ନୂଆଦିଲ୍ଲୀ ୨୯/୦୬: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅରବପତି ଜେଫ୍ ବେଜୋସ ଓ ଲରେନ ସାଂଚେଜ । ଗତ ଶୁକ୍ରବାର ରାତିରେ ସାନ୍ ଜର୍ଜିଓ ମ୍ୟାଗିଓର ଦ୍ୱୀପରେ ଏକ ବିଳାସପୂର୍ଣ୍ଣ ଉତ୍ସବରେ ଉଭୟଙ୍କର ବିବାହ ଅନୁଷ୍ଠିତ ହୋଇଥିଲା । ଗତ ୨୬ ତାରିଖରେ ଭେନିସ୍ରେ ଆୟୋଜିତ ୩ ଦିନିଆ ଏହି ଭବ୍ୟ ବିବାହ ଉତ୍ସବର ୨ୟ ଦିନର ଖର୍ଚ୍ଚ ୫୬ ମିଲିଅନ୍ ଡଲାର ବୋଲି ଚର୍ଚ୍ଚା ହେଉଛି ।
ଲରେନ ବିବାହର ଖୁସି ଖବର ନିଜ ଇନ୍ଷ୍ଟାଗ୍ରାମ୍ରେ ଦେଇଛନ୍ତି । ବେଜୋସଙ୍କ ସହ ଧଳା ଗାଉନ୍ରେ ଥିବା ନିଜର ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି । ଇଟାଲିର ଏହି ଲାଗୁନ୍ ସହର ଉଭୟଙ୍କ ବିବାହରେ ଉତ୍ସବମୁଖର ହୋଇଥିଲା । ଆଥ୍ଲେଟ୍, ହଲିଉଡ୍ ସେଲିବ୍ରିଟି, ବିଶ୍ୱର ପ୍ରଭାବଶାଳୀ ବ୍ୟକ୍ତି ଏବଂ ବିଜ୍ନେସ ଟାଇକୁନ୍ମାନେ ପ୍ରାଇଭେଟ୍ ଡଙ୍ଗା ଓ ୱାଟର୍ ଟାକ୍ସିରେ ବିବାହ ଉତ୍ସବରେ ପହଞ୍ଚିଥିଲେ ।
ଶୁକ୍ରବାରର ଉତ୍ସବ ପ୍ରସିଦ୍ଧ ଷୋଡ଼ଶ ଶତାବ୍ଦୀର ଜର୍ଜିଓ ମୋନାଷ୍ଟ୍ରି କମ୍ପେ୍ଲକ୍ସରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଓପ୍ରା ୱିନ୍ଫ୍ରେ, ଲିଓନାର୍ଡୋ ଡିକାପ୍ରିଓ, ଭିଟୋରିଆ କେରେଟି, କିମ୍ କାର୍ଦାଶିୟାଁ, କେଣ୍ଡଲ ଜେନର, କାଇଲି ଜେନର, ଇଭାଙ୍ଗା ଟ୍ରମ୍ପ୍, ଟମ୍ ବ୍ରାଡି, ସିଡ୍ନୀ ସ୍ୱିନୀ, କ୍ୱିନ୍ ରାନିଆ ଓ ଜୋର୍ଡାନ, ବିଲ୍ ଗେଟ୍ସ ଓ ନତାଶା ପୁନାୱାଲା ପ୍ରମୁଖ ଯୋଗ ଦେଇଥିଲେ । ୨୮ ତାରିଖ ଅର୍ଥାତ୍ ଗତ ଶନିବାର ପର୍ଯ୍ୟନ୍ତ ବିବାହ ଉତ୍ସବ ଚାଲିଥିଲା ।