-ଦୁଇବର୍ଷ ଧରି ଝାଡ଼ଖଣ୍ଡ ଦଳର ସାଇଡ୍ ଆର୍ମର କାର୍ଯ୍ୟ
-୧୫୦ କି.ମି. ବେଗରେ ବଲ୍ ଫିଙ୍ଗନ୍ତି ଉତ୍ତମ ମହାନ୍ତି
-ଛୁଇଁଛି ଆଗକୁ ଆଇପିଏଲରେ ସୁଯୋଗ ମିଳିବା ଆଶା
କଟକ,୨୧/୧୨(ସୁକେଶ ବେହେରା): କ୍ରିକେଟ ସଉକ ଛୋଟବେଳୁ ଥିଲା । କଟକ ସହରରେ ଟେନିସ୍ ବଲ୍ ଖେଳିବା ସହ ପରିବାର ପ୍ରତିପୋଷଣ କରିବାକୁ ଡ୍ରାଇଭିଂ କରୁଥିଲେ । ଜୀବନର ଲକ୍ଷ୍ୟ ବୋଲି ସେମିତି କିଛି ଖାସ୍ ନଥିଲା । କିନ୍ତୁ ଭାଗ୍ୟ ପରିବର୍ତ୍ତନ ଏମିତି ହେଲା ଯେ, ଏବେ ଭାରତୀୟ କ୍ରିକେଟର୍ ବାମହାତୀ ବ୍ୟାଟର୍ ଇଶାନ କିଷନଙ୍କ ଫେଭରିଟ୍ ପାଲଟିଗଲେ ଉତ୍ତମ ମହାନ୍ତି । ନିକଟରେ ବିସିସିଆଇ ସୟଦ ମୁସ୍ତାକ ଅଲ୍ଲି ଟି-ଟ୍ୱେଣ୍ଟି ଚାମ୍ପିଅନ୍ ଝାଡ଼ଖଣ୍ଡ ଦଳର ସାଇଡ୍ ଆର୍ମର ଭାବେ କାର୍ଯ୍ୟ କରୁଥିବା କଟକ ଦେଉଳସାହିର ଉତ୍ତମ ଏବେ ଜୀବନର ନୂଆ ଯାତ୍ରାରେ ମସଗୁଲ୍ ଅଛନ୍ତି । ଭାରତୀୟ ଟି-ଟ୍ୱେଣ୍ଟି ଦଳକୁ କିଷନଙ୍କ ପ୍ରତ୍ୟାବର୍ତ୍ତନ ଏବଂ ବିଶ୍ୱକପ ଦଳରେ ସାମିଲ ହେବା ପଛରେ ଯେଉଁ କିଛି ଜଣ ନିରନ୍ତର ତାଙ୍କୁ ସହଯୋଗ କରିଥିଲେ ସେଥିରେ ଓଡ଼ିଆ ପୁଅ ଉତ୍ତମଙ୍କ ଭୂମିକା ବି ପ୍ରଶଂସନୀୟ ।
ଦେଉଳସାହି ନିବାସୀ ମଧୁସୂଦନ ମହାନ୍ତି ଓ ସଂଯୁକ୍ତା ମହାନ୍ତିଙ୍କ ପୁଅ ୩୭ବର୍ଷୀୟ ଉତ୍ତମ ଛୋଟବେଳୁ କ୍ରିକେଟ ପ୍ରିୟ ଥିଲେ । ଟେନିସ୍ ବଲ୍ କ୍ରିକେଟରେ ତାଙ୍କର ରୁଚି ରହିଥିଲା । ଓଡ଼ିଶାର ବିଭିନ୍ନ ସ୍ଥାନରେ ଟେନିସ୍ ବଲ୍ ଖେଳି ବେଶ ପରିଚିତ ଥିଲେ । ନିଯୁକ୍ତି ନଥିବାରୁ ଗାଡ଼ି ଡ୍ରାଇଭିଂ କରି ପରିବାର ଚଳାଉଥିଲେ । କରୋନା ସମୟରେ ଗାଡ଼ି ମୋଟର ଗଡ଼ିବା ବନ୍ଦ ହେବା ପରେ ଆର୍ଥିକ ସମସ୍ୟା ଉତ୍ତମଙ୍କ ଚିନ୍ତା ବଢ଼ାଇଥିଲା । ବିଡ଼ାନାସୀ ଖେଳ ପଡିଆରେ ନିଜ ବନ୍ଧୁଙ୍କ ସହ ସାଇଡ୍ ଆର୍ମର ପକାଇବା ଆରମ୍ଭ କରିଥିଲେ । ଓଡ଼ିଶା ରଣଜୀ ଦଳର କିଛି ଖେଳାଳିଙ୍କୁ ବଲ୍ ଫିଙ୍ଗିବା ପରେ ଏ ବାବଦରେ ଟେକନିକ୍ ପାଇ ଯାଇଥିଲେ ଉତ୍ତମ । ଦୁଇବର୍ଷ ପୂର୍ବରୁ ଝାଡଖଣ୍ଡ ରାଜ୍ୟ ଦଳର ଏକ କ୍ୟାମ୍ପ୍ ହେଉଥିବା ଖବର ପାଇ ସେଠାକୁ ଯାଇ ଟ୍ରାଏଲ୍ସ ଦେଇଥିଲେ । ବଲ୍ ଫିଙ୍ଗିବା ଶୈଳୀ ଓ ପେସ୍କୁ ଦେଖି ପ୍ରଭାବିତ ହୋଇଥିଲେ ଝାଡ଼ଖଣ୍ଡ ଦଳର ଖେଳାଳି । ବିଶେଷ କରି ଅଧିନାୟକ ଇଶାନ କିଷନଙ୍କୁ ଉତ୍ତମଙ୍କ ବଲ୍ ଫିଙ୍ଗିବା ଶୈଳୀ ଭଲ ଲାଗିଥିଲା । ଝାଡଖଣ୍ଡ ଦଳରେ ନିଯୁକ୍ତି ପାଇବା ସହ ଦଳର କ୍ୟାମ୍ପ୍ରେ ରହି ଅଭ୍ୟାସ କରାଇବା ଆରମ୍ଭ କରିଥିଲେ । କିଷନଙ୍କ ବ୍ୟକ୍ତିଗତ ଅଭ୍ୟାସ ପାଇଁ ମଧ୍ୟ ତାଙ୍କୁ ଡାକରା ଆସେ । ଚାମ୍ପିଅନ୍ ଝାଡ଼ଖଣ୍ଡ ଦଳର ୮ ବ୍ୟାର୍ଟଙ୍କୁ ଅଭ୍ୟାସ କରାଇ ସେମାନଙ୍କୁ ବ୍ୟାଟିଂରେ ମଜଭୁତ୍ କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ଉତ୍ତମ । ଦିନକୁ ୩ଶହରୁ ଅଧିକ ବଲ୍ ପକାଇବା ସହ ପ୍ରତ୍ୟେକ ବଲ୍ର ଗତି ଘଣ୍ଟା ପ୍ରତି ୧୪୫ ରୁ ୧୫୦ କି.ମି. ବେଗ ରହିଥିଲା ।
ଗତକାଲି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଚାମ୍ପିଅନ୍ ଝାଡ଼ଖଣ୍ଡ ଦଳକୁ ଭେଟିଥିଲେ । ଏଥିରେ ଉତ୍ତମ ମଧ୍ୟ ଟିମ୍ ସହ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସମ୍ମାନିତ ହୋଇଥିଲେ । ନିଜର ଏ ବୃତ୍ତିକୁ ନେଇ ଉତ୍ତମ କହିଛନ୍ତି, ଝାଡଖଣ୍ଡ କ୍ରିକେଟ ସଂଘର ସମ୍ପାଦକ ସୌରଭ ତିୱାରୀ, ଯୁଗ୍ମସମ୍ପାଦକ ଶାହାବାଜ୍ ନଦିଦ୍ଙ୍କ ସହଯୋଗରେ ସେଠାରେ ଦୁଇବର୍ଷ ଧରି କାମ କରିଆସୁଛି । ସାଇଡ୍ ଆର୍ମର୍ ଭାବେ ଦଳର ଖେଳାଳିଙ୍କୁ ୧୫୦ କି.ମି. ବେଗରେ ବୋଲିଂ କରିବା ମୋ ପାଇଁ ସୌଭାଗ୍ୟ । ଆଗକୁ ଆଇପିଏଲ୍ରେ ସୁଯୋଗ ପାଇ ଅପେକ୍ଷା କରିଛି ବୋଲି ଉତ୍ତମ ପ୍ରକାଶ କରିଛନ୍ତି ।