ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସାଉଥ୍ ସିନେ ଜଗତର ଅନେକ ବଡ଼ ତାରକାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି । ଇଡି ସୋମବାର ବିଜୟ ଦେବରକୋଣ୍ଡା, ରାଣା ଦାଗୁବତୀ, ପ୍ରକାଶ ରାଜ ଏବଂ ଲକ୍ଷ୍ମୀ ମାଞ୍ଚୁଙ୍କ ଭଳି ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କୁ ସମନ କରିଛି ଏବଂ ସେମାନଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବେଆଇନ ବେଟିଂ ଆପ୍ ମାମଲାରେ ଏହି କଳାକାରମାନଙ୍କୁ ସମନ କରିଛି । ସେମାନଙ୍କୁ ଜୁଲାଇ ଶେଷ ସପ୍ତାହ ଏବଂ ଅଗଷ୍ଟ ପ୍ରଥମ ସପ୍ତାହରେ ଇଡି ସମ୍ମୁଖରେ ହାଜର ହେବାକୁ କୁହାଯାଇଛି ।
ଏହି ସିନେ କଳାକାରମାନେ ଅନଲାଇନ୍ ପପ୍-ଅପ୍ ବିଜ୍ଞାପନ ମାଧ୍ୟମରେ ବେଟିଂ ପ୍ଲାଟଫର୍ମଗୁଡ଼ିକୁ ପ୍ରୋତ୍ସାହିତ କରିଥିଲେ । ଲୋକମାନଙ୍କୁ ଅବୈଧ ବେଟିଂ ଖେଳିବାକୁ ଉତ୍ସାହିତ କରିଥିଲେ । ବେଆଇନ ଅନଲାଇନ୍ ବେଟିଂ ଆପ୍ସକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ରାଣା ଦାଗୁବତୀ, ବିଜୟ ଦେବରକୋଣ୍ଡା, ପ୍ରକାଶ ରାଜଙ୍କ ସମେତ ଅନେକ ସେଲିବ୍ରିଟିଙ୍କୁ ସମନ କରିଛି । ଏହି କଳାକାରମାନଙ୍କ ଉପରେ ବେଆଇନ ବେଟିଂ ଆପ୍ସକୁ ପ୍ରୋତ୍ସାହିତ କରିବାର ଅଭିଯୋଗ ଅଛି ।
ଏହି ସମସ୍ତ କଳାକାର ସୋସିଆଲ ମିଡିଆରେ ବେଆଇନ୍ ବେଟିଂ ଆପ୍ସର ପ୍ରମୋସନ କରିଥିବା ଅଭିଯୋଗ ରହିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଣା ଦାଗୁବତୀଙ୍କୁ ୨୩ ଜୁଲାଇ, ପ୍ରକାଶ ରାଜଙ୍କୁ ୩୦ ଜୁଲାଇ, ବିଜୟ ଦେବରକୋଣ୍ଡାଙ୍କୁ ୬ ଅଗଷ୍ଟ ଏବଂ ଲକ୍ଷ୍ମୀ ମାଞ୍ଚୁଙ୍କୁ ୧୩ ଅଗଷ୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି । ଇଡିର ତଦନ୍ତରୁ ଜଣାପଡିଛି ଯେ, ଏହି ଆପ୍ସ ମାଧ୍ୟମରେ ହଜାର ହଜାର କୋଟି ଟଙ୍କାର କାରବାର ହୋଇଛି ଏବଂ ଏହି ଷ୍ଟାରମାନଙ୍କୁ ପ୍ରମୋସନ ପାଇଁ ବିପୁଳ ପରିମାଣର ଟଙ୍କା ଦିଆଯାଇଛି । ବର୍ତ୍ତମାନ ସମସ୍ତଙ୍କୁ ସମନ ପଠାଯାଇଛି ଏବଂ ଇଡି ସେମାନଙ୍କୁ ପଚରାଉଚରା କରି ସତ ବାହାର କରିବାକୁ ଚେଷ୍ଟା କରିବାକୁ ପ୍ରସ୍ତୁତି ହୋଇଛି ।