• ୮୯୧.୩୯ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ
  • ୩,୩୨୫ କୋଟି ଟଙ୍କା ବ୍ୟୟରେ ‘ଉତେଇ ରାଉଳ ଜଳସେଚନ ପ୍ରକଳ୍ପ’ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ
  • କଳାହାଣ୍ଡିରୁ ନବରଙ୍ଗପୁର ପର୍ଯ୍ୟନ୍ତ ଅଞ୍ଚଳକୁ ‘କପା ଉତ୍ପାଦନ କ୍ଲଷ୍ଟର୍’ରେ ପରିଣତ କରାଯିବ

ଭୁବନେଶ୍ୱର,୧୮।୧ : କଳାହାଣ୍ଡି ଓଡ଼ିଶାର ସବୁଠାରୁ ସମୃଦ୍ଧ ସାଂସ୍କୃତିକ ଅଞ୍ଚଳ ମଧ୍ୟରୁ ଅନ୍ୟତମ । କଳାହାଣ୍ଡି ଜିଲ୍ଲାର ପ୍ରତି କୋଣ ଅନୁକୋଣରେ ଭରି ରହିଛି ଭାବନା, ସାହସ, ସ୍ଥିରତା ଏବଂ ଆତ୍ମସମ୍ମାନ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଘୁମୁରା ମହୋତ୍ସବ ୨୦୨୬  ଉଦ୍ଯାପନୀ ସନ୍ଧ୍ୟାରେ ଯୋଗ ଦେଇ କହିଛନ୍ତି ।

ଏହି ଅବସରରେ  ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲା ପାଇଁ ୮୯୧.୩୯ କୋଟି ଟଙ୍କାର ୩୬୧୨ଟି ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏଥିରେ ୧୯୩.୩୬ କୋଟି ଟଙ୍କାର ୯୭୧ଟି ପ୍ରକଳ୍ପର ଉଦଘାଟନ ଓ ୬୯୮.୩ କୋଟି ଟଙ୍କା ମୂଲ୍ୟର ୨୬୪୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ରହିଛି ।

ସୂଚନାଯୋଗ୍ୟ ଯେ, ଗତବର୍ଷ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ୬୨୦ କୋଟି ଟଙ୍କାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଅର୍ଥାତ୍ ଦେଢ଼ ବର୍ଷ ମଧ୍ୟରେ କଳାହାଣ୍ଡି ଜିଲ୍ଲାରେ ୧୫୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଗଲା । ଏହିସବୁ ପ୍ରକଳ୍ପ ଗୁଡ଼ିକ କଳାହାଣ୍ଡିର ବିକାଶକୁ ଆହୁରି ଗତି ଦେବ ବୋଲି ସେ କହିଥିଲେ ।

ଏହି ଅବସରରେ ଜିଲ୍ଲାରେ ଉତେଇ ରାଉଳ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏଥିପାଇଁ ୩,୩୨୫ କୋଟି ଟଙ୍କା ବିନିଯୋଗ ହେବ । ଏହାକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିଛି ଏବଂ ଏହା ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏଥିସହିତ କଳାହାଣ୍ଡିରୁ ନବରଙ୍ଗପୁର ପର୍ଯ୍ୟନ୍ତ ଅଞ୍ଚଳକୁ କପା ଉତ୍ପାଦନ କ୍ଲଷ୍ଟର୍ ଭାବେ ପରିଣତ କରାଯିବ ବୋଲି ସେ ଘୋଷଣା କରିଥିଲେ । ଜିଲ୍ଲାର ବେଲ୍ଗାମ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବା ସହିତ ସାଣ୍ଡୁଲ ବ୍ୟାରେଜ୍ କାମ ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ ହେବ ବୋଲି କହିଥିଲେ ।

କୃଷି କ୍ଷେତ୍ରରେ କଳାହାଣ୍ଡିକୁ ରାଜ୍ୟରେ ଏକ ନମ୍ୱର ସ୍ଥାନରେ ସ୍ଥାନୀତ କରିବା ପାଇଁ ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଆଗାମୀ ଦିନରେ ଭବାନୀପାଟଣା ଠାରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କୁ କହିଥିଲେ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୁମୁରା ୨୦୨୬ର ସ୍ୱତନ୍ତ୍ର ସ୍ମରଣିକା ‘କଳାଝରଣ’ ଉନ୍ମୋଚନ କରିଥିଲେ ।

କାର୍ଯ୍ୟକ୍ରମରେ ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ କହିଥିଲେ ଯେ, କଳାହାଣ୍ଡି ହେଉଛି ଐତିହ୍ୟ, କଳା, ସଂସ୍କୃତିର ମାଟି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ କଳାହାଣ୍ଡି ଆଜି ବିକାଶ ପଥରେ ଆଗଉଛି । ୨୦୩୬ ସୁଦ୍ଧା କଳାହାଣ୍ଡି ଯେପରି ରାଜ୍ୟର ଶ୍ରେଷ୍ଠ ଜିଲ୍ଲାରେ ପରିଣତ ହେବ, ସେଥିପାଇଁ ସମସ୍ତେ ମିଳିମିଶି ଉଦ୍ୟମ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ ।

କଳାହାଣ୍ଡି ସାଂସଦ ମାଳବିକା ଦେବୀ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ରାଜ୍ୟର ପ୍ରତ୍ୟେକ ଜିଲ୍ଲାକୁ ବାରମ୍ୱାର ଯାଇ ଲୋକଙ୍କ ସହିତ ମିଶୁଛନ୍ତି, ଯାହା ଭାରତବର୍ଷରେ ବିରଳ । କଳାହାଣ୍ଡିକୁ ଏକ ନମ୍ୱର ସ୍ଥାନରେ ରଖିବା ପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ରାଜ୍ୟସଭା ସାଂସଦ ସୁଜିତ କୁମାର କଳାହାଣ୍ଡିର ସମୃଦ୍ଧ ସଂସ୍କୃତି ବିଷୟରେ ବର୍ଣ୍ଣନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଧର୍ମଗଡ଼ ବିଧାୟକ ସୁଧିର ରଞ୍ଜନ ପାଟଯୋଶୀ, ଜୁନାଗଡ଼ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଓ ନର୍ଲା ବିଧାୟିକା ମନୋରମା ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ । କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ସ୍ୱାଗତ ଭାଷଣ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଧନ୍ୟବାଦ ଅର୍ପଣ କରିଥିଲେ ।