ନୂଆଦିଲ୍ଲୀ,୯।୪: ଜମ୍ମୁ-କାଶ୍ମୀର ବିଧାନସଭା ଅଧିବେଶନର ଆଜି ତୃତୀୟ ଦିନରେ ୱାକଫ୍ ବିଲ୍ ଉପରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ, ନ୍ୟାସନାଲ କନଫରେନ୍ସ ବିଧାୟକ ମୁବାରକ ଗୁଲ, ବିଜେପି ବିଧାୟକ ବଲବନ୍ତ ସିଂହ କୋଟିଆଙ୍କ ସମେତ ଅନେକ ବିଧାୟକ ନିଜ ଆସନରୁ ଠିଆ ହୋଇ ନିଜ ନିଜ ପ୍ରସ୍ତାବ ଉପରେ ବିଧାନସଭା ବାଚସ୍ପତିଙ୍କ ସହିତ ଆଲୋଚନା କରିବାକୁ ଦାବି କରିଥିଲେ। ଅଧିବେଶନ ଆରମ୍ଭରୁ ଗତ ତିନି ଦିନ ଧରି ୱାକଫ ବିଲକୁ ନେଇ ଗୃହରେ ହଙ୍ଗାମା ଚାଲିଛି। 

ନ୍ୟାସନାଲ କନଫରେନ୍ସ ଗୃହରେ ୱାକଫ ବିଲ ଉପରେ ମୁଲତବୀ ପ୍ରସ୍ତାବ ଆଣିବାକୁ କରିଥିଲା। ଏହି ସମୟରେ, ବିଧାନସଭା ପରିସର ବାହାରେ, ବିଜେପି ବିଧାୟକ ଏବଂ ଆପ ବିଧାୟକ ମେହରାଜ ମଲିକଙ୍କ ମଧ୍ୟରେ ଯୁକ୍ତିତର୍କରୁ ମାରପିଟ୍ ପର୍ଯ୍ୟନ୍ତ ଯାଇଥିଲା କଥା। ଏହା ପରେ ବାଚସ୍ପତି ବିଧାନସଭାରକୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଏହି ହାତାହାତିର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ବିଜେପି ବିଧାୟକ ଏବଂ ଆପ ବିଧାୟକଙ୍କ ମଧରେ ଯୁକ୍ତିତର୍କ ଏବଂ ମାରପିଟ୍ କରୁଥିବାର ଦେଖାଯାଉଛି।

ବିଧାନସଭା ଗ୍ୟାଲେରୀରେ ଆପ ବିଧାୟକ ମେହରାଜ ମାଲିକ ବିଜେପି ବିଧାୟକଙ୍କ ଉପରେ ଗୃହକୁ ପ୍ରବେଶ ନକରାଇବା ପାଇଁ ପୋଲିସ ବ୍ୟବହାର କରୁଥିବା ଅଭିଯୋଗ କରିଥିଲେ। ଏହି ସମୟରେ, ସେ ପିଡିପି ନେତା ୱାହିଦ ପାରାଙ୍କୁ କହିଥିଲେ, ମୁଫତି ମହମ୍ମଦ ସୟିଦ କାଶ୍ମୀର ଲୋକଙ୍କ ପାଇଁ ଦଲାଲି କରିଛନ୍ତି। ବିଜେପି ଏବଂ ପିଡିପି ମିଳିତ ଭାବରେ କାମ କରୁଛନ୍ତି। ଏହା କହିବା ପରେ ଉଭୟ ପକ୍ଷଙ୍କ ମଧ୍ୟରେ ବିବାଦ ବଢ଼ି ଯାଇଥିଲା। ଏହି ସମୟରେ କେହି ଜଣେ ମେହରାଜ ମଲିକଙ୍କୁ ଧକ୍କା ମାରିଥିଲେ ଏବଂ ସେ କାଚ ଟେବୁଲରେ ବାଡ଼େଇ ହୋଇ ପଡିଯାଇଥିଲେ। ଏହା ପରେ ଗୃହର ମାର୍ଶାଲମାନେ ସମସ୍ତ ବିଧାୟକଙ୍କୁ ବାହାର କରିଦେଇଥିଲେ। ଏହି ପ୍ରସଙ୍ଗରେ ବିଜେପି କହିଛି ଯେ ମେହରାଜ ଦୁର୍ବ୍ୟବହାର କରୁଥିଲେ। ଭିଡିଓରେ ମଧ୍ୟ ମେହରାଜ ଲଗାତାର ଚିତ୍କାର କରୁଥିଲେ ଏବଂ ବିଜେପି ନେତାମାନଙ୍କ ବିରୁଦ୍ଧରେ ଅଭିଯୋଗ କରୁଥିଲେ, ଯାହା ପରେ ଏହି ବିବାଦ ଘଟିଥିଲା।

ମେହରାଜ ଏହା ପୂର୍ବରୁ ମଧ୍ୟ ବିବାଦର ପରିସରରେ ରହି ସାରିଛନ୍ତି। ନିକଟରେ ସେ ବୟାନ ଦେଇଥିଲେ, ହିନ୍ଦୁମାନେ ପର୍ବପର୍ବାଣୀରେ ମଦ ପିଉଛନ୍ତି।’ ଏହାକୁ ନେଇ ଜମ୍ମୁରେ ପ୍ରବଳ ବିରୋଧ ହୋଇଥିଲା। ଏହାଛଡା ସେ ଆହୁରି ଥରେ କହିଥିଲେ ଯେ, ବିଜେପିର ୨୮ ବିଧାୟକ ରାତିରେ ନିଜ ପତ୍ନୀଙ୍କୁ ମାଡ଼ମାରନ୍ତି ଓ ସକାଳେ ନିଜର ବାହାଦୁରୀର ନାଟକ କରନ୍ତି।’