ନୂଆଦିଲ୍ଲୀ,୧୨/୦୮: ଆହ୍ଲାବାଦ ହାଇକୋର୍ଟ ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କ ଘରୁ ପୁଳା ପୁଳା ଟଙ୍କା ମିଳିବା ଘଟଣାରେ ବଡ଼ ଆକ୍ସନ । ସଂସଦ ମୌସୁମୀ ଅଧିବେଶନର ୧୭ତମ ଦିନରେ ଲୋକସଭାରେ ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ୧୪୬ ସଦସ୍ୟ ହସ୍ତାକ୍ଷର କରିଛନ୍ତି । ମାମଲାର ଯାଞ୍ଚ ପାଇଁ ୩ ଜଣିଆ କମିଟି ଗଠନ କରିଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା । ପ୍ୟାନେଲରେ ୨ ବିଚାରପତିଙ୍କ ସମେତ ଜଣେ ବରିଷ୍ଠ ଆଇନଜୀବୀ ରହିଛନ୍ତି ।
ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଦ୍ୱାରା ଗଠିତ ତଦନ୍ତ କମିଟିରେ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ଜଣେ ଲେଖାଏଁ ବିଚାରପତିଙ୍କୁ ସାମିଲ କରାଯାଇଛି। ଜଣେ ଆଇନ ବିଶେଷଜ୍ଞଙ୍କୁ ମଧ୍ୟ କମିଟିରେ ସାମିଲ କରାଯାଇଛି । ତଦନ୍ତ କମିଟିର ରିପୋର୍ଟ ଆସିବା ପର୍ଯ୍ୟନ୍ତ ମହାଭିଯୋଗ ପ୍ରସ୍ତାବ ବିଚାରାଧୀନ ରହିବ। ୩ ଜଣିଆ କମିଟି ବିଷୟରେ କହିବାକୁ ଗଲେ, ଏଥିରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଅରବିନ୍ଦ କୁମାର, କର୍ଣ୍ଣାଟକ ହାଇକୋର୍ଟର ବରିଷ୍ଠ ଓକିଲ ବିବି ଆଚାର୍ଯ୍ୟ ଏବଂ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ମନିନ୍ଦର ମୋହନ ଶ୍ରୀବାସ୍ତବ ରହିଛନ୍ତି ।
କ'ଣ ଥିଲା ପୂରା ଘଟଣା ? ଦିଲ୍ଲୀ ହାଇକୋର୍ଟର ପୂର୍ବ ବିଚାରପତି ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କ ସରକାରୀ ଆବାସରେ ମାର୍ଚ୍ଚ ୧୪ ନିଆଁ ଲାଗିଯାଇଥିଲା । ଏହାପରେ ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏହି ସମୟରେ ଷ୍ଟୋର ରୁମ୍ରୁ ୫୦୦ ଟଙ୍କିଆ ପୁଳା ପୁଳା ଅଧା ଜଳା ନୋଟ ମିଳିଥିଲା । ଯାହାକି ସେ ସମୟରେ ବିବାଦ ସୃଷ୍ଟି କରିଥିଲା । ଏହାପରେ ମାର୍ଚ୍ଚ ୨୮ରେ ଜଷ୍ଟିସ୍ ବର୍ମାଙ୍କୁ ଆଲ୍ଲାବାଦ ହାଇକୋର୍ଟକୁ ଟ୍ରାନ୍ସଫର କରି ଦିଆଯାଇଥିଲା । ଆଉ ଏବେ ଏହି ଘଟଣାରେ କମିଟି ଗଠନ କରିଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା ।
ମହାଭିଯୋଗ ପ୍ରସ୍ତାବ କ’ଣ?
ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟର ବିଚାରପତିଙ୍କୁ ବହିଷ୍କାର କରିବା ପାଇଁ ସଂସଦର ଦୁଇଟି ଗୃହରେ ମହାଭିଯୋଗ ପ୍ରସ୍ତାବ ଅଣାଯାଇପାରିବ। ମହାଭିଯୋଗ ପ୍ରସ୍ତାବ ପ୍ରଥମେ ରାଜ୍ୟସଭାର ଅଧ୍ୟକ୍ଷ କିମ୍ବା ଲୋକସଭାର ବାଚସ୍ପତିଙ୍କ ସମ୍ମୁଖରେ ଉପସ୍ଥାପିତ ହୁଏ । ତା’ପରେ ପ୍ରସ୍ତାବର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଏ । ଏଥିରେ ଜଣେ ସୁପ୍ରିମକୋର୍ଟ ବିଚାରପତି, ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ଜଣେ ବିଶିଷ୍ଟ ଆଇନ ବିଶେଷଜ୍ଞ ସାମିଲ ହୁଅନ୍ତି ।