ପୁରୀ,୦୪/୦୮: ଆଜି ଶ୍ରୀକ୍ଷେତ୍ରରେ ସୋମବାରଠାରୁ ଠାକୁରଙ୍କ ବର୍ଷାକାଳୀନ ରାହାସ  ଉତ୍ସବ ପ୍ରସିଦ୍ଧ ଝୁଲଣ ଯାତ୍ରା ଆରମ୍ଭ ହେବ । ୭ ଦିନ ଧରି ଅନୁଷ୍ଠିତ ହେବ ଏହି ମହୋତ୍ସବ । ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ । ଶ୍ରୀମନ୍ଦିର ଝୁଲଣରେ ବିଜେ ହେବେ ମଦନମୋହନ,  ଲକ୍ଷ୍ମୀ ଓ ସରସ୍ୱତୀ । ମଠରେ ସୁସଜ୍ଜିତ  ଝୁଲଣ କୁଞ୍ଜରେ ଉଭା ହେବେ ଶ୍ରୀରାଧାକୃଷ୍ଣ ।  କେତେକ ଧର୍ମାନୁଷ୍ଠାନରେ ପାରମ୍ପରିକ ସାଂସ୍କୃତିକ  କାର୍ଯ୍ୟକ୍ରମ ଆୟୋଜନ ହେବ । ସନ୍ଧ୍ୟାରେ  ମଠ ମନ୍ଦିରରେ ଜମିବ ଶ୍ରଦ୍ଧାଳୁଙ୍କ ଭିଡ଼ ।  

ବଡ଼ଦେଉଳରେ ମଧ୍ୟାହ୍ନ ଧୂପ ପରେ ଅନୁଷ୍ଠିତ  ହେବ ଝୁଲଣ ଯାତ୍ରାର ସ୍ୱତନ୍ତ୍ର ବିଧିବିଧାନ ।  ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଶ୍ରୀ ମଦନମୋହନଙ୍କ  ସହ ଭୂଦେବୀ ଓ ଶ୍ରୀଦେବୀ ମୁକ୍ତି ମଣ୍ଡପ ଝୁଲଣ  କୁଞ୍ଜକୁ ବିଜେ କରିବେ । ସେଠାରେ ଝୁଲଣ ନୀତି  ସହ ଭୋଗ ଓ ବିଡିଆ ମଣୋହୀ କରାଯିବ ।  ଏହାପରେ ନିଜ ନିଜ ଆସ୍ଥାନକୁ ବାହୁଡ଼ିବେ  ଦେବଦେବୀ । ଝୁଲଣ ସାଜ୍ଜସଜ୍ଜା ଦେଖି ଶ୍ରଦ୍ଧାଳୁମାନେ  ଆନନ୍ଦ ଲଭିବେ । ଏଥିସହ ଉତ୍ସବମୁଖର ହେବ  ଶ୍ରୀକ୍ଷେତ୍ରର ମଠବାଡି଼ । ଧର୍ମାନୁଷ୍ଠାନରେ ଅନୁଷ୍ଠିତ  ହେବ ସ୍ୱତନ୍ତ୍ର ଦେବନୀତି । ମଠକୁ ମଠ ବୁଲି  ଝୁଲଣ କୁଞ୍ଜରେ ଠାକୁରଙ୍କୁ ଦର୍ଶନ କରିବା ସହ  ମହୋତ୍ସବର ଆନନ୍ଦ ନେବେ ହଜାର ହଜାର ଶ୍ରଦ୍ଧାଳୁ ।