ପୁରୀ,୦୪/୦୮: ଆଜି ଶ୍ରୀକ୍ଷେତ୍ରରେ ସୋମବାରଠାରୁ ଠାକୁରଙ୍କ ବର୍ଷାକାଳୀନ ରାହାସ ଉତ୍ସବ ପ୍ରସିଦ୍ଧ ଝୁଲଣ ଯାତ୍ରା ଆରମ୍ଭ ହେବ । ୭ ଦିନ ଧରି ଅନୁଷ୍ଠିତ ହେବ ଏହି ମହୋତ୍ସବ । ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ । ଶ୍ରୀମନ୍ଦିର ଝୁଲଣରେ ବିଜେ ହେବେ ମଦନମୋହନ, ଲକ୍ଷ୍ମୀ ଓ ସରସ୍ୱତୀ । ମଠରେ ସୁସଜ୍ଜିତ ଝୁଲଣ କୁଞ୍ଜରେ ଉଭା ହେବେ ଶ୍ରୀରାଧାକୃଷ୍ଣ । କେତେକ ଧର୍ମାନୁଷ୍ଠାନରେ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ । ସନ୍ଧ୍ୟାରେ ମଠ ମନ୍ଦିରରେ ଜମିବ ଶ୍ରଦ୍ଧାଳୁଙ୍କ ଭିଡ଼ ।
ବଡ଼ଦେଉଳରେ ମଧ୍ୟାହ୍ନ ଧୂପ ପରେ ଅନୁଷ୍ଠିତ ହେବ ଝୁଲଣ ଯାତ୍ରାର ସ୍ୱତନ୍ତ୍ର ବିଧିବିଧାନ । ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଶ୍ରୀ ମଦନମୋହନଙ୍କ ସହ ଭୂଦେବୀ ଓ ଶ୍ରୀଦେବୀ ମୁକ୍ତି ମଣ୍ଡପ ଝୁଲଣ କୁଞ୍ଜକୁ ବିଜେ କରିବେ । ସେଠାରେ ଝୁଲଣ ନୀତି ସହ ଭୋଗ ଓ ବିଡିଆ ମଣୋହୀ କରାଯିବ । ଏହାପରେ ନିଜ ନିଜ ଆସ୍ଥାନକୁ ବାହୁଡ଼ିବେ ଦେବଦେବୀ । ଝୁଲଣ ସାଜ୍ଜସଜ୍ଜା ଦେଖି ଶ୍ରଦ୍ଧାଳୁମାନେ ଆନନ୍ଦ ଲଭିବେ । ଏଥିସହ ଉତ୍ସବମୁଖର ହେବ ଶ୍ରୀକ୍ଷେତ୍ରର ମଠବାଡି଼ । ଧର୍ମାନୁଷ୍ଠାନରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ଦେବନୀତି । ମଠକୁ ମଠ ବୁଲି ଝୁଲଣ କୁଞ୍ଜରେ ଠାକୁରଙ୍କୁ ଦର୍ଶନ କରିବା ସହ ମହୋତ୍ସବର ଆନନ୍ଦ ନେବେ ହଜାର ହଜାର ଶ୍ରଦ୍ଧାଳୁ ।