ଭୁବନେଶ୍ୱର,୧୦/୦୪: ଆଉ ଦୁଇ ଦିନ ମେଘୁଆ ପାଗ । ତା’ପରେ ବଢ଼ିବ ତାତି, ଗୁଳୁଗୁଳି । ଏକାଥରକେ ୫ରୁ ୭ ଡିଗ୍ରୀ ବଢ଼ିଯିବ ସର୍ବୋଚ୍ଚ ତାପମାତ୍ରା । ୧୫ ତାରିଖରୁ ପଶ୍ଚିମ, ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯିବ ।

ପାଣିପାଗ ବିଭାଗର ବିସ୍ତାରିତ ଆକଳନ ଏଭଳି ପୂର୍ବାନୁମାନ ଦେଇଛି । ଗୁରୁବାର ଜାରି ହୋଇଥିବା ୧୫ ଦିନିଆ ପୂର୍ବାନୁମାନ କହୁଛି, ୧୦ ତାରିଖ ଯାଏ ରାଜ୍ୟରେ କେତେ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ଓ ପବନ ସହ ମଧ୍ୟମ ଧରଣର ବର୍ଷା ହୋଇପାରେ । ତା ପରେ ବଢ଼ିବ ଦିନ ତାପମାତ୍ରା । ବାୟୁମଣ୍ଡଳରେ ଜଳୀୟବାଷ୍ପ ଅଧିକ ଥିବାରୁ ପ୍ରଚଣ୍ଡ ଗୁଳୁଗୁଳି ବି ହେବ । ୧୫ ତାରିଖ ଠୁ ମାଡ଼ ହେବ ତାତି, ୨୨ ତାରିଖ ଯାଏ ନାହିଁ ନିସ୍ତାର । ମୌସୁମୀ କିନ୍ତୁ ଏଥର ଓଡ଼ିଶା ଉପରେ କୃପା କରିପାରେ । ଯଦିଓ ଦେଶରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବ, ଓଡ଼ିଶାରେ ଭଲ ବର୍ଷିବ । ଏମିତି ଆଶା ଦେଇଛି ସ୍କାଏମେଟ ପାଣିପାଗ ସଂସ୍ଥା ।

କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ମଧ୍ୟ ଅନୁରୂପ ଆକଳନ କରିଛନ୍ତି । କହିଛନ୍ତି, ଜୁଲାଇ ମଧ୍ୟଭାଗ ବେଳକୁ ଏଲ୍-ନିନୋ ଉଭା ହୋଇପାରେ । କିନ୍ତୁ ଓଡ଼ିଶା ଉପରେ ସମ୍ଭବତଃ ଏତେଟା କୁପ୍ରଭାବ ପଡ଼ିବ ନାହିଁ । ଜୁନ ୧୫ ତାରିଖ ସୁଦ୍ଧା ଛୁଇଁପାରେ । ବର୍ଷା ବି ସ୍ୱାଭବିକ ହେବ । କିନ୍ତୁ ବର୍ଷାର ବଣ୍ଟନ ଅନିୟମିତ ହୋଇପାରେ । ଅର୍ଥାତ୍ ଅଳ୍ପ ସମୟ ମଧ୍ୟରେ ଅଧିକ ବର୍ଷା ହୋଇ ପରେ ଶୁଖା ପଡ଼ିଯାଇପାରେ କିଛି ଦିନ । ଜୁନ୍ ମାସରେ ସାମାନ୍ୟ କମ୍ ବର୍ଷା ହୋଇପାରେ, କିନ୍ତୁ ଜୁଲାଇ ଓ ଅଗଷ୍ଟ ମାସରେ ବର୍ଷା ସ୍ୱାଭାବିକ ରହିବ ବୋଲି ଡକ୍ଟର ପଶୁପାଳକ ଆକଳନ କରିଛନ୍ତି । ସ୍କାଏମେଟ କହୁଛି, ଓଡ଼ିଶା ସମେତ ପୂର୍ବ ଓ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ।