ନୂଆଦିଲ୍ଲୀ,୨୬/୦୪ : ସମୁଦ୍ର ପଥରେ ରହିଥିବା ରୁଷ ଏବଂ ଇରାନ ତେଲ କ୍ରୟ କରିବାକୁ ରହିଥିବା କୋହଳ ସୀମାକୁ ଆଉ ବୃଦ୍ଧି କରିବନି ଆମେରିକା । ଟ୍ରେଜେରି ସଚିବ ସ୍କଟ୍‌ ବେସେଣ୍ଟ ଏ ନେଇ ସ୍ପଷ୍ଟ କରିଛନ୍ତି । ଆମେରିକା-ଇରାନ ଯୁଦ୍ଧ ଯୋଗୁ ସାରା ବିଶ୍ୱରେ ଏବେ ଶକ୍ତି ସଙ୍କଟ ଜାରି ରହିଛି । ଷ୍ଟ୍ରେଟ ଅଫ୍‌ ହୋର୍ମୁଜ ଉପରେ ଇରାନ କଟକଣା ଲଗାଇବା ଯୋଗୁ ମଧ୍ୟପ୍ରାଚ୍ୟ ତେଲ ଯୋଗାଣ ଠପ୍‌ ହୋଇଯାଇଛି । ବେସେଣ୍ଟ ଶୁକ୍ରବାର କହିଛନ୍ତି ଯେ, ସାମୁଦ୍ରିକ ପଥରେ ରହିଥିବା ରୁଷ, ଇରାନ ତେଲ କିଣିବା ନେଇ କୋହଳ ସୀମାକୁ ପୁଣି ଥରେ ନବୀକରଣ କରାଇବା କୌଣସି ଯୋଜନା ନାହିଁ । ସେହିଭଳି ଇରାନ ତେଲ ଉପରେ ଗୋଟିଏ ଥର ମିଳିଥିବା କୋହଳ ସୀମା ମଧ୍ୟ ପ୍ରସ୍ତାବ ବାହାରେ ରହିଛି ।

ମାର୍ଚ୍ଚ ମାସରେ ଆମେରିକା ରୁଷ ପେଟ୍ରୋଲିୟମ ସାମଗ୍ରୀ କ୍ରୟ ନେଇ କଟକଣାକୁ କୋହଳ କରିଥିଲା । ବିଶ୍ୱ ତୈଳ ବଜାରରେ ସ୍ଥିତାବସ୍ଥା ଆଣିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା । ବ୍ୟାରେଲ ପିଛା ଅଶୋଧିତ ତେଲ ୧୦୦ ଡଲାର ଟପିବା ଯୋଗୁ ଏହା ସାରା ବିଶ୍ୱ ବଜାର ଲାଗି ଚିନ୍ତାର କାରଣ ପାଲଟିଥିଲା । ଆମେରିକା ଟ୍ରେଜେରି ବିଭାଗ ଏହି କଟକଣାକୁ ନିକଟରେ ପୁଣି ଥରେ ଗୋଟିଏ ମାସ ବଢ଼ାଇଥିଲା । କଟକଣା କୋହଳ ହେବନି ବୋଲି କହିବାର ୨ ଦିନ ପରେ ଏଥିରେ ସମ୍ପ୍ରସାରଣ କରାଯାଇଥିଲା । ଅତି ଗରିବ ଏବଂ ସମସ୍ୟାରେ ଥିବା ବିଶ୍ୱର ଦେଶ ଗୁଡ଼ିକ ନିବେଦନ କରିବା ପରେ ତେଲ କଟକଣାକୁ ସାମାନ୍ୟ କୋହଳ କରାଯାଇଥିଲା । ତେବେ ପୁଣି ଥରେ ଏହି ସୀମା କୋହଳ କଲା ଭଳି କୌଣସି ଯୋଜନା ନାହିଁ ବୋଲି କହିଛନ୍ତି ବେସେଣ୍ଟ । ସମୁଦ୍ରରେ ଥିବା ତେଲରୁ ରୁଷକୁ ଫାଇଦା ହୋଇଥିବା ସେ କହିଛନ୍ତି ।

ଅନ୍ୟପଟେ ଆମେରିକା ଏହି କଟକଣାକୁ ପୁଣି ଥରେ କୋହନ କରିବନି ବୋଲି ୟୁରୋପୀୟ ସଂଘର କାରବାର ଆୟୁକ୍ତ ମାରୋସ ସେଫକୋବିକ କହିଛନ୍ତି । ଏହି କୋହଳ ସୀମା ମେ ମାସ ୧୬ ଯାଏ ରହିଛି । ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ଭାରତ ବର୍ତ୍ତମାନ ପୁଣି ଥରେ ରୁଷ ତେଲ କିଣା ଉପରେ ଫୋକସ କରିଛି । ଦେଶ ଏହାର ଆବଶ୍ୟକତାର ୩୦% ରୁ ୩୫% ତେଲ ରୁଷଠାରୁ ଆମଦାନି କରୁଛି । ଆମେରିକା କୋହଳ ସୀମା ନ ବଢ଼ାଇଲେ ଏହା ଦ୍ୱାରା ଭାରତ ବଡ ମାତ୍ରାରେ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି । କାରଣ ମଧ୍ୟପ୍ରାଚ୍ୟ ତେଲ ସଙ୍କଟ ଆରମ୍ଭ ହେବା ପରେ ଭାରତର ଦୈନିକ ରୁଷ ତେଲ କ୍ରୟ ରେକର୍ଡ ୨୦ ଲକ୍ଷ ବ୍ୟାରେଲ ଛୁଇଁଛି । ରୁଷ ତେଲ କିଣା ପୁଣି କଟକଣା ଲାଗିଲେ ଭାରତ ନିକଟରେ ପ୍ରମୁଖ ବିକଳ୍ପ ରାସ୍ତା ବନ୍ଦ ହେବ । ସେଠାରୁ ତେଲ ସହ ସାର ଆମଦାନି ବାଧାପ୍ରାପ୍ତ ହେବ । ଏଭଳି ସ୍ଥିତିରେ ଭାରତ ଆଫ୍ରିକା, ଭେନେଜୁଏଲା ଏବଂ ଆମେରିକା ଭଳି ଦେଶ ଗୁଡ଼ିକ ଉପରେ ନିର୍ଭରଶୀଳତା ବଢ଼ାଇପାରେ । 

ଏହି ଖବରଟିକୁ ପଢନ୍ତୁ- Iran US talks rejection: ଆମେରିକା ସହ ଆଲୋଚନାକୁ ଇରାନର ନା, ପାକିସ୍ତାନରୁ ପଳାଇଲେ ଇରାନ ବିଦେଶ ମନ୍ତ୍ରୀ,ସଂକଟରେ ଶାନ୍ତି ଆଲୋଚନା