ନୂଆଦିଲ୍ଲୀ: ଅନଲାଇନରେ ଆରମ୍ଭ କରୁଥିଲେ ବନ୍ଧୁତା । ପରେ ବନ୍ଧୁତାରୁ ପ୍ରେମ ଆଉ ପ୍ରେମରୁ ଖରାପ ସମ୍ପର୍କ । ଥରେ ଏହି ମାୟା ଜାଲରେ ଫସିବା ପରେ ଖାଲି ହେଉଥିଲା ପକେଟ୍ । ଜଣେ ମହିଳା କ୍ରିକେଟର ଏଭଳି ଯୌନ ଶୋଷଣ ଏବଂ ବ୍ଲାକମେଲିଂ ଟଙ୍କା ଆଦାୟ କରୁଥିବା ଅଭିଯୋଗ ଆସିଛି । ଏହି ଘଟଣାରେ ମହିଳା କ୍ରିକେଟରଙ୍କ ସହ ତାଙ୍କ ସହଯୋଗୀଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଗିରଫ କରାଯାଇଛି । ମୁମ୍ବାଇର କ୍ରାଇମବ୍ରାଞ୍ଚ ଏମାନଙ୍କୁ ହେପାଜତରେ ରଖିଥିବାବେଳେ ଘଟଣାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।
ମିଳିଥିବା ସୂଚନା ଅନୁଯାୟୀ, ଜମ୍ମୁ-କାଶ୍ମୀର ଟି-୨୦ ଲିଗ୍ ସହ ଜଡ଼ିତ ଜଣେ ମହିଳା କ୍ରିକେଟର ଏବଂ ତାଙ୍କ ଭାଇ ବାଜିଲ୍ ଖାନଙ୍କ ନାଁରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ୩୦ ବର୍ଷୀୟା କ୍ରିକେଟରଙ୍କ ସହ ତାଙ୍କ ଭାଇ ରଚିଥିବା ଷଡ଼ଯନ୍ତ୍ର ପଣ୍ଡ ହୋଇଥିବାବେଳେ ଦିଲ୍ଲୀର ଏକ ହୋଟେଲରୁ ଏମାନଙ୍କୁ ଗିରଫ କରାଯାଇଛି । ଏହାସହ ଏହି ଗ୍ୟାଙ୍ଗରେ ଜଡିତ ଅନ୍ୟଜଣେ ଇମତିଆଜକୁ ଶ୍ରୀନଗରରୁ ଗିରଫ କରିଛି ପୁଲିସ ।
କୁହାଯାଉଛି କି, ଏମାନେ ଧନୀ ବ୍ୟବସାୟୀଙ୍କୁ ଟାର୍ଗେଟ କରିବା ଆରମ୍ଭ କରୁଥିଲେ । ମୁମ୍ବାଇର ଜଣେ ଯୁବ ବ୍ୟବସାୟୀଙ୍କୁ ଜାଲରେ ଫଶାଇଥିଲେ । ୨୦୨୪ ମସିହାରେ ସେମାନଙ୍କ ମଧ୍ୟ ପ୍ରଥମେ ବନ୍ଧୁତା ହୋଇଥିଲା । ପରେ କ୍ରିକେଟର ଜଣକ ତାଙ୍କ ସହ ଖରାପ ସମ୍ପର୍କ ରଖିଥିଲେ । ଆଉ ଭିଡିଓ କରିଥିବାବେଳେ ପରେ ଧମକ ଦେଇ ଟଙ୍କା ଲୁଟିବା ଆରମ୍ଭ କରିଥିଲେ । ଟଙ୍କା ନେଲେ ଚାଟିଂଠାରୁ ଆରମ୍ଭ କରି ସବୁ ଭାଇରାଲ କରିବାକୁ ଧମକ ଦେଇଥିଲେ ।
ବ୍ୟବସାୟୀ ଜଣକ କହିଛନ୍ତି କି, ସେ ୩୦ ଭିନ୍ନ ଭିନ୍ନ ଆକାଉଣ୍ଟରେ ପାଖାପାଖି ୨୩.୬୧ ଲକ୍ଷ ଟଙ୍କାରୁ ଅଧିକ ନେଇଛନ୍ତି । ପରେ ଏନେଇ ଅଭିଯୋଗ କରିବା ପରେ ଧରାପଡ଼ିଛନ୍ତି । ଏଭଳିଭାବେ ଏମାନେ ଅନେକ ଜଣକଙ୍କ ପାଖରୁ ଟଙ୍କା ଲୁଟିଥିବା ମଧ୍ୟ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆସିବାରେ ଲାଗିଛି ।
ଏହାସହ ପଢ଼ନ୍ତୁ : ବଡ଼ ଭାଇ ନା ସାନ, କାହାକୁ ସମର୍ଥନ କରିବେ ମାଳତୀ ଚହର ?