ନୂଆଦିଲ୍ଲୀ: ସୋମବାର ରାଜ୍ୟସଭାରେ, ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହୋଲ କହିଛନ୍ତି ଯେ,ଏୟାର ଇଣ୍ଡିଆକୁ ଗତ ଛଅ ମାସ ମଧ୍ୟରେ ୫ଟି ଭିନ୍ନ ଭିନ୍ନ ସୁରକ୍ଷା ଉଲ୍ଲଂଘନ ପାଇଁ ମୋଟ ୯ଟି କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଗୋଟିଏ ଉଲ୍ଲଂଘନ ଉପରେ କାର୍ଯ୍ୟାନୁଷ୍ଠାନ ସମାପ୍ତ ହୋଇଛି। ଜୁନ୍ ୧୨,୨୦୨୫ରେ, ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଭରିବାର କିଛି ସେକେଣ୍ଡ ପରେ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ AI171 ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ଏକ ମେଡିକାଲ୍ ହଷ୍ଟେଲ୍ କୋଠାରେ ପଡ଼ିଥିଲା, ଯେଉଁଥିରେ ୨୪୨ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୪୧ ଜଣ ଏବଂ ତଳେ ଥିବା ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା।
ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ (AAIB) ଜୁଲାଇ ୧୨ ତାରିଖରେ ଦୁର୍ଘଟଣାର ଏକ ପ୍ରାଥମିକ ରିପୋର୍ଟ ପ୍ରକାଶ କରିଥିଲା। ରିପୋର୍ଟରେ କୁହାଯାଇଛି ଯେ ଉଡ଼ାଣ ଭରିବା ପରେ ତୁରନ୍ତ ଉଭୟ ଇଞ୍ଜିନର ଇନ୍ଧନ ସ୍ୱିଚ୍ ବନ୍ଦ କରିଦିଆ ଯାଇଥିଲା। ବ୍ଲାକ୍ ବକ୍ସ ରେକର୍ଡିଂରେ, ଜଣେ ପାଇଲଟ୍ ଅନ୍ୟ ଜଣଙ୍କୁ ପଚାରୁଛନ୍ତି "ତୁମେ କାହିଁକି ବନ୍ଦ କଲ ?", ଉତ୍ତର ଥିଲା - "ମୁଁ କରିନାହିଁ।"
ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ, ଗତ ଛଅ ମାସରେ ଦୁର୍ଘଟଣାଗ୍ରସ୍ତ ବିମାନର ବିଶ୍ବାସନିୟତା ରିପୋର୍ଟରେ କୌଣସି ନକାରାତ୍ମକ ଧାରା ଦେଖାଯାଇ ନାହିଁ। ଏହା ସତ୍ତ୍ୱେ, ଦୁର୍ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ନିୟମ ୧୧ ଅନୁଯାୟୀ AAIB ଦ୍ୱାରା କରାଯାଉଛି।