ଦୁବାଇ, : ୨୦୨୪ ବର୍ଷ  ପାଇଁ ଆଇସିସି ଶ୍ରେଷ୍ଠ ଖେଳାଳି ପୁରସ୍କାର  ତାଲିକା ଘୋଷଣା କରିଛି । ବର୍ଷର ଶ୍ରେଷ୍ଠ  ପୁରୁଷ ଖେଳାଳି ଓ ଶ୍ରେଷ୍ଠ ପୁରୁଷ ଟେଷ୍ଟ  ଖେଳାଳି ପୁରସ୍କାର ତାଲିକାରେ ଯଶପ୍ରୀତ  ବୁମରା ସ୍ଥାନ ପାଇଛନ୍ତି । 

ଶ୍ରେଷ୍ଠ ଖେଳାଳି ଦୌଡ଼ରେ ବୁମରାଙ୍କ  ବ୍ୟତୀତ ଇଂଲଣ୍ଡର ଜୋ ରୁଟ୍‌ ଓ ହ୍ୟାରୀ  ବ୍ରୁକ୍‌, ଅଷ୍ଟ୍ରେଲିଆର ଟ୍ରେଭିସ୍‌ ହେଡ୍‌ ରହିଛନ୍ତି ।  ବୁମରା ଚଳିତ ବର୍ଷ ୧୩ଟି ଟେଷ୍ଟରେ ୭୧ଟି  ୱିକେଟ୍‌ ନେଇଛନ୍ତି । ସେହିପରି ୮ଟି ଟି-ଟ୍ୱେଣ୍ଟି  ଖେଳି ୧୫ଟି ୱିକେଟ୍‌ ଅକ୍ତିଆର କରିଛନ୍ତି ।  ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସେ ପ୍ଲେୟାର ଅଫ  ଦ ସିରିଜ ବିବେଚିତ ହୋଇଥିଲେ । ବ୍ରୁକ୍‌  ଚଳିତ ବର୍ଷ ୧୨ଟି ଟେଷ୍ଟ ଖେଳି ୧୧୦୦ ରନ୍‌  ସଂଗ୍ରହ କରିଛନ୍ତି । ସେହିପରି ରୁଟ୍‌ ୧୭ଟି  ଟେଷ୍ଟ ଖେଳି ୫୫.୫୭ ହାରରେ ୧୫୫୬  ରନ୍‌ ସଂଗ୍ରହ କରିଥିବାବେଳେ ହେଡ୍‌ ୯ଟି  ଟେଷ୍ଟରୁ ୬୦୮ରନ୍‌ ଓ ୧୫ଟି ଟି-ଟ୍ୱେଣ୍ଟିରୁ  ୫୩୯ ରନ୍‌ ସଂଗ୍ରହ କରିଛନ୍ତି । 

ଶ୍ରେଷ୍ଠ ଟେଷ୍ଟ କ୍ରିକେଟ୍‌ ଖେଳାଳି  ପୁରସ୍କାର ଦୌଡ଼ରେ ବୁମରାଙ୍କ ବ୍ୟତୀତ  ଇଂଲଣ୍ଡର ରୁଟ୍‌ ଓ ବ୍ରୁକ୍‌ଙ୍କ ସମେତ ଶ୍ରୀଲଙ୍କାର  କାମିଣ୍ଡୁ ମେଣ୍ଡିସ୍‌ ସାମିଲ ରହିଛନ୍ତି । ମେଣ୍ଡିସ  ଚଳିତ ବର୍ଷ ୯ଟି ଟେଷ୍ଟ ଖେଳି ୭୪.୯୨  ହାରରେ ୧୦୪୯ ରନ୍‌ ସଂଗ୍ରହ କରିଛନ୍ତି । 

ଶ୍ରେଷ୍ଠ ଟି-ଟ୍ୱେଣ୍ଟି ଖେଳାଳି ପୁରସ୍କାର  ଦୌଡ଼ରେ ଭାରତର ଅର୍ଶଦୀପଙ୍କ ସମେତ  ଜିମ୍ବାୱେର ସିକନ୍ଦର ରାଜା, ଟ୍ରେଭିସ୍‌ ହେଡ  ଓ ପାକିସ୍ତାନର ବାବର ଆଜମ ରହିଛନ୍ତି ।  ଅର୍ଶଦୀପ ଚଳିତ ବର୍ଷ ୧୮ଟି ଟି-ଟ୍ୱେଣ୍ଟି ଖେଳି  ୩୬ଟି ୱିକେଟ୍‌ ଅକ୍ତିଆର କରିଛନ୍ତି । ଦିନିକିଆ  ଖେଳାଳି ପୁରସ୍କାର ଦୌଡ଼ରେ କୌଣସି  ଭାରତୀୟ ସ୍ଥାନ ପାଇନାହାନ୍ତି । 

ମହିଳା ଦିନିକିଆ ଖେଳାଳି ପୁରସ୍କାର ଦୌଡ଼ରେ ଭାରତର ସ୍ମୃତି ମନ୍ଧନା ସ୍ଥାନ ପାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ  ଅଷ୍ଟ୍ରେଲିଆର ଆନାବେଲ ସୁଦରଲାଣ୍ଡ, ଦକ୍ଷିଣ  ଆଫ୍ରିକାର ଲୌରା ଉଲଭାର୍ଟ ଓ ଶ୍ରୀଲଙ୍କାର  ଚାମରି ଆଟାପଟୁ ରହିଛନ୍ତି । ମନ୍ଧନା ଚଳିତ ବର୍ଷ ୧୨ଟି ଦିନିକିଆ ଖେଳି ୬୧.୯୧ ହାରରେ  ୭୪୩ ରନ୍‌ ସଂଗ୍ରହ କରିଛନ୍ତି । ମହିଳା  ଉଦୀୟମାନ ଖେଳାଳି ପୁରସ୍କାର ତାଲିକାରେ  ଭାରତର ଶ୍ରେୟଙ୍କା ପାଟିଲ ସ୍ଥାନ ପାଇଛନ୍ତି ।  ଶ୍ରେୟଙ୍କା ଚଳିତ ବର୍ଷ ୧୩ଟି ଟି-ଟ୍ୱେଣ୍ଟିରୁ ୧୫  ୱିକେଟ୍‌ ଓ ୨ଟି ଦିନିକିଆରୁ ୪ଟି ୱିକେଟ୍‌  ଅକ୍ତିଆର କରିଛନ୍ତି ।