ନୂଆଦିଲ୍ଲୀ, ୨୬/୦୪ : ଜାପାନ ସରକାର ଜନସଂଖ୍ୟା ହ୍ରାସର ମୁକାବିଲା ଲାଗି ଏକ ଅଭିନବ ପଦକ୍ଷେପ ହାତକୁ ନେଇଛନ୍ତି । ଏହା ଅଧୀନରେ ଦେଶରେ ଯୁବପିଢ଼ିଙ୍କୁ ଡେଟିଂ ଆପ୍ର ଉପଯୋଗ ପାଇଁ ପ୍ରୋତ୍ସାହିତ କରାଯାଉଛି । ଏଥିପାଇଁ ସରକାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି, ଯାହା ଦ୍ୱାରା ଅଧିକରୁ ଅଧିକ ଲୋକ ଏହି ପ୍ଲାଟ୍ଫର୍ମଗୁଡ଼ିକ ସହ ଯୋଡ଼ି ହେବେ ଓ ସମ୍ପର୍କ ଗଢ଼ିପାରିବେ । ଏହାର ଉଦ୍ଦେଶ୍ୟ ଯୁବପିଢ଼ିଙ୍କୁ ବିବାହ ଓ ପରିବାର ବଢ଼ାଇବା ଲାଗି ପ୍ରେରିତ କରିବା । ଜାପାନର କୋଚି ପ୍ରାନ୍ତ ‘ମିଟିଂ ସପୋର୍ଟ ପ୍ରୋଜେକ୍ଟ ଗ୍ରାଣ୍ଟ୍’ ଆରମ୍ଭ କରିଛି । ଅବିବାହିତ ଯୁବାଙ୍କୁ ଡେଟିଂ ଆପ୍ ଜରିଆରେ ଯୋଡ଼ିବା ଏହି ଯୋଜନାର ଉଦ୍ଦେଶ୍ୟ । ସରକାର ଚାହାନ୍ତି, ଯୁବବର୍ଗ ଏହି ପ୍ଲାଟ୍ଫର୍ମ ଉପଯୋଗ କରି ପରସ୍ପରକୁ ଜାଣନ୍ତୁ ଏବଂ ବିବାହ କରନ୍ତୁ । ସାମାଜିକ ବନ୍ଧନକୁ ବଢ଼ାଇବା ଦିଗରେ ଏହି ପଦକ୍ଷେପ ହାତକୁ ନିଆଯାଇଛି ।
ଜାପାନରେ ସମ୍ପର୍କ ପ୍ରତି ଲୋକଙ୍କ ଉଦାସୀନତା ବଢୁଛି । ଦରଦାମ ବୃଦ୍ଧି, ପରିବର୍ତ୍ତିତ ଜୀବନଶୈଳୀ ଓ କ୍ୟାରିଅର୍ ଉପରେ ଅଧିକ ଫୋକସ୍ ଏହାର କାରଣ ବୋଲି ବିଶ୍ୱାସ କରାଯାଉଛି । ଅନେକ ଯୁବା ଆର୍ଥିକ ଅସ୍ଥିରତା ଯୋଗୁ ବିବାହ ଓ ସନ୍ତାନ ଜନ୍ମଠୁ ଦୂରେଇ ରହୁଛନ୍ତି । ଏଥିସହ ପରିବର୍ତ୍ତିତ ସାମାଜିକ ଦୃଷ୍ଟିକୋଣ ମଧ୍ୟ ଏହି ପ୍ରବୃତ୍ତିକୁ ଆହୁରି ମଜଭୁତ କରିଛି । ସରକାରଙ୍କ ନୂଆ ଯୋଜନାରେ ଯୋଗ୍ୟ ଅବିବାହିତ ଯୁବାଙ୍କୁ ବର୍ଷକୁ ପ୍ରାୟ ୧୧,୭୫୨ ଟଙ୍କା ଯାଏ ସବ୍ସିଡି ମିଳିବ । ଏହି ରାଶି ଡେଟିଂ ଆପ୍ରେ ପଞ୍ଜିକରଣ ଓ ସବ୍ସ୍କ୍ରିପ୍ସନ ପାଇଁ ଦିଆଯାଉଛି ।
ସରକାରଙ୍କ ଅନୁସାରେ, ଏହା ଦ୍ୱାରା ଯୁବବର୍ଗଙ୍କ ପାଇଁ ଏହି ପ୍ଲାଟ୍ଫର୍ମର ଉପଯୋଗ ସହଜ ହେବ ଏବଂ ସେମାନେ ସମ୍ପର୍କ ଗଢ଼ିବକୁ ଆଗଭର ହେବେ । ୨୦ରୁ ୩୯ ବର୍ଷ ବୟସର ଅବିବାହିତ ଯୁବାଙ୍କ ପାଇଁ ଏହି ଯୋଜନା ଲାଗୁ କରାଯାଇଛି । ଚଳିତ ମାସ ଏହି ଯୋଜନା ଲାଗୁ ହୋଇଛି । ଦେଶର ଜନସଂଖ୍ୟା ବୃଦ୍ଧିରେ ଏହା ସହାୟକ ହେବ ବୋଲି ସରକାର ଆଶା କରୁଛନ୍ତି । ତେବେ ସରକାର କେବଳ ଅନ୍ଲାଇନ୍ ପ୍ଲାଟ୍ଫର୍ମ ମଧ୍ୟରେ ସୀମିତ ନାହାନ୍ତି । ଅଫ୍ଲାଇନ୍ରେ ଯେଉଁ ସଂସ୍ଥା ଲୋକଙ୍କୁ ଭେଟ କରାଉଛନ୍ତି, ସେମାନଙ୍କୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଜାପାନରେ ଜନସଂଖ୍ୟା ନିରନ୍ତର ହ୍ରାସ ପାଉଛି । ୨୦୨୫ରେ ଜନ୍ମିତ ଶିଶୁଙ୍କ ସଂଖ୍ୟା ପ୍ରାୟ ୭ ଲକ୍ଷ ଥିଲା, ଯାହା ଗତ ଅନେକ ଦଶନ୍ଧିରେ ସବୁଠୁ କମ୍ । ବିଶ୍ୱରେ ସବୁଠୁ ଦ୍ରୁତ ବୃଦ୍ଧ ହେଉଥିବା ଦେଶ ମଧ୍ୟରେ ଜାପାନ ଅନ୍ୟତମ ।
ଏହି ଖବରଟିକୁ ପଢନ୍ତୁ- US oil restrictions : ରୁଷ-ଇରାନ ତେଲ କ୍ରୟ କଟକଣା, କୋହଳ ସୀମା ବୃଦ୍ଧି କରିବନି ଆମେରିକା, ପ୍ରଭାବିତ ହେବ ଭାରତ