ନୂଆଦିଲ୍ଲୀ ୨୦/୦୪: ଚୀନ୍‌ରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ସେଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିଜନ ତାଙ୍କ ଶବ ସହ ସେ ବ୍ୟବହାର କରୁଥିବା ଏକ କଳା ରଙ୍ଗର ମର୍ସିଡିଜ୍ କାର୍‌କୁ ବି କବର ଦେଇଛନ୍ତି । ସେହି କାର୍‌ର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ୧.୪୯ କୋଟି ହେବ । କେବଳ ସେତିକି ନୁହେଁ, ତାର ନମ୍ବର ପ୍ଲେଟ୍ ‘୮୮୮୮’ ଥିଲା ଯାହାକୁ ଚୀନ୍‌ରେ ଅତ୍ୟନ୍ତ ଶୁଭ ବୋଲି ମନେ କରାଯାଇଥାଏ ।

ସାଉଥ୍ ଚାଇନା ମର୍ନିଂ ପୋଷ୍ଟର ରିପୋର୍ଟ ମୁତାବକ, ମାମଲାଟି ଚୀନ୍‌ର ଲିୟାଓନିଙ୍ଗ ପ୍ରଦେଶର । ସେଠାରେ ଜିନ୍ ପରିବାରର ଜଣେ ବ୍ୟକ୍ତିଙ୍କର ନିକଟରେ ପରଲୋକ ହୋଇଥିଲା । ଏହାପରେ ପରିବାର ସଦସ୍ୟ ସେ ବ୍ୟବହାର କରୁଥିବା ମର୍ସିଡିଜ୍ ବେଞ୍ଜ ଏସ୪୫ଓଏଲ୍ କାର୍‌କୁ ତାଙ୍କ କବରସ୍ଥଳୀ ନିକଟରେ କବର ଦେବାକୁ ନିଷ୍ପତ୍ତି ନେଇଥିଲେ । ସେଥିପାଇଁ ଜେସିବି ସହାୟତାରେ ବ୍ୟକ୍ତିଙ୍କ କବର ନିକଟରେ ଏକ ଗାତ ଖୋଳାଯାଇଥିଲା । ପରେ କାର୍‌କୁ ତାହାମଧ୍ୟରେ ରଖାଯାଇ ମାଟି ଢଙ୍କାଯାଇଥିଲା ।

​​​​​​​

ଏ ସଂପର୍କରେ ପରିବାର ଲୋକେ କହିଛନ୍ତି ଯେ, ପରମ୍ପରା ଅନୁସାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ସହ କିଛି ବସ୍ତୁକୁ କବର ଦିଆଯାଇଥାଏ । ପରଲୋକରେ ତାହା ତାଙ୍କର କାମରେ ଆସିବ ବୋଲି ବିଶ୍ୱାସ ରହିଛି । ସେଥିଯୋଗୁ ସେମାନେ ଏହି ପଦକ୍ଷେପ ନେଇଥିଲେ । ତେବେ ସୋସିଆଲ୍ ମିଡିଆରେ ଏହି ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ଏହାକୁ ନେଇ ବିତର୍କ ସୃଷ୍ଟି ହୋଇଛି । ଅନେକ ୟୁଜର ଏହାକୁ ବଦ୍‌ଖର୍ଚ୍ଚ ଏବଂ ପରିବେଶ ଲାଗି କ୍ଷତିକାରକ ଭାବେ ଦର୍ଶାଇଛନ୍ତି । ବିବାଦ ବଢ଼ିବା ପରେ ସ୍ଥାନୀୟ ପ୍ରଶାସନ ଘଟଣାରେ ହସ୍ତକ୍ଷେପ କରିଛି । ଅଧିକାରୀମାନେ ଏହାକୁ ଅନ୍ଧବିଶ୍ୱାସ ଆଖ୍ୟା ଦେଇ ଏଭଳି କାମ ଲାଗି ଜିନ୍ ପରିବାରକୁ ଭର୍ତ୍ସନା କରିଛନ୍ତି । ମାମଲାର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି । ଏଥିସହ ଜିନ୍ ପରିବାର ସାର୍ବଜନୀକ ଭାବେ ବି କ୍ଷମା ମାଗିଛି । ଏବେ ସେମାନଙ୍କୁ ଏଭଳି କାର୍ଯ୍ୟ ଲାଗି ଜରିମାନା ଦେବାକୁ ପଡିପାରେ ।

ଆହୁରି ପଢ଼ନ୍ତୁ...ମଝି ସମୁଦ୍ରରେ ଇରାନୀ ଜାହାଜକୁ ଘେରିଲା ଆମେରିକା ନୌସେନା, ଇରାନର ଧମକ୍ ଭୋଗିବାକୁ ପଡିବ ପରିଣାମ