ଝଟ୍‌କା ପରେ ଝଟ୍‌କା । ନିଯୁକ୍ତି  ପରୀକ୍ଷାରେ ବାରମ୍ବାର ବିଭ୍ରାଟ ।  ଅସହାୟତା ଆଉ ଅନିଶ୍ଚିତତା ମଧ୍ୟରେ  କଟୁଛି ବେକାରୀ ଜୀବନ । ବେକାରଙ୍କ  କଟା ଘା’ରେ ଚୂନ ବୋଳୁଛି ପରୀକ୍ଷା  ବାତିଲ । ସରକାର ସମ୍ବେଦନଶୀଳ  ହୁଅନ୍ତୁ । ବାଟ ବାହାର କରନ୍ତୁ ।

ଶିକ୍ଷିତ କାନ୍ଦୁଛି । ମୂର୍ଖ ହସୁଛି । ବଡ଼ ବଡ଼ କଥା । କାମ କିନ୍ତୁ ଶୂନ । ରାଜ୍ୟର ଲକ୍ଷ ଲକ୍ଷ ବେକାରଙ୍କୁ ଖତେଇ ହେଉଛି  ସରକାରୀ ବ୍ୟବସ୍ଥା । ଯମ ଯନ୍ତ୍ରଣାରେ କଟୁଛି ବେକାରଙ୍କ ଦିନ ।  ଆଖିରେ ଆଖିଏ ସ୍ୱପ୍ନ । ନିଜ ଭବିଷ୍ୟତ ପାଇଁ । ପରିବାର ପାଇଁ ।  ସରକାରୀ ଚାକିରି ତ ଅମୂଲ ମୂଲ । ଏ ଚାକିରି ଖଣ୍ଡିଏ ପାଇଁ କି  ଦିନ ନି ରାତି । ଗୋଟିଏ ଲକ୍ଷ୍ୟ । କଠିନ ପରିଶ୍ରମ । ହେଲେ ଭାଗ୍ୟ  ତ ପଥର ତଳେ । ରାତି ପାହିଲେ ପରୀକ୍ଷା । ରାତି ଅଧରେ ପରୀକ୍ଷା  ବାତିଲର ଖବର । କାରଣ ପଚାରିଲେ ଉତ୍ତର, ଅମୁକ ଆଉ  ସମୁକ । ପ୍ରଶ୍ନପତ୍ର ପ୍ରଘଟରୁ ଆହୁରି କେତେ କ’ଣ । ମନ ଭାଙ୍ଗି  ପଡ଼ୁଛି । ଛଟପଟ ବେକାରୀ ଜୀବନକୁ ଲାଗୁଛି ଧକ୍କା । ମିଳେଇ  ଯାଉଛି ପରିଶ୍ରମ, ଏକାଗ୍ରତା, ଠିକ ପାଣି ଫୋଟକା ପରି। ପୁଣି  କେବେ ପରୀକ୍ଷା ହେବ? ଅନ୍ତହୀନ ଅପେକ୍ଷା । ଏମିତି ଏବେ  ରାଜ୍ୟରେ ଆମ ବେକାର ଯୁବପିଢ଼ିଙ୍କ ଜୀବନ । ନିୟୋଜନ ସଂସ୍ଥାର  ଅପାରଗତା ଓ ଦାୟିତ୍ୱହୀନତାରୁ ବଳି ଚଢ଼ୁଛି ନିଯୁକ୍ତି ପରୀକ୍ଷା ।  ଯୁଆଡ଼କୁ ଚାହିଁଲେ ଅନ୍ଧାର ଆଉ ବହଳ ଅନ୍ଧାର । 

ନିଯୁକ୍ତି ପରୀକ୍ଷାକୁ ଗ୍ରହଣ 

ଝଟ୍‌କା ପରେ ଝଟ୍‌କା । ନିଯୁକ୍ତି ପରୀକ୍ଷାରେ ବାରମ୍ବାର ବିଭ୍ରାଟ ।  ବାଟ ଭାଙ୍ଗି ଖସିଯାଉଛନ୍ତି ବଡ଼ ବଡ଼ିଆ । ତଳ ତଳିଆଙ୍କୁ ଧର ଧର  ମାର ମାର୍‌ । ବର୍ଷ ଆରମ୍ଭରୁ ନିଯୁକ୍ତି ପରୀକ୍ଷାକୁ ଲାଗିଛି ଗ୍ରହଣ ।  ନିଯୁକ୍ତି ପରୀକ୍ଷାରେ ନାହିଁ ସ୍ୱଚ୍ଛତା । କେବେ ପ୍ରଶ୍ନରେ ତ୍ରୁଟି, ଆଉ  କେବେ ପ୍ରଶ୍ନପତ୍ର ଲିକ୍‌ । କେବେ ପରୀକ୍ଷା ବାତିଲ । ଆଉ କେବେ  ରଦ୍ଦ । ନିଯୁକ୍ତି ସଂସ୍ଥାର ଖାମଖିଆଲ ମନୋଭାବ ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଇଛି । ମୁଣ୍ଡରେ ବୋଳିଛି ବଦନାମର  ପାପ । ସରକାରୀ ଚାକିରି ପାଇଁ ବର୍ଷ ବର୍ଷ ପରିଶ୍ରମ କରିଥିବା  ବେକାର ଯୁବକ ଯୁବତୀଙ୍କୁ ବୁଦ୍ଧି ବାଟ ଦିଶୁନି । ଚାକିରି ପାଇବାକୁ  ଛଟପଟ । ମନ ଡହଳବିକଳ । 

ପ୍ରିଲିମିନାରୀ ପରୀକ୍ଷା ଫଳ ବାହାରିଲା । ଏବେ ମୁଖ୍ୟ  ପରୀକ୍ଷା କିନ୍ତୁ ବାତିଲ । କାରଣ ହେଉଛି, ନିଯୁକ୍ତି ବିଜ୍ଞପ୍ତିର  ସର୍ତ୍ତାବଳୀ ଉଲ୍ଲଂଘନ । ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିସନ ଦ୍ୱାରା  ପରିଚାଳିତ ଆର୍‌ଆଇ, ଆଇସିଡିଏସ୍‌  ସୁପରଭାଇଜର, ଏଆର୍‌ଆଇ, ଅମିନ  ଓ ଷ୍ଟାଟିଷ୍ଟିକାଲ୍‌ ଫିଲ୍ଡ ସୁପରଭାଇଜର୍‌  ମୁଖ୍ୟ ପରୀକ୍ଷା ବାତିଲ ହୋଇଛି ।  ପ୍ରିଲିମିନାରି ପରୀକ୍ଷାଫଳ ମଧ୍ୟ  ରଦ୍ଦ ହୋଇଛି । ଏପ୍ରିଲରେ ଓଡ଼ିଶା  ଲୋକସେବା ଆୟୋଗର ସିଭିଲ୍‌ ସର୍ଭିସ୍‌ ସେବା ମେନ୍‌-୨୦୨୩ର  ଆନ୍ଥ୍ରୋପୋଲାଜି ପରୀକ୍ଷାରେ ବିଭ୍ରାଟ ପାଲଟିଥିଲା ବଡ଼ ଖବର ।  ଓଏସ୍‌ଏସ୍‌ସି ଦ୍ୱାରା ପରିଚାଳିତ ଏକ୍ସାଇଜ୍‌ ଓ ଟ୍ରାଫିକ୍‌ ଏସ୍‌ଆଇ  ପରୀକ୍ଷାରେ ତ୍ରୁଟି ପଦାକୁ ଆସିଲା । ଓଡ଼ିଶା ସୂଚନା ସେବା କ୍ୟାଡର୍‌  ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି କହିଲେ ନସରେ । ନିକଟରେ ସ୍ୱତନ୍ତ୍ର  ଓଟିଇଟି ପରୀକ୍ଷା ବି ପ୍ରଶ୍ନପତ୍ର ଲିକ୍‌ରେ ବଳି ଚଢ଼ିଗଲା । ଏହି  ପ୍ରଶ୍ନପତ୍ର ପ୍ରଘଟ ପଛର ଅସଲ ଖଳନାୟକ ହେଉଛନ୍ତି ବୋର୍ଡ  ଉପସଭାପତି । ଚୋର ହାତରେ ଚାବିକାଠି ଭଳି ଅବସ୍ଥା । ନିଯୁକ୍ତି  ପରୀକ୍ଷା ପରିଚାଳନାରେ ଏପରି ଅନିୟମିତତା ବେକାରଙ୍କୁ  ଚାପଗ୍ରସ୍ତ କରାଉଛି । ଚାକିରି ଆଶାୟୀଙ୍କ ଭବିଷ୍ୟତ ଏବେ  ଅନ୍ଧାରରେ । ସ୍ୱଚ୍ଛତାର ସହ ପରୀକ୍ଷା ଉପରେ ସରକାର ଜୋର  ଦେଉଛନ୍ତି । ନିଯୁକ୍ତି ସଂସ୍ଥା କିନ୍ତୁ ତ୍ରୁଟି ଶୂନ୍ୟ ପରୀକ୍ଷା ପାଇଁ ନିଷ୍ଠାପଣ  ଦେଖାଉନି । ଗୋଦରା କୋଡ଼େ ଯେତେ, ମାଡ଼େ ସେତେ । ଯୁବକ  ଯୁବତୀଙ୍କ ଚାକିରି ପ୍ରସ୍ତୁତିକୁ ସତେ ଯେମିତି କେହି ଉପହାସ  କରୁଛି । ଏମିତିରେ ବେକାରୀ କେମିତି ଦୂର ହେବ? 

ଶୂନ୍ୟ ଆକାଶକୁ ଚାହିଁଛନ୍ତି ବେକାର

 ଅବସାଦରେ ଛଟପଟ ରାଜ୍ୟର ଯୁବଗୋଷ୍ଠୀ । ଦୋହଲିଯାଉଛି  ଆତ୍ମବିଶ୍ୱାସ । ଅଜଣା ଭୟରେ ମନ ଅଶାନ୍ତ ଓ ଅସ୍ତବ୍ୟସ୍ତ ।  ରାଜ୍ୟରେ ୧୧ ଲକ୍ଷ ୯୭ ହଜାର ପିଲା କର୍ମନିୟୋଜନ  କାର୍ଯ୍ୟାଳୟରେ ନାମ ପଞ୍ଜୀକରଣ କରିଛନ୍ତି । ହେଲେ ଚାକିରି  କାହିଁ? ଇଞ୍ଜିନିୟରିଂ, ମେଡିକାଲ୍‌, ଆଇନ, ମ୍ୟାନେଜମେଣ୍ଟର  ଡିଗ୍ରୀ ସାର୍ଟିଫିକେଟ୍‌ ଅଛି । ନିଯୁକ୍ତି ପାଇଁ ଆକାଶକୁ ଚାହିଁ ବସିଛନ୍ତି ।  ନିଯୁକ୍ତି ବିଜ୍ଞାପନ ବାହାରୁଛି । ପରୀକ୍ଷା ଦିନ ଧାର୍ଯ୍ୟ ହେଲା ବେଳକୁ  ବାତିଲର ଖବର ଆସୁଛି । ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି । ଯୁବପିଢ଼ିଙ୍କ  ମନରେ ବସା ବାନ୍ଧିଛି ଭୟ ଆଉ ଉତ୍କଣ୍ଠା । ବୟସ ଗଡ଼ି ଯାଉଛି ।  କେଉଁଠୁ କାମଧନ୍ଦା ଖୋଜିବି? କେବେ ପୁଣି ପରୀକ୍ଷା ହେବ?  ତାଳୁରୁ ତଳିପା ଏମିତି ବହୁ ପ୍ରଶ୍ନ ରାମଦୋଳି ଭଳି ଘୂରି ବୁଲୁଛି। ମନକୁ ଯେତେ ବୁଝାଇଲେ ବି ବୁଝୁନି ।

ଗତ ଜୁନ୍‌ ମାସରେ ରାଉରକେଲାରେ ଗୃହରକ୍ଷୀ ନିଯୁକ୍ତି ପରୀକ୍ଷା  ପ୍ରମାଣ ଦେଇଥିଲା ଉତ୍କଟ ବେକାରୀ ସମସ୍ୟାର । ଏହି ଚାକିରି  ପାଇଁ ଶିକ୍ଷାଗତ ଯୋଗ୍ୟତା ଥିଲା ପଞ୍ଚମ ଶ୍ରେଣୀ । ୧୦୭ଟି ଗୃହରକ୍ଷୀ  ପଦବୀ ପାଇଁ ଆଶ୍ଚର୍ଯ୍ୟଜନକ ଭାବେ ୯ହଜାରରୁ ଅଧିକ ପ୍ରାର୍ଥୀ  ଭିଡ଼ କରିଥିଲେ । ଆବେଦନକାରୀଙ୍କ ମଧ୍ୟରେ ଥିଲେ ଇଞ୍ଜିନିୟର,  ଏମ୍‌ବିଏ, ଏମ୍‌ସିଏ, ଡିପ୍ଲୋମା ଏବଂ ଆଇଟିଆଇ ଡିଗ୍ରୀଧାରୀ ।  ରାଜ୍ୟରେ ନାମ ପଞ୍ଜୀକରଣ କରିଥିବା  ୧୨ ଲକ୍ଷ ପିଲା ନିଯୁକ୍ତି ପାଇଛନ୍ତି କି?  ଏ ପ୍ରଶ୍ନର ଉତ୍ତର ଖୋଦ ସରକାରଙ୍କ  ପାଖରେ ନାହିଁ । ଘରୋଇ ସଂସ୍ଥାରେ  ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ବି  ଉଦ୍ୟମ କାଇଁ ଯେ? ଶିଳ୍ପ ସଂସ୍ଥାରେ  ରାଜ୍ୟରୁ କମ୍‌, ପଡ଼ୋଶୀ ରାଜ୍ୟରୁ ଅଧିକ ପିଲା କାମ ପାଉଛନ୍ତି ।  ନୂଆ ସରକାର ଆସିବା ପରେ ୫ ବର୍ଷ ମଧ୍ୟରେ ଦେଢ଼ ଲକ୍ଷ  ପଦବି ପୂରଣ ପାଇଁ ଅଣ୍ଟା ଭିଡ଼ିଛନ୍ତି । ହେଲେ ଚୟନ ସଂସ୍ଥାର  ବେପରୁଆ ମନୋଭାବରୁ ପ୍ରତି ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ଆଉ  ତ୍ରୁଟି ଦେଖାଯାଉଛି । ରାଜ୍ୟରେ ନିଯୁକ୍ତିକୁ ବ୍ୟାପକ କରିବାକୁ ‘ନୂଆ  ଓଡ଼ିଶା’ କାର୍ଯ୍ୟକ୍ରମ ପ୍ରଭାବୀ ଢଙ୍ଗରେ ବେକାରଙ୍କ ପାଇଁ ତିଆରି  କରିପାରୁନି ସୁଯୋଗ । ମୟୂରଭଞ୍ଜରୁ ମାଲକାନଗିରି, ରାଜଧାନୀରୁ  ରାଉରକେଲା ସବୁଠି ବେକାରୀ ଏବେ ବଡ଼ ସମସ୍ୟା ଭାବେ ଉଭା  ହୋଇଛି । ରାଜ୍ୟର ଲକ୍ଷ ଲକ୍ଷ ବେକାର ଢୋକେ ପିଇ ଦଣ୍ଡେ  ଜିଇଁବା ଅବସ୍ଥାରେ । 

ସାର୍ବଜନୀନ ପରୀକ୍ଷା ଆଇନକୁ ଫୁ

ନିଯୁକ୍ତି ପରୀକ୍ଷା ହେବ ସ୍ୱଚ୍ଛ । କୌଣସି ପ୍ରକାର ଅନିୟମିତତା ଓ  ଅସାଧୁ ଉପାୟ ଚଳିବନି । ଗଫଲତିରେ ତାଲା ଲାଗିବ । ସରକାରୀ  ନିଯୁକ୍ତି ପରୀକ୍ଷାରେ କେହି ଅସାଧୁ ଉପାୟ ଅବଲମ୍ବନ କଲେ  କିମ୍ବା ଗଳାବାଟର ଆଶ୍ରୟ ନେଲେ ବନ୍ଧା ହେବେ । ୧୦ ବର୍ଷ ଜେଲ୍‌  ଯିବେ । ଜରିମାନା ମଧ୍ୟ ଦେବେ କୋଟିଏ ଟଙ୍କା । ରାଜ୍ୟ ସରକାର  ‘ଓଡ଼ିଶା ସାର୍ବଜନୀନ ପରୀକ୍ଷା (ଅସାଧୁ ଉପାୟ ନିରୋଧ) ଆଇନ  ୨୦୨୪’ ଆଣି ଏ ବାର୍ତ୍ତା ଦେଲେ । ଏପରିକି ଯେଉଁ ସଂସ୍ଥା ସେବା  ଯୋଗାଣରେ ନିୟୋଜିତ ଥିବେ ସଂପୃକ୍ତି ଜଣାପଡ଼ିଲେ ୧ କୋଟି  ଟଙ୍କା ପର୍ଯ୍ୟନ୍ତ ଜରିମାନାରେ ଦଣ୍ଡିତ ହେବେ । ହେଲେ ପ୍ରଶ୍ନପତ୍ର  ପ୍ରଘଟ ସହ ଅନିୟମିତତାରେ ସଂପୃକ୍ତ ବ୍ୟକ୍ତିବିଶେଷ ଏହି  ଆଇନକୁ ଖାତିର କରୁନାହାନ୍ତି ।ନିଜ ପକେଟ ଗରମ କରିବାକୁ  ଅସାଧୁ ବାଟ କାଢ଼ୁଛନ୍ତି । ପରୀକ୍ଷାରେ ଯୋଗ୍ୟ ଅଯୋଗ୍ୟ ପ୍ରମାଣିତ  ହେଉଛି । ମେଧା ପଡୁଛି ବଳି ।  

ରାଜ୍ୟରେ ଓଡ଼ିଶା ଲୋକସେବା ଆୟୋଗ, ଓଡ଼ିଶା କର୍ମଚାରୀ  ଚୟନ ଆୟୋଗ, ଓଡ଼ିଶା ଅଧସ୍ତନ କମର୍ଚାରୀ ଚୟନ ଆୟୋଗ,  ସେବା ଚୟନ ବୋର୍ଡ, ଓଡ଼ିଶା ପୁଲିସ ଚୟନ ବୋର୍ଡ, ରାଜ୍ୟ  ପ୍ରବରଣ ମଣ୍ଡଳୀ, ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)  ପ୍ରମୁଖ ସଂସ୍ଥା ସାର୍ବଜନୀନ ପରୀକ୍ଷାଗୁଡ଼ିକ ପରିଚାଳନା କରିଥାନ୍ତି ।  ବିଭିନ୍ନ ପରୀକ୍ଷାରେ ଅନିୟମିତତା ପ୍ରମାଣିତ ହେଲା । ସ୍ୱଚ୍ଛତା ପାଇଁ  ସରକାର ଏ କଠୋର ଆଇନ ଆଣିଲେ । ଫଳ କିନ୍ତୁ ଶୂନ । 

ଜୀବନ ବାଟବଣା

ଶଙ୍କା, ଭୟ, ନିରାଶା । ଦ୍ୱନ୍ଦ୍ୱ, ଅସହାୟତା ଆଉ ଅନିଶ୍ଚିତତା । ମନ ପୋଡ଼ିଯାଉଛି । ଚାପଗ୍ରସ୍ତ ମନ, ବତୁରା ମୁହଁ । ଟଳମଟଳ ଜୀବନ ।  ରାଜ୍ୟର ବେକାର ଗୋଷ୍ଠୀଙ୍କ ମଧ୍ୟରେ ଏବେ ଏମିତି ଚିତ୍ର । ନିଯୁକ୍ତି ପରୀକ୍ଷା ପରିଚାଳନାରେ ଅନିୟମିତତାରୁ ବର୍ଷ ବର୍ଷର କଠିନ  ପରିଶ୍ରମ ମୁହୂର୍ତ୍ତକରେ ମାଟି କାମୁଡ଼ୁଛି । ନିଜ ପିଲାଙ୍କ ଉପରେ  ଆଶା ବାନ୍ଧିଥିବା ବାପା ମାଆଙ୍କର ସ୍ୱପ୍ନ କଚଡ଼ା ଖାଉଛି । ମନୋବଳ  ଭାଙ୍ଗୁଛି । ଅନେକ ପୁଣି ପରୀକ୍ଷା ଦେବାକୁ ଆଗପଛ ହୁଅନ୍ତି ।  ସରକାରୀ ବ୍ୟବସ୍ଥା ଉପରୁ ଭରସା ତୁଟୁଛି । ସାରା ଜୀବନର ଆଶା  ଆଶାରେ ହିଁ ରହିଯାଉଛି । ଅନିଶ୍ଚିତ ଭୟର ଭୂତ ଗୋଡ଼ାଉଛି । ମରି  ମରି ଜିଇଁବାକୁ ହେଉଛି ଜୀବନ । 

ନିଯୁକ୍ତି ସଂସ୍ଥାଗୁଡ଼ିକ ବେକାରମାନଙ୍କ ପାଇଁ ସମ୍ବେଦନଶୀଳ କି?  ଅଧିକାଂଶ ପରୀକ୍ଷାରେ ବିଭ୍ରାଟ କେମିତି ହେଉଛି? ଏ ସଂସ୍ଥାର  ବାବୁମାନଙ୍କୁ ସରକାର କି ଦଣ୍ଡରେ ଦଣ୍ଡିତ କରୁଛନ୍ତି? ଆଉ  କେତେଦିନ ଆମର ଯୁବପିଢ଼ିଙ୍କ ସହ ଆମେ ଏମିତି ଛକି ଶୂନ  ଖେଳ ଖେଳିବା? ରାଜ୍ୟ ସରକାର ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା  ଗଢ଼ିବାକୁ ନକ୍ସା ଆଙ୍କିଛନ୍ତି । ଏଥିରେ ବଡ଼ ଯୋଗଦାନ ରହିବ ଆମ  ଯୁବଗୋଷ୍ଠୀର । ହେଲେ ବିଷାଦ ଯୋଗରେ ଦହଗଞ୍ଜ ହେଉଥିବା  ବେକାର ଯୁବପିଢ଼ି ମା ମାଟିର ବିକାଶରେ ସହଯୋଗ କରିବେ ଏ ଗ୍ୟାରେଣ୍ଟି କିଏ ଦେବ? ବେକାରୀ ଜୀବନର ଦୁର୍ବିସହ ମାନସିକ  ଯନ୍ତ୍ରଣା ବେଳେ ନିଯୁକ୍ତି ପରୀକ୍ଷା ବାତିଲ ଓ ବିଭ୍ରାଟ କଟା ଘା’ରେ  ବୋଳୁଛି ଲୁଣ । ସରକାର ବେଳ ଥାଉ ଥାଉ ବାଟ କାଢ଼ନ୍ତୁ ।