବଂ ମୁକ୍ତ ବଜାର ଅର୍ଥବ୍ୟବସ୍ଥା ଭାବରେ, ଏକ ମୁକ୍ତ, ସ୍ୱାଧୀନ ଏବଂ ସମାବେଶୀ ଇଣ୍ଡୋ-ପ୍ୟାସିଫିକ୍ ଗଠନ ଦିଗରେ ଆମ ସମସ୍ତଙ୍କର ମିଳିତ ଦାୟିତ୍ୱ ରହିଛି ।"
ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ପ୍ରତିକ୍ରିୟା:
ଏହି ବୈଠକରେ ଯୋଗଦେଇ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗ୍ କ୍ୱାଡ୍ ସଂଗଠନକୁ ଆହୁରି ଶକ୍ତିଶାଳୀ ଓ ପ୍ରଭାବଶାଳୀ କରିବାକୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ, କ୍ୱାଡ୍ର କାର୍ଯ୍ୟଧାରାକୁ ଗତିଶୀଳ ରଖିବା ସହ ଏକ ଶାନ୍ତିପୂର୍ଣ୍ଣ, ସ୍ଥିର ଏବଂ ସମୃଦ୍ଧ ଇଣ୍ଡୋ-ପାସିଫିକ୍ ଅଞ୍ଚଳ ଗଠନ ପାଇଁ ଅଷ୍ଟ୍ରେଲିଆ ପ୍ରତିବଦ୍ଧ । ସେହିପରି ଆମେରିକାର ବୈଦେଶିକ ମନ୍ତ୍ରୀ ରୁବିଓ ନିଜ ବକ୍ତବ୍ୟରେ କହିଛନ୍ତି ଯେ, ସାମ୍ପ୍ରତିକ ସମୟରେ ବିଶ୍ୱରେ ଘଟୁଥିବା ବିଭିନ୍ନ ଘଟଣାବଳୀ କ୍ୱାଡ୍ର ପ୍ରାସଙ୍ଗିକତାକୁ ଆହୁରି ବଢ଼ାଇ ଦେଇଛି । ଶକ୍ତି ସୁରକ୍ଷା, ନୌଚାଳନର ସ୍ୱାଧୀନତା ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ସମ୍ପଦର ସୁରକ୍ଷା ଭଳି ବିଶ୍ୱର ସବୁଠାରୁ ଜଟିଳ ସମସ୍ୟାର ସମାଧାନ କ୍ୱାଡ୍ ମିଳିତ ଭାବେ କରିପାରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି । ଏହି ବୈଠକରୁ ସ୍ପଷ୍ଟ ଜଣାପଡୁଛି ଯେ, ବିଶ୍ୱର ପ୍ରମୁଖ ସାମୁଦ୍ରିକ ମାର୍ଗଗୁଡ଼ିକୁ ସୁରକ୍ଷିତ ରଖିବା ଏବଂ ଚୀନର ଏକଛତ୍ରବାଦୀ ମନୋଭାବକୁ ରୋକିବା ପାଇଁ ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନ ନିଜର ରଣନୀତିକ ସହଯୋଗକୁ ଏକ ନୂତନ ସ୍ତରକୁ ନେବାକୁ ସଂକଳ୍ପବଦ୍ଧ ହୋଇଛନ୍ତି ।
ଆହୁରି ପଢ଼ନ୍ତୁ... Cow Slaughter Case: ଗୋ-ହତ୍ୟା ମାମଲାରେ ତୁରନ୍ତ ଶୁଣାଣିକୁ ସୁପ୍ରିମକୋର୍ଟଙ୍କ ନା; ସିଜେଆଇ କହିଲେ- 'ଏଥିରେ କୌଣସି ଜରୁରୀ ପରିସ୍ଥିତି ନାହିଁ'