ନୂଆଦିଲ୍ଲୀ, ୨୭।୨: ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ରଣକ୍ଷେତ୍ରରେ ପରିଣତ ହୋଇଛି । ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ଏବଂ ପୁଲିସ ମଧ୍ୟରେ ଭୟଙ୍କର ଧସ୍ତାଧସ୍ତି ଦେଖିବାକୁ ମିଳିଛି । ଏହି ସମୟର କିଛି ସାଂଘାତିକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଛାତ୍ରମାନେ ପୋଲିସ ଉପରକୁ ଆକ୍ରମଣ କରୁଥିବା ନଜର ଆସୁଛନ୍ତି । ଜେଏନୟୁ ଛାତ୍ର ସଂଘ (JNUSU) ପକ୍ଷରୁ ଶିକ୍ଷା ମନ୍ତ୍ରଣାଳୟ ଅଭିମୁଖେ ଏକ 'ଲଙ୍ଗ ମାର୍ଚ୍ଚ' ବା ବିରୋଧ ପ୍ରଦର୍ଶନର ଆହ୍ୱାନ ଦିଆଯାଇଥିଲା । ବିଶ୍ୱବିଦ୍ୟାଳୟ କୁଳପତିଙ୍କ କିଛି ନିଷ୍ପତ୍ତି ଏବଂ ଛାତ୍ର ନେତାଙ୍କ ନିଲମ୍ବନ ବିରୋଧରେ ଏହି ଆନ୍ଦୋଳନ କରାଯାଉଥିଲା । ପୁଲିସ ପକ୍ଷରୁ କ୍ୟାମ୍ପସ ବାହାରକୁ ଯିବା ପାଇଁ ଅନୁମତି ନଥିଲେ ମଧ୍ୟ ପ୍ରାୟ ୪୦୦-୫୦୦ ଛାତ୍ର ଜବରଦସ୍ତି ଗେଟ୍ ବାହାରକୁ ଯିବାକୁ ଚେଷ୍ଟା କରିଥିଲେ ।
ଏହା ବି ପଢ଼ନ୍ତୁ... ମାଡ଼ି ଆସୁଛି ଭୟଙ୍କର ଘୂର୍ଣ୍ଣିଝଡ଼ ‘ହୋରାସିଓ’; ସବୁଠି ହାଇ-ଆଲର୍ଟ, ବଦଳିବ ଦେଶର ପାଗ
ଭିଡିଓରେ କଏଦ ହେଲା ବର୍ବରତା: ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଛାତ୍ର କର୍ତ୍ତବ୍ୟରତ ପୁଲିସ ଅଧିକାରୀଙ୍କୁ ଚାପୁଡ଼ା ମାରୁଛନ୍ତି । ଅନ୍ୟ ଏକ ଭିଡିଓରେ ଛାତ୍ରମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଲାଠି ଓ ଜୋତା ଫିଙ୍ଗୁଛନ୍ତି । ପୁଲିସର ଦାବି ଅନୁଯାୟୀ, କିଛି ଛାତ୍ର ପୁଲିସ କର୍ମଚାରୀଙ୍କୁ ଦାନ୍ତରେ କାମୁଡ଼ି ଦେଇଛନ୍ତି ।
୧୪ ଗିରଫ, ପରେ ମିଳିଲା ଜାମିନ:
ଏହି ହିଂସାକାଣ୍ଡ ମାମଲାରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୧୪ ଜଣଙ୍କୁ ଗିରଫ କରିଥିଲା । ତେବେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଗିରଫ ହୋଇଥିବା ସମସ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଜାମିନ ପାଇଥିବା ମୁଖ୍ୟ ଛାତ୍ର ନେତାମାନେ ହେଲେ JNU ସଭାପତି ଅଦିତି ମିଶ୍ରା, ପୂର୍ବତନ ସଭାପତି ନୀତିଶ କୁମାର, ଉପସଭାପତି ଗୋପିକା ବାବୁ, ଯୁଗ୍ମ ସମ୍ପାଦକ ଦାନିଶ ଅଲି । ପୋଲିସର କହିବା କହିବାନୁସାରେ, ଛାତ୍ରମାନେ ଆଇନ ହାତକୁ ନେଇଛନ୍ତି ଏବଂ ପୁଲିସ ଉପରକୁ ମାରାତ୍ମକ ଆକ୍ରମଣ କରିଛନ୍ତି, ଯେଉଁଥିରେ ଅନେକ କର୍ମଚାରୀ ଆହତ ହୋଇଛନ୍ତି । ଆନ୍ଦୋଳନ ସମୟରେ ପୁଲିସ ଅତ୍ୟଧିକ ବଳ ପ୍ରୟୋଗ କରିଛି ଏବଂ ଶାନ୍ତିପୂର୍ଣ୍ଣ ମାର୍ଚ୍ଚକୁ ଅଟକାଇବାକୁ ଚେଷ୍ଟା କରିଛି । ଏଥିରେ ଅନେକ ଛାତ୍ରଛାତ୍ରୀ ମଧ୍ୟ ଆହତ ହୋଇଛନ୍ତି ।