ହାଇଦ୍ରାବାଦ,୨୪/୦୪: ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ  ଖେଳୁଥିବା ଟିମ ଇଣ୍ଡିଆ ପେସ୍‌ ବୋଲର ଯଶପ୍ରୀତ ବୁମରା  ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ୩୦୦ ୱିକେଟ୍‌ ପୂରଣ କରିଛନ୍ତି । ବୁଧବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ବୁମରା ଗୋଟିଏ  ୱିକେଟ୍‌ ନେଇଥିଲେ ଓ ତାଙ୍କ ସହ ଏହି ବିରଳ ରେକର୍ଡ ଯୋଡ଼ି  ହୋଇଯାଇଥିଲା । ସେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କେବଳ  ଆଇପିଏଲ୍‌ରେ ୧୭୦ ୱିକେଟ୍‌ ପୂରଣ କରିଥିଲେ । ପୂର୍ବରୁ କେବଳ ଲସିଥ ମାଲିଙ୍ଗା ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏତେ ସଂଖ୍ୟକ ୱିକେଟ୍‌  ନେଇଥିଲେ । ସେ ପଞ୍ଚମ ଭାରତୀୟ ବୋଲର ଭାବେ ଟି-ଟ୍ୱେଣ୍ଟି  ଫର୍ମାଟ୍‌ରେ ୩୦୦ ୱିକେଟ୍‌ ପୂରଣ କରିଛନ୍ତି ।

ତାଙ୍କ ପୂର୍ବରୁ  ୟୁଝବେନ୍ଦ୍ର ଚହଲ, ପିୟୂଷ ଚାୱଲା, ଭୁବନେଶ୍ୱର କୁମାର ଓ ରବି  ଚନ୍ଦ୍ରନ ଅଶ୍ୱିନ ଏହି ସଫଳତା ଅର୍ଜନ ପାଇଛନ୍ତି । ଚହଲ ଟି-ଟ୍ୱେଣ୍ଟି  ଫର୍ମାଟ୍‌ରେ ୩୭୩ଟି ୱିକେଟ୍‌ ଅକ୍ତିଆର କରିଥିବାବେଳେ ଚାୱଲା  ୩୧୯, ଭୁବନେଶ୍ୱର ୩୧୮ ଓ ଅଶ୍ୱିନ ୩୧୫ ୱିକେଟ୍‌ ନେଇଛନ୍ତି ।  ବୁମରା ଗୁଜରାଟ ପକ୍ଷରୁ ସୟଦ ମୁସ୍ତାକ ଅଲି ଟି-ଟ୍ୱେଣ୍ଟିରେ  ୩୮ଟି ୱିକେଟ୍‌ ଅକ୍ତିଆର କରିଥିବାବେଳେ ଭାରତ ପକ୍ଷରୁ  ଅନ୍ତର୍ଜାଜୀୟ ଟି-ଟ୍ୱେଣ୍ଟିରେ ୮୯ଟି ୱିକେଟ୍‌, ଆଇପିଏଲ୍‌ରେ ୧୭୦  ୱିକେଟ୍‌ ଓ ଚାମ୍ପିଅନ୍ସ ଲିଗ୍‌ ଟି-ଟ୍ୱେଣ୍ଟିରେ ୩ ୱିକେଟ୍‌ ନେଇଛନ୍ତି ।