ନୂଆଦିଲ୍ଲୀ,୨୧/୦୭: କ୍ୟାସ୍ ଦୁର୍ନୀତିରେ ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ସମସ୍ତ ଦଳର ସାଂସଦଙ୍କ ଦସ୍ତଖତ ନିଆଯାଇଥିଲା। ବଡ଼ ଏବଂ ଛୋଟ ସମସ୍ତ ଦଳର ଅଧିକାଂଶ ସାଂସଦ ଏହି ମହାଭିଯୋଗ ପ୍ରସ୍ତାବ ସପକ୍ଷରେ ମତ ରଖିଛନ୍ତି। ପ୍ରାୟ ୨୦୮ ଜଣ ସାଂସଦ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ବରିଷ୍ଠ ବିଜେପି ନେତା ରବି ଶଙ୍କର ପ୍ରସାଦ, ଅନୁରାଗ ଠାକୁରଙ୍କ ସମେତ ମୋଟ ୧୪୫ ଜଣ ସଦସ୍ୟ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନିକଟରେ ଦାଖଲ ହୋଇଥିବା ନୋଟିସରେ ଦସ୍ତଖତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ୬୩ ଜଣ ସାଂସଦ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ପାଖରେ ଦାଖଲ ହୋଇଥିବା ନୋଟିସରେ ଦସ୍ତଖତ କରିଛନ୍ତି।
ଧାରା ୧୨୪, ୨୧୭ ଏବଂ ୨୧୮ ଅନୁଯାୟୀ ନିମ୍ନ ସଦନରେ ନୋଟିସ ଦିଆଯାଇଛି। ଜଣେ ବିଚାରପତିଙ୍କୁ ହଟାଇବା ପ୍ରସ୍ତାବରେ ଲୋକସଭାରେ ଅତି କମରେ ୧୦୦ ଜଣ ସାଂସଦ ଏବଂ ରାଜ୍ୟସଭାରେ ୫୦ ଜଣ ସାଂସଦଙ୍କ ସ୍ୱାକ୍ଷର ରହିବା ଆବଶ୍ୟକ। ମହାଭିଯୋଗ ପ୍ରସ୍ତାବକୁ ଗ୍ରହଣ କରିବା କିମ୍ବା ପ୍ରତ୍ୟାଖ୍ୟାନ କରିବା ବାଚସ୍ପତିଙ୍କ ଉପରେ ନିର୍ଭର କରେ। ପ୍ରସ୍ତାବ ଗୃହୀତ ହେଲେ, ଏକ କମିଟି ଗଠନ କରାଯିବ, ଯାହା ଗୋଟିଏରୁ ତିନି ମାସ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବ।
ଏହି କମିଟିରେ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ବିଚାରପତିମାନେ ମଧ୍ୟ ସାମିଲ ଅଛନ୍ତି। କମିଟି ଅଭିଯୋଗଗୁଡ଼ିକର ତଦନ୍ତ କରି ଏହାର ରିପୋର୍ଟ ଦାଖଲ କରେ। ଯଦି କମିଟି ଅଭିଯୋଗଗୁଡ଼ିକୁ ସତ୍ୟ ବୋଲି ପାଏ, ତେବେ ସଂସଦର ଉଭୟ ଗୃହରେ ଏକ ପ୍ରସ୍ତାବ ଉପସ୍ଥାପିତ ହୁଏ। ପ୍ରତ୍ୟେକ ଗୃହରେ ଦୁଇ-ତୃତୀୟାଂଶ ବହୁମତ ଦ୍ୱାରା ପ୍ରସ୍ତାବ ଗୃହୀତ ହେବାର ଆବଶ୍ୟକତା ରହିଛି। ଉଭୟ ଗୃହରେ ଗୃହୀତ ହେବା ପରେ, ପ୍ରସ୍ତାବ ରାଷ୍ଟ୍ରପତିଙ୍କ ନିକଟକୁ ଯାଏ ଏବଂ ତାଙ୍କ ଅନୁମୋଦନ ପରେ, ବିଚାରପତିଙ୍କୁ ବହିଷ୍କାର କରାଯାଏ।
ଜଷ୍ଟିସ୍ ବର୍ମାଙ୍କ ଘରୁ ମିଳିଥିଲା କୋଟି କୋଟି ଟଙ୍କା ନଗଦ:
ସୂଚନାଥାଉକି, ମାର୍ଚ୍ଚ ୧୪ ତାରିଖ ହୋଲି ଦିନ ରାତି ପ୍ରାୟ ୧୧.୩୫ ସମୟରେ ଜଷ୍ଟିସ୍ ବର୍ମାଙ୍କ ସରକାରୀ ବଙ୍ଗଳାରେ ନିଆଁ ଲାଗିଯାଇଥିଲା। ସେ ଦିଲ୍ଲୀ ବାହାରେ ଥିଲେ। ତାଙ୍କ ପରିବାର ସଦସ୍ୟମାନେ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀକୁ ଫୋନ୍ କରିଥିଲେ। ନିଆଁ ଲିଭାଇବା ପାଇଁ ବହୁ ସଂଖ୍ୟକ ପୋଲିସ ବାହିନୀ ଆସିଥିଲେ। ଏତିକିବେଳେ ସେଠାରେ ବହୁ ପରିମାଣର ନୋଟ୍ ବିଡ଼ା ମିଳିଥିବା ଅଭିଯୋଗ ହୋଇଛି। କୁହାଯାଉଛି ଯେ ତାଙ୍କ ଘରର ସମ୍ପୂର୍ଣ୍ଣ ଗୋଟିଏ କୋଠରୀ ନୋଟ୍ରେ ଭର୍ତ୍ତି ହୋଇ ରହିିଥିଲା।