ନୂଆଦିଲ୍ଲୀ: କ୍ରିକେଟର ଭଗବାନ ଭାବେ ଜଣାଶୁଣା ସଚିନ ତେନ୍ଦୁଳକରଙ୍କ ନାମରେ ଅନେକ ରେକର୍ଡ ରହିଛି । ସେ ଶତକ ହେଉ ବା ମ୍ୟାଚ୍ ହେଉ ଅବା ସ୍କୋର । ସବୁଥିରେ ଆଗୁଆ ରହିଥିବା ସଚିନ ଟେଷ୍ଟ କ୍ରିକେଟରେ ସର୍ବାଧିକ ସ୍କୋର କରିଥିବାର ରେକର୍ଡ ନିଜ ନାମରେ ରଖିଛନ୍ତି । ଯାହାକୁ ଇଂଲଣ୍ଡର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍ ଭାଙ୍ଗିବେ ବୋଲି ଚର୍ଚ୍ଚା ଚାଲିଛି । ଦୀର୍ଘବର୍ଷ ଧରି ଲଗାତାର ଦମଦାର ପ୍ରଦର୍ଶନ କରୁଥିବାରୁ ଏଭଳି ଚର୍ଚ୍ଚା ହେଉଛି ।

ସଚିନ ତେନ୍ଦୁଲକର ୨୦୦ ଟେଷ୍ଟ ମ୍ୟାଚ୍ ଖେଳିଥିବାବେଳେ ୧୫,୯୨୧ ରନ୍ କରିଛନ୍ତି । ତେବେ ଜୋ ରୁଟ୍ ୧୬୩ ଟେଷ୍ଟ ମ୍ୟାଚ ଖେଳିଥିବାବେଳେ ୧୩,୯୪୩ ରନ କରିଛନ୍ତି । ସେ ତେନ୍ଦୁଲକରଙ୍କଠାରୁ ୧୯୭୯ ରନ୍ ପଛରେ ରହିଛନ୍ତି । ଲଗାତାର ଦମଦାର ପ୍ରଦର୍ଶନ କରି ଆସୁଛନ୍ତି ରୁଟ୍ । ଗୋଟିଏ ପରେ ଗୋଟିଏ ମ୍ୟାଚରେ ବଡ଼ ପାଳି ଖେଳୁଥିବାବେଳେ ଏହାକୁ ସହଜରେ ଅତିକ୍ରମ କରିବେ ବୋଲି କୁହାଯାଉଛି । ତେବେ ଏହାକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି ରୁଟ୍ ।

ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ କି ? ଏଭଳି ପ୍ରଶ୍ନ କରାଯାଇଥିବାବେଳେ ରୁଟ୍ କହିଛନ୍ତି କି, ମୋତେ କାହିଁକି ସଚିନଙ୍କ ସହ ତୁଳନା କରୁଛନ୍ତି । ମୁଁ ଜନ୍ମ ହେବା ପୂର୍ବରୁ ସେ ଟେଷ୍ଟ କ୍ରିକେଟ ଖେଳୁଛନ୍ତି । ଏହାସହ ମୁଁ ଯେବେ ଟେଷ୍ଟରେ ଡେବ୍ୟୁ କଲି ସେବେ ମଧ୍ୟ ସେ ଖେଳୁଥିଲେ । ଦୀର୍ଘବର୍ଷ ଧରି ସ୍ଥିର ପ୍ରଦର୍ଶନ କରିବା ବଡ଼ କଥା । ଲମ୍ବା କ୍ୟାରିୟରରେ ସ୍ଥିର ପ୍ରଦର୍ଶନ ଅବିଶ୍ବସନୀୟ । ଏଭଳି ଭାବେ ପ୍ରଶ୍ନକୁ ଏଡ଼ାଇବା ସହ ସଚିନଙ୍କ ପ୍ରଶଂସା କରିଥିଲେ ରୁଟ୍ । ଏହାସହ ସେ କହିଛନ୍ତି କି, ମୋତେ ବ୍ୟାଟିଂରେ ଆହୁରି ଶିଖିବାର ଅଛି ଏବଂ ପରିବର୍ତ୍ତନ ଆଣିବାକୁ ପଡ଼ିବ ।

ସେପଟେ ଆମେ ଯଦି ରୁଟଙ୍କ ସମ୍ପର୍କରେ କହିବା ତାହେଲେ ସେ ଲଗାତାର ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି । ୨୦୨୦ ପରଠାରୁ ସେ ଏକ ଅଲଗା ପ୍ରକାର ଅନ୍ଦାଜରେ ନଜର ଆସିଛନ୍ତି । ପ୍ରତି ମ୍ୟାଚରେ ବଡ଼ ସ୍କୋର କରୁଛନ୍ତି । ତେବେ ସେ କେନ୍ ଓ୍ବିଲିୟମସନ, ସ୍ମିଥ୍ ଏବଂ କୋହଲିଙ୍କୁ ପଛରେ ପକାଇଛନ୍ତି । ଏବେ ସେ ଟେଷ୍ଟରେ ସର୍ବାଧିକ ସ୍କୋର କରିବାର ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । 

ଏହାସହ ପଢ଼ନ୍ତୁ : Bengal BJP Bulldozer Action: ଶୁଭେନ୍ଦୁ ସରକାରଙ୍କ ଆକ୍ସନ: ମାଟିରେ ମିଶିଲା ଟିଏମସି କାର୍ଯ୍ୟାଳୟ