ନୂଆଦିଲ୍ଲୀ,୪।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିକୁ ମିଳିବାକୁ ଯାଉଛି ବଡ଼ ବିଜୟ। ରାଜ୍ୟରେ ବିଜେପି ପୂର୍ଣ୍ଣ ବହୁମତ ସହିତ ସରକାର ଗଠନ କରିବ। ମମତା ବାନାର୍ଜୀଙ୍କ ଟିଏମସିକୁ କ୍ଷମତାରୁ ବାହାର କରି ଐତିହାସିକ ବିଜୟ ହାସଲ କରିବାକୁ ଯାଉଛି। ବିଜେପିର ବରିଷ୍ଠ ରଣନୀତିଜ୍ଞ ଓ ମଧ୍ୟ ପ୍ରଦେଶର ନଗର ପ୍ରଶାସନ ମନ୍ତ୍ରୀ କୈଳାଶ ବିଜୟବର୍ଗୀୟ ଖୁବ୍ ଇମୋସନାଲ ହୋଇପଡିଛନ୍ତି। ଏପରିକି ବିଜୟର ଖୁସି ତାଙ୍କ ଆଖିରେ ଲୁହ ଭାବରେ ବାହାରି ଆସିଛି।
ବିଜେପି ଆଗକୁ ବଢୁଥିବାର ଦେଖି କୈଳାଶ ବିଜୟବର୍ଗୀୟ ନିଜର ଭାବନାକୁ ବ୍ୟକ୍ତ କରି କହିଛନ୍ତି, କେହି ବି ବୁଝିପାରିବେନି ଯେ, ଆଜି କେତେ ଖୁସିର ଦିନ। ସେ ପଶ୍ଚିମବଙ୍ଗରେ ବିଜେପିର ଏହି ବିଜୟକୁ ପୁରା ଦେଶ ପାଇଁ ଉପହାର ବୋଲି କହିଛନ୍ତି। ଏହି ଅବସରରେ ସେ ମମତା ବାନାର୍ଜୀ, ଅଭିଷେକ ବାନାର୍ଜୀ ଓ ଷ୍ଟାଲିନଙ୍କୁ ବି କଡା ସମାଲୋଚନା କରିଛନ୍ତି।
ବିଜୟବର୍ଗୀୟଙ୍କ ପାଇଁ ଏହି ବିଜୟ ବ୍ୟକ୍ତିଗତ ଭାବରେ ବହୁତ ବଡ଼। ସେ ନିକଟରେ ରତଲାମରେ ଖୁଲାସା କରିଥିଲେ ଯେ, ତାଙ୍କ ବିରୋଧରେ ପଶ୍ଚିମବଙ୍ଗରେ ୩୮ଟି ମିଛ ମାମଲା ରୁଜୁ କରାଯାଇଛି, ଯାହା ଭିତରେ ଦୁଷ୍କର୍ମ ଓ ଚାଇଲ୍ଡ ଟ୍ରାଫିକିଂ ଭଳି ଗମ୍ଭୀର ମାମଲା ରହିଛି। ଗିରଫ ଓ୍ବାରେଣ୍ଟ ଜାରି ହେବା କାରଣରୁ ସେ ଏଥର ପଶ୍ଚିମବଙ୍ଗରେ ନିର୍ବାଚନକୁ ଯାଉନଥିଲେ। ବିଜେପି ନେତୃତ୍ବ ତାଙ୍କୁ ବିବାଦରୁ ବଞ୍ଚାଇବା ପାଇଁ ବଙ୍ଗଳା ଯିବାକୁ ମନା କରିଥିଲେ।
କୈଳାଶ ବିଜୟବର୍ଗୀୟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଖୁବ୍ ଭରସା ଯୋଗ୍ୟ ବୋଲି କୁହାଯାଆନ୍ତି। ୨୦୧୪ ରେ ସେ ହରିୟାଣାର ପ୍ରଭାରୀ ଭାବରେ ବିଜେପିର ପ୍ରଥମ ସରକାର ଗଠନ କରିଥିଲେ। ଏହାପରେ ୨୦୧୫ ରେ ପଶ୍ଚିମବଙ୍ଗର ପ୍ରଭାରୀ ହେବାପରେ ୨୦୧୯ ରେ ଲୋକସଭା ନିର୍ବାଚନରେ ସେ ବିଜେପିକୁ ୧୮ଟି ଆସନ ଦେଇଥିଲେ ଓ ଭୋଟ୍ ସେୟାର ୧୦% ବଢାଇ ୪୦% କରି ଦିଆଯାଇଛି। କେବଳ ସେତିକି ନୁହେଁ ୨୦୨୧ ବିଧାନସଭା ନିର୍ବାଚନରେ ଯଦିଓ ପରାଜୟ ମିଳିଥିଲା, କିନ୍ତୁ ବିଜେପି ୩ଟି ଆସନରୁ ବଢି ୭୭ ଆସନରେ ପହଁଞ୍ଚିଛି। ଯାହାକି ଆଜିର ବିଜୟର ମୂଳଦୂଆ ରଖିଥିଲା।’
ଆହୁରି ପଢନ୍ତୁ : ମମତା ଗଲେ, ଗୋଗୋଇ ଗଲେ, ତା ସହ ବି ଗଲା ଷ୍ଟାଲିନବାଦ ,ଭାରତରେ କେବଳ ଚାଲିବ ରାଷ୍ଟ୍ରବାଦ: ବିଜେପି ରାଷ୍ଟ୍ରୀୟ ମୁଖପାତ୍ର