ନୂଆଦିଲ୍ଲୀ,୧୭/୧୧: ନାର୍ବାଚନ ଋତୁରେ ଦଳ ଡିଆଁ ପର୍ବ ଆରମ୍ଭ ହୋଇଛି । ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟିକୁ ଜେରଦାର ଝଟକା ଲାଗିଛି । ଦିଲ୍ଲୀ ସରକାରର ପରିବହନ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ବରିଷ୍ଠ ନେତା କୈଳାଶ ଗେହଲଟ ଦଳ ଛାଡିଛନ୍ତି । ମନ୍ତ୍ରୀ ପଦ ସହ ଆପ୍ ପ୍ରାଥମିକ ସଦସ୍ୟତା ପଦରୁ ସେ ଇସ୍ତଫା ଦେଇଛନ୍ତି । ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରିନଥିବା କାରଣ ଦର୍ଶାଇ ଦଳ ଛାଡିଥିବା କହିଛନ୍ତି କୈଳାସ ଗେହଲଟ ।

ଆସନ୍ତାବର୍ଷ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାଶ ଗେହଲଟ ଆପ୍ ଦଳ ଛାଡିଛନ୍ତି । ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରିନଥିବା, ଯମୁନା ନଦୀର ସଫେଇ,ଏବଂ କେଜ୍ରିୱାଲଙ୍କ ଘର ନିର୍ମାଣ ମୁଦ୍ଦା ଉଠାଇଛନ୍ତି  । ଏ ନେଇ ଆପରୁ ଇସ୍ତଫା ଦେଇଥିବା କହିଛନ୍ତି । ଆପ୍ ସଂଯୋଜକ କେଜ୍ରିୱାଲଙ୍କୁ ଚିଠି ଲେଖିଛନ୍ତି କୈଳାଶ ଗେହଲଟ ।

କୈଳାଶ ଗେହଲଟ ଚିଠିରେ ଲେଖିଛନ୍ତି, ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରିନାହିଁ । ଯମୁନା ନଦୀ ସଫେଇ କରିବାରେ ବିଫଳ ହୋଇଛି । ଶିସମହଲ ପରି ଅନେକ ଲଜ୍ଜାଜନକ ଏବଂ ଅଜବ ବିବାଦ ରହିଛି । ଯାହା ସନ୍ଦେହ ସୃଷ୍ଟି କରୁଛି କି ଆମେ କଣ ଏବେ ବି ଆମ ଆଦମୀ ହୋଇ ଅଛୁ । ଦିଲ୍ଲୀ ସରକାର ତାର ଅଧିକ ଟଙ୍କା କେନ୍ଦ୍ର ସହ ଲଢେଇ କରିବାରେ ଶେଷ କରୁଛି । କେନ୍ଦ୍ରସରକାରଙ୍କ ସହ ଲଢେଇ କରି ଦିଲ୍ଲୀର ବିକାଶ ସମ୍ଭବ ନୁହେଁ, ମୋ ପାଖରେ ଆଉ କୌଣସି ବିକଳ୍ପ ନ ଥିବାରୁ ଦଳରୁ ଇସ୍ତଫା ଦେଉଛି ।

ଆପ୍ ଛାଡିବା ପରେ ସେ କେଉଁ ଦଳରେ ଯୋଗ ଦେଉଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ବିଧାନସଭା ନିର୍ବାଚନ ପୂର୍ବରୁ କୈଳାଶ ଗେହଲଟ ଦଳ ଛାଡିବା ଆପ୍ ପାଇଁ ମହଙ୍ଗା ପଡିପାରେ । କୈଳାଶଙ୍କ ଇସ୍ତଫାକୁ ନେଇ ବିଜେପି ନେତା କପିଳ ମିଶ୍ରା କହିଛନ୍ତି, ଆପର ଦୁର୍ନୀତି କାରଣରୁ ସେ ଦଳ ଛାଡିଛନ୍ତି । କେଜ୍ରିୱାଲଙ୍କ ମିଥ୍ୟା, ଦୁର୍ନୀତି ବିରୋଧରେ କୈଳାସ ଗେହଲଟ ଜଣେ ଯୋଦ୍ଧା । ଦିଲ୍ଲୀ ବିଧାନସଭା କ୍ଷେତ୍ରରେ ଆପର ସବୁ କାର୍ଯ୍ୟକର୍ତ୍ତା  ଦଳ ଛାଡୁଛନ୍ତି ।