ନୂଆଦିଲ୍ଲୀ ୧୫/୧୧: ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିବସରେ ଏକ ବିବାଦ ସୃଷ୍ଟି ହୋଇଛି । ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବଭୁମାଙ୍କୁ ‘ବାମନ’ ବୋଲି କଟାକ୍ଷ କରିଛନ୍ତି ଭାରତୀୟ ପେସ୍ ବୋଲର ଯଶପ୍ରୀତ ବୁମରା ଓ ୱିକେଟ୍ କିପର ବ୍ୟାଟର ରିଷଭ ପନ୍ତ । ସୋସିଆଲ୍ ମିଡିଆରେ ମ୍ୟାଚ୍ ବେଳର ଏହି ଭିଡିଓ ଭାଇରାଲ ହେବା ପରେ ଉଭୟ ବୁମରା ଓ ପନ୍ତଙ୍କୁ କଡ଼ା ନିନ୍ଦା କରାଯାଉଛି । ଏପରିକି ଆଇସିସି ଉଭୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଅନେକ ଦାବି କରିଛନ୍ତି । ଶୁକ୍ରବାର ବଭୁମା ବ୍ୟାଟିଂ କରୁଥିବାବେଳେ ଏହି ଘଟଣା ଘଟିଥିଲା ।
ପ୍ରଥମ ଇନିଂସ୍ର ୧୩ତମ ଓଭରର (ବୁମରାଙ୍କ) ପଞ୍ଚମ ବଲ୍ ତାଙ୍କ ପ୍ୟାଡ୍ରେ ବାଜିଥିଲା । ବୁମରା ଓ ସାଥୀ ଖେଳାଳିମାନେ ଏଲ୍ବିଡବ୍ଲ୍ୟୁ ଆଉଟ ପାଇଁ ଅପିଲ କରିଥିଲେ । ମାତ୍ର ଅମ୍ପାୟାର ମନା କରିଥିଲେ । ଏହାପରେ ବୁମରା ଡିଆର୍ଏସ୍ ନେବା ପାଇଁ ପନ୍ତଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ସମୟରେ ଉଭୟ ବଭୁମାଙ୍କୁ ‘ବାଉନା’ ବା ବାମନ ବୋଲି କଟାକ୍ଷ କରୁଥିବାର ଭିଡିଓରେ ଶୁଣିବାକୁ ମିଳିଛି । ଏହି ଭିଡିଓ ସଙ୍ଗେ ସଙ୍ଗେ ଭାଇରାଲ ହୋଇଯାଇଥିଲା । ଭାରତୀୟ ଖେଳାଳିଙ୍କ ଠାରୁ ଏଭଳି ବ୍ୟବହାର ଗ୍ରହଣୀୟ ନୁହେଁ ବୋଲି ସୋସିଆଲ୍ ମିଡିଆ ଅନୁଗାମୀମାନେ ଉଲ୍ଲେଖ କରିଛନ୍ତି । ଏହି ଘଟଣାକୁ ନେଇ ଦକ୍ଷିଣ ଆଫ୍ରିକା ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।
ତେବେ ଏପରି ଅଶୋଭନୀୟ ଆଚରଣ ପାଇଁ ବୁମରାଙ୍କୁ ମିଳିପାରେ ଦଣ୍ଡ । ଆଇସିସି ଦଣ୍ଡିତ କରିପାରେ ବୋଲି ଅନୁମାନ କରାଯାଉଛି । ପଡ଼ିଆରେ ଶାନ୍ତ ଆଚରଣ ପାଇଁ ଜଣାଶୁଣା ବୁମରାହଙ୍କୁ ବିପକ୍ଷ ଖେଳାଳିମାନଙ୍କ ବିଷୟରେ କୌଣସି ମନ୍ତବ୍ୟ ଦେବାର ଦେଖାଯାଏ ନାହିଁ।