ନୂଆଦିଲ୍ଲୀ ୨୯/୦୬: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅରବପତି ଜେଫ୍‌ ବେଜୋସ ଓ ଲରେନ ସାଂଚେଜ । ଗତ ଶୁକ୍ରବାର ରାତିରେ ସାନ୍‌ ଜର୍ଜିଓ ମ୍ୟାଗିଓର ଦ୍ୱୀପରେ ଏକ ବିଳାସପୂର୍ଣ୍ଣ  ଉତ୍ସବରେ ଉଭୟଙ୍କର ବିବାହ ଅନୁଷ୍ଠିତ ହୋଇଥିଲା ।  ଗତ ୨୬ ତାରିଖରେ ଭେନିସ୍‌ରେ ଆୟୋଜିତ ୩ ଦିନିଆ ଏହି ଭବ୍ୟ ବିବାହ ଉତ୍ସବର ୨ୟ  ଦିନର ଖର୍ଚ୍ଚ ୫୬ ମିଲିଅନ୍‌ ଡଲାର  ବୋଲି ଚର୍ଚ୍ଚା ହେଉଛି । 

ଲରେନ ବିବାହର ଖୁସି ଖବର ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଦେଇଛନ୍ତି । ବେଜୋସଙ୍କ ସହ  ଧଳା ଗାଉନ୍‌ରେ ଥିବା ନିଜର  ଏକ ଫଟୋ ମଧ୍ୟ ଶେୟାର  କରିଛନ୍ତି । ଇଟାଲିର ଏହି ଲାଗୁନ୍‌ ସହର ଉଭୟଙ୍କ  ବିବାହରେ ଉତ୍ସବମୁଖର ହୋଇଥିଲା । ଆଥ୍‌ଲେଟ୍‌,  ହଲିଉଡ୍‌ ସେଲିବ୍ରିଟି, ବିଶ୍ୱର ପ୍ରଭାବଶାଳୀ ବ୍ୟକ୍ତି  ଏବଂ ବିଜ୍‌ନେସ ଟାଇକୁନ୍‌ମାନେ ପ୍ରାଇଭେଟ୍‌ ଡଙ୍ଗା  ଓ ୱାଟର୍‌ ଟାକ୍ସିରେ ବିବାହ ଉତ୍ସବରେ ପହଞ୍ଚିଥିଲେ । 

ଶୁକ୍ରବାରର ଉତ୍ସବ ପ୍ରସିଦ୍ଧ ଷୋଡ଼ଶ ଶତାବ୍ଦୀର ଜର୍ଜିଓ  ମୋନାଷ୍ଟ୍ରି କମ୍ପେ୍ଲକ୍ସରେ ଅନୁଷ୍ଠିତ  ହୋଇଥିଲା । ଏଥିରେ ଓପ୍ରା  ୱିନ୍‌ଫ୍ରେ, ଲିଓନାର୍ଡୋ ଡିକାପ୍ରିଓ,  ଭିଟୋରିଆ କେରେଟି, କିମ୍‌  କାର୍ଦାଶିୟାଁ, କେଣ୍ଡଲ ଜେନର,  କାଇଲି ଜେନର, ଇଭାଙ୍ଗା ଟ୍ରମ୍ପ୍‌,  ଟମ୍‌ ବ୍ରାଡି, ସିଡ୍‌ନୀ ସ୍ୱିନୀ, କ୍ୱିନ୍‌ ରାନିଆ ଓ ଜୋର୍ଡାନ, ବିଲ୍‌ ଗେଟ୍ସ  ଓ ନତାଶା ପୁନାୱାଲା ପ୍ରମୁଖ ଯୋଗ ଦେଇଥିଲେ ।  ୨୮ ତାରିଖ ଅର୍ଥାତ୍‌ ଗତ ଶନିବାର ପର୍ଯ୍ୟନ୍ତ ବିବାହ ଉତ୍ସବ ଚାଲିଥିଲା ।