ନୂଆଦିଲ୍ଲୀ, ୨୮ ୭: ଜାପାନରେ ଦିନକୁ ଦିନ କମୁଥିବା ଜନ୍ମହାର ଏବଂ ଜନସଂଖ୍ୟା ହ୍ରାସ ସମସ୍ୟାକୁ ଦୃଷ୍ଟିରେ ରଖି ସେଠାକାର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଦେଶରେ ବିବାହ ଏବଂ ସନ୍ତାନ ଜନ୍ମ ହାର ବଢ଼ାଇବା ପାଇଁ ସରକାର ୨୦୨४ ମସିହାରେ ଏକ ସ୍ୱତନ୍ତ୍ର ଏଆଇ ଡେଟିଂ ଆପ୍ ଆରମ୍ଭ କରିଥିଲେ । ବର୍ତ୍ତମାନ ସରକାରୀ ତଥ୍ୟରୁ ଜଣାପଡ଼ିଛି ଯେ ଏହି ଆପ୍ ମାଧ୍ୟମରେ ପରସ୍ପରକୁ ଭେଟିଥିବା ୨୬୫ ଯୋଡ଼ି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଏହି ଆପ୍ଟିକୁ ସେପ୍ଟେମ୍ବର ୨୦୨୪ରେ ଲଞ୍ଚ କରାଯାଇଥିଲା । ପ୍ରକାଶିତ ଏକ ସର୍ଭେରୁ ଜଣାପଡ଼ିଥିଲା ଯେ, ଜାପାନରେ ବିବାହ କରିବାକୁ ଆଗ୍ରହୀ ଥିବା ପ୍ରାୟ ୭୦% ଲୋକ ସାଥୀଟିଏ ଖୋଜିବା ପାଇଁ କୌଣସି ପ୍ରକାର ପ୍ରୟାସ କରୁନାହାଁନ୍ତି । ଲୋକଙ୍କ ଏହି ଦ୍ୱନ୍ଦ୍ୱ ଓ ସଙ୍କୋଚ ଦୂର କରିବା ପାଇଁ ସରକାର ଏହି ଡେଟିଂ ଆପ୍ ଆଣିଥିଲେ ।
ଆପ୍ରେ କେବଳ ସେହି ବ୍ୟକ୍ତିମାନେ ପ୍ରବେଶ କରିପାରିବେ ଯେଉଁମାନେ ପ୍ରକୃତରେ ବିବାହ କରିବାକୁ ଚାହାଁନ୍ତି । ଏଥିପାଇଁ ପଞ୍ଜୀକରଣ କରିବାକୁ ହେଲେ ଆଇନଗତ ଭାବେ ଅବିବାହିତ ଥିବା ପ୍ରମାଣ ଦେବାକୁ ପଡ଼ିଥାଏ । ଆପ୍ର ସଦସ୍ୟ ହେବା ପାଇଁ ଏକ ଅନଲାଇନ୍ ଇଣ୍ଟରଭ୍ୟୁ ଏବଂ ଅନ୍ୟାନ୍ୟ ସର୍ତ୍ତ ପୂରଣ କରିବା ବାଧ୍ୟତାମୂଳକ । ଚଳିତ ବର୍ଷ ଜୁନ୍ ୩୦ ସୁଦ୍ଧା ଏହି ଆପ୍ରେ ୧୬,୦୦୦ ପଞ୍ଜୀକୃତ ସଦସ୍ୟ ଅଛନ୍ତି । ପ୍ରାରମ୍ଭରେ ପ୍ରାୟ ୩୬,୦୦୦ ଆବେଦନ ଆସିଥିଲେ ମଧ୍ୟ କଡ଼ା ଯାଞ୍ଚ ପରେ କେବଳ ୧୬,୦୦୦ ଜଣଙ୍କୁ ମେମ୍ବର କରାଯାଇଥିଲା । ସରକାରୀ ତଥ୍ୟ ଅନୁଯାୟୀ, ଏମାନଙ୍କ ମଧ୍ୟରୁ ୭୬୦ଟି ଯୋଡ଼ି ସିରିୟସ୍ ରିଲେସନସିପ୍ରେ ଥିବାବେଳେ ୨୬୫ଟି ଯୋଡ଼ି ବିବାହ କରିସାରିଛନ୍ତି ।
ଏହା ବି ପଢ଼ନ୍ତୁ... Why Internet Keeps Going Down: ଚାଟ୍ଜିପିଟି ଠପ୍, ଅନଲାଇନ୍ ସର୍ଭିସଗୁଡ଼ିକ ବାରମ୍ବାର କାହିଁକି ବନ୍ଦ ହୋଇଯାଏ ଜାଣନ୍ତୁ...
ଜୁନ୍ ମସିହାରେ ପ୍ରକାଶିତ ସରକାରୀ ରିପୋର୍ଟ ଅନୁଯାୟୀ, ଜାପାନରେ ସ୍ଥିତି ଅତି ଗମ୍ଭୀର ରହିଛି । ୨୦୨୫ ମସିହାରେ ଜାପାନୀ ନାଗରିକଙ୍କୁ ନେଇ ଜନ୍ମ ହୋଇଥିବା ଶିଶୁଙ୍କ ସଂଖ୍ୟା ମାତ୍ର ୬,୭୧,୨୩୬କୁ ଖସିଆସିଛି, ଯାହାକି ଏଯାବତ୍ ସର୍ବନିମ୍ନ । ଲଗାତାର ୧୦ ବର୍ଷ ହେବ ଜନ୍ମହାର କମିବାରେବାରେ ଲାଗିଛି । ଦେଶରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ୧୬ ଲକ୍ଷରୁ ଅଧିକ ରହିଛି, ଯାହାକି ନବଜାତ ଶିଶୁଙ୍କ ଜନ୍ମ ସଂଖ୍ୟାଠାରୁ ଦ୍ୱିଗୁଣରୁ ବି ଅଧିକ । ସ୍ୱାସ୍ଥ୍ୟ ଓ ଶ୍ରମ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦେଶର ଫର୍ଟିଲିଟି ରୋଟ୍ ୦.୦୧ ଅଙ୍କ କମି ୧.୧୪କୁ ଖସିଆସିଛି । ବିବାହ ଏବଂ ଜନ୍ମହାର ବଢ଼ାଇବା ପାଇଁ ଜାପାନ ସରକାରଙ୍କ ଏହି ଅଭିନବ AI ପ୍ରୟାସ ବର୍ତ୍ତମାନେ ବେଶ୍ ଚର୍ଚ୍ଚାରେ ରହିଛି ।