ଭୁବନେଶ୍ୱର,୨୧/୦୭: ଦୁଷ୍କର୍ମ ଅଭିଯୋଗରେ ଛାତ୍ର  କଂଗ୍ରେସ ରାଜ୍ୟ ସଭାପତି  ଉଦିତ ପ୍ରଧାନ ଗିରଫ ପରେ ଆକ୍ସନ୍। ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ । ନିଲମ୍ବନ କଲେ ଜାତୀୟ ଯୁବ କଂଗ୍ରେସ ସଭାପତି ( NSUI )। ଜଣେ ଯୁବତୀଙ୍କୁ ନିଶା ଦେଇ ବେହୋସ କରାଇ ତାଙ୍କୁ  ଏକ ହୋଟେଲରେ ଦୁଷ୍କର୍ମ କରିଥିବା ଅଭିଯୋଗରେ ଉଦିତ୍‌ଙ୍କୁ ଗିରଫ କରିଥିଲା ମଞ୍ଚେଶ୍ୱର ଥାନା ପୁଲିସ।

ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଘଟଣାର ଅନୁଧ୍ୟାନ ପାଇଁ  ଏକ କମିଟି ଗଠନ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ଏହି କମିଟିରେ ପିସିସି ଉପସଭାପତି ସସ୍ମିତା ବେହେରାଙ୍କୁ ଅଧ୍ୟକ୍ଷା କରାଯାଇଥିବା ବେଳେ ବିଧାୟିକା ସୋଫିଆ ଫିର୍ଦ୍ଦୋଶ, ଡ.ଦେବସ୍ମିତା ଶର୍ମା, ସୋନାଲି ସାହୁ,  ଜୟଶ୍ରୀ ପାତ୍ର,ଡ. ମନିଶା ଦାସ ପଟ୍ଟନାୟକ ରହିଛନ୍ତି। ଉକ୍ତ କମିଟି ଖୁବ୍‌ଶୀଘ୍ର ଅଭିଯୋଗ କରିଥିବା ପୀଡ଼ିତାଙ୍କୁ ଭେଟିବା ସହିତ ଆଲୋଚନା କରିବେ। ଏକ ରିପୋର୍ଟ ପ୍ରସ୍ତୁତ କରି ପିସିସି ସଭାପତିଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 

ମିଳିଥିବା ସୂଚନା ମୁତାବକ, ଚନ୍ଦକା  ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀ ମିଲି  (ଛଦ୍ମନାମ) ଏକ ଘରୋଇ କଲେଜର  ଛାତ୍ରୀ । ସେ ଗତ ୧୮ ତାରିଖରେ ଆୟୁଷ୍ମାନ  ସାହୁ ନାମକ ଜଣେ ସାଙ୍ଗଙ୍କ  ସହ କାର୍‌ରେ ମାର୍କେଟ ବୁଲିବାକୁ ବାହାରିଥିଲେ । ତାଙ୍କ ସହ ପିଙ୍କି  (ଛଦ୍ମନାମ) ନାମକ ଜଣେ ଯୁବତୀ ମଧ୍ୟ  ଥିଲେ । ମାଷ୍ଟରକ୍ୟାଣ୍ଟିନ ଛକରେ ସେମାନଙ୍କୁ  ଉଦିତ ଭେଟିଥିଲେ । ଉଦିତଙ୍କୁ ଆୟୁଷ୍ମାନ ନିଜ  ସାଙ୍ଗ ବୋଲି ପରିଚୟ ଦେଇ  ତାଙ୍କ କାରରେ ବସାଇଲେ । ଉଦିତ ଜଣେ କଂଗ୍ରେସ  ନେତା ବୋଲି ଆୟୁଷ୍ମାନ ୨ଜଣ ଝିଅଙ୍କ ସହ ପରିଚୟ  କରାଇଲେ । ଉଦିତ କାର୍‌ରେ ମିଲିଙ୍କ ଦେହକୁ ଜାଣିଶୁଣି  ଛୁଇଁଥିଲେ । ହେଲେ, ମିଲି ଏହାକୁ ସେତେଟା ଗୁରୁତ୍ୱ ଦେଇ  ନ ଥିଲେ । ଏହାପରେ ସେମାନେ ସମସ୍ତେ ମଞ୍ଚେଶ୍ୱରର  ହୋଟେଲ ଟାଉନ୍‌ ହାଉସ୍‌କୁ ଯାଇଥିଲେ । ସେଠାରେ ଉଦିତ  ଓ ଆୟୁଷ୍ମାନ ମଦ ପିଇଥିଲେ । ମିଲିଙ୍କୁ ମଦ ଯାଚିବାରୁ ସେ  ମନା କଲେ । କିନ୍ତୁ, ଉଭୟ ସାଙ୍ଗ ତାଙ୍କୁ କୋଲ୍ଡଡ୍ରିଙ୍କସରେ  ମଦ ମିଶାଇ ପିଇବାକୁ ଦେଇଥିଲେ । ଏହାପରେ ମିଲିଙ୍କୁ  ନିଶା ଚଢିବାରୁ ସେ ଉକ୍ତ ରୁମରେ ଶୋଇ ଯାଇଥିଲେ । କିଛିଘଣ୍ଟା ପରେ ତାଙ୍କ ନିଦ ଭାଙ୍ଗିବାରୁ ସେ ଉଲଗ୍ନ  ହୋଇ ଶୋଇଥିବାର ଦେଖିଥଲେ । ଆଉ ଉଦିତ ତାଙ୍କ  ଉପରେ ହାତ ପକେଇ ଶୋଇଥିଲେ । ମିଲି ଦୁଷ୍କର୍ମ  ଶିକାର ହୋଇଥିବା ଜାଣିବା ପରେ ଏହାକୁ ବିରୋଧ  କରିଥିଲେ । ଥାନାକୁ ଯାଇ ଉଦିତଙ୍କ ନାଁରେ ଅଭିଯୋଗ  କରିବେ ବୋଲି କହିଥିଲେ । ଉଦିତ ରାଗି ଯାଇ ତାଙ୍କୁ  ପ୍ରବଳ ଗାଳି କରିଥିଲେ । 

ପୁଲିସର ଆଶ୍ରୟ ନେଲେ,  ତାଙ୍କୁ ଜୀବନରୁ ମାରିଦେବାକୁ ଧମକାଇଥିଲେ । ମିଲି  ଡରି ଯାଇଥିଲେ । ସେ ଉଦିତ ନାଁରେ ଆଜି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗ କ୍ରମେ  ୪୧୯/୨୫ରେ ମାମଲା ରୁଜୁ କରି ଉଦିତଙ୍କୁ ଗିରଫ କରିଛି ।  ତାଙ୍କ ନାଁରେ ବିଏନ୍‌ଏସ୍‌ ଦଫା ୬୪(୧), ୧୨୩, ୨୯୬,  ୭୪, ୩୫୧(୨) ଲଗାଇଛି । ଆଜି ଉଦିତ ପ୍ରଧାନ ଓ ଅଭିଯୋଗକାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ନମୁନା ସଂଗ୍ରହ କରାଯିବ ।

ଉଲ୍ଲେଖଯୋଗ୍ୟ ଯେ ଉଦିତଙ୍କ ନାଁରେ ପୂର୍ବରୁ  ଭୁବନେଶ୍ୱରର ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା  ରହିଛି । ଗତ ଫେବ୍ରୁଆରୀ ୧ ତାରିଖରେ ଉଦିତ ଓ  ଅନ୍ୟମାନେ ମିଳିତ ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ  (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତଙ୍କ କାରକେଡ୍‌କୁ ଅଟକେଇବାକୁ ଚେଷ୍ଟା କରିଥିଲେ । କାରକେଡ୍‌ ସାମ୍ନାରେ  କଳା ପତାକା ଦେଖାଇ ହୋ ହଲ୍ଲା କରିବା ସହ କାର୍ଯ୍ୟରତ  ଜଣେ ସବଇନ୍ସପେକ୍ଟରଙ୍କୁ ମାଡ଼ ମାରିଥିଲେ । ମଞ୍ଚେଶ୍ୱର  ଥାନା ପୁଲିସ ତାଙ୍କୁ ଗିରଫ କରିଥିଲା।