ରାଜସ୍ଥାନ, ୪।୧: ଏମିତି ଏକ ଗାଁ । ଯେଉଁଠି ପ୍ରତ୍ୟେକ ଘର ତଳେ ରହିଛି କବର । ଥରେ ଭାବନ୍ତୁ, ଆପଣଙ୍କୁ ଯଦି ଏଭଳି ଘରେ ମାତ୍ର, ଗୋଟିଏ ରାତି ଶୋଇବାକୁ କୁହାଯାଏ । ଆପଣଙ୍କୁ କ’ଣ ନିଦ ହବ ? କିନ୍ତୁ, ସେଇ ଘରେ ଲୋକେ ସପରିବାର ସହ ଖାଆନ୍ତି, ଶୁଅନ୍ତି, ବସବାସ କରନ୍ତି । ଆଉ ତାଙ୍କ ଘରର ମାଟି ତଳେ ପୋତି ହୋଇରହିଥାଏ ଶବ । ଏ ସବୁ ଶବ କାହାର ? ଆଉ ଶବଗୁଡ଼ିକୁ ଶ୍ମଶାନରେ ନ ପୋତି ଘର ତଳେ କାହିଁକି ପୋତାଯାଇଛି ? ଏମିତି କରିବା ପଛରେ ରହିଛି ଏକ କାହାଣୀ । ରାଜସ୍ଥାନରେ ବାସ କରନ୍ତି କାଲବେଲିଆ ସମ୍ପ୍ରଦାୟ । ଏମାନଙ୍କ ପରମ୍ପରା ଖୁବ୍ ନିଆରା । କାଲବେଲିଆ ସମ୍ପ୍ରଦାୟରେ ଯେତେବେଳେ କେହି ମୃତ୍ୟୁବରଣ କରନ୍ତି, ସେତେବେଳେ କିଛି ନିଆରା ଢଙ୍ଗରେ କବର ଦିଆଯାଏ ।

ଏହି ସମ୍ପ୍ରଦାୟର ଲୋକମାନେ ବିଶ୍ୱାସ କରନ୍ତି ଯେ, ବଞ୍ଚିଥିବା ବେଳେ ମଣିଷ ସୀମାହୀନ ହୋଇଯାଏ । ଏହି ସମ୍ପ୍ରଦାୟର ଲୋକ ଶବ ଦାହ କରନ୍ତିନି । ସେମାନେ ମୁସଲିମ କିନ୍ତୁ, ଶ୍ମଶାନରେ ପୋତି ପାରନ୍ତିନି ଶବ । କାରଣ ଅନ୍ୟ ଜାତିର ଲୋକମାନେ ସେମାନଙ୍କ ଶ୍ମଶାନରେ କବର ଦେବାକୁ ଅନୁମତି ଦିଅନ୍ତି ନାହିଁ। ସେମାନଙ୍କର ନିଜସ୍ୱ ଶ୍ମଶାନ ଭୂମି ନାହିଁ, ତେଣୁ ସେମାନେ ଘରେ ହିଁ ଶବ ପୋତି ଦିଅନ୍ତି । ମୃତ୍ୟୁ ପରେ ଭୋର ସମୟରେ ସେମାନଙ୍କ ପ୍ରିୟଜନଙ୍କୁ କବର ଦେବାକୁ ପଡ଼େ । ଯେତେବେଳେ କାଲବେଲିଆ ସମ୍ପ୍ରଦାୟର କେହି ମୃତ୍ୟୁବରଣ କରନ୍ତି, ସେମାନଙ୍କର ସବୁଠାରୁ ବଡ଼ ଚିନ୍ତା ହେଉଛି ଶବକୁ କେଉଁଠାରେ କବର ଦିଆଯିବ । କାରଣ ପ୍ରିୟଜନଙ୍କୁ କବର ଦେବା ପାଇଁ ଜମିଟିଏ ମିଳେ ନାହିଁ । ତେଣୁ ସେମାନେ ନିଜ ଘରେ ଶବକୁ କବର ଦେବାକୁ ବାଧ୍ୟ ହୁଅନ୍ତି । ମୃତ୍ୟୁ ପରେ ବି ଏହି ସମ୍ପ୍ରଦାୟର ଲୋକମାନଙ୍କୁ ସମ୍ମାନରୁ ବଞ୍ଚିତ କରାଯାଏ ।

କାଲବେଲିଆ ସମ୍ପ୍ରଦାୟ ରାଜସ୍ଥାନର ଏକ ପାରମ୍ପରିକ ଯାଯାବର ସମ୍ପ୍ରଦାୟ । ସାପ ଧରିବା, ଲୋକନୃତ୍ୟ କରିବା ସହ ଗୀତ ଗାଇ ଏମାନେ ନିଜ ପେଟ ପୋଷନ୍ତି । ବ୍ରିଟିଶ ଶାସନ ସମୟରେ ଏହି ସମ୍ପ୍ରଦାୟକୁ "ଅପରାଧୀ ଜନଜାତି" ଭାବେ ଘୋଷଣା କରାଯାଇଥିଲା । ସ୍ୱାଧୀନତା ପରେ ଏହି ଚିନ୍ତାଧାରା ପରେ ସାମାଜିକ ଭେଦଭାବରେ ପରିଣତ ହୋଇଛି । ରାଜସ୍ଥାନରେ କାଳବେଲିଆ ସମ୍ପ୍ରଦାୟର ଜନସଂଖ୍ୟା ପ୍ରାୟ ୨ ରୁ ୩ ଲକ୍ଷ । ପାଲି, ଆଜମେର, ଯୋଧପୁର, ଜୟପୁର, ନାଗୌର ଏବଂ ସିକର ଭଳି ଜିଲ୍ଲାରେ ସେମାନଙ୍କର ବଡ଼ ଜନବସତି । ବର୍ତ୍ତମାନ, ଅଧିକାଂଶ ଲୋକ ଲୋକନୃତ୍ୟ କରି ନିଜ ଜୀବିକା ନିର୍ବାହ କରନ୍ତି । ରାଜସ୍ଥାନର କିଛି ଲୋକନୃତ୍ୟରେ ମହିଳାମାନେ କଳା ପୋଷାକ ପିନ୍ଧି ନାଚନ୍ତି;  ଯାହାର ନାଁ କାଳବେଲିଆ ନୃତ୍ୟ । ଏବେ ବି ରାଜସ୍ଥାନର ଏହି ସମ୍ପ୍ରଦାୟର ଲୋକେ ନିଜ ପରିବାର ସଦସ୍ୟଙ୍କ ମୃତ୍ୟୁ ପରେ ଶବ ପୋତିବାକୁ ଖଣ୍ଡେ ଜାଗା ଖୋଜନ୍ତି । କାଲବେଲିଆ ସମ୍ପ୍ରଦାୟ ପାଇଁ ମୃତ୍ୟୁ ବି ଏକ ସଂଘର୍ଷ ପାଲଟିଛି ।  

​​​​​​​