ଭୁବନେଶ୍ୱର, ୦୧/୦୩: କର୍ମଜୀବୀ ମହିଳାଙ୍କ ଶିଶୁ ଚିନ୍ତା ଦୂର  କରିବେ ରାଜ୍ୟ ସରକାର । ରାଜ୍ୟରେ ପ୍ରଥମ ଥର ଆରମ୍ଭ ହେବାକୁ ଯାଉଛି ଶିଶୁ ଯତ୍ନ କେନ୍ଦ୍ର (କ୍ରେଚ୍‌) ଲାଗି  କଳିକା ପଲିସି । ଏହାର ଡ୍ରାଫ୍ଟିଂ  ସରିଥିବା ବେଳେ ଜନସାଧାରଣଙ୍କ ମତ ଲୋଡିଛି ମହିଳା ଓ ଶିଶୁ ବିକାଶ ବିଭାଗ । ରାଜ୍ୟର ସମସ୍ତ ସରକାରୀ,  ବେସରକାରୀ କ୍ରେଚ୍‌ ଏହି ପଲିସି  ଆଧାରରେ ପରିଚାଳିତ ହେବ । 

କର୍ମଜୀବୀ ମହିଳାଙ୍କୁ ସହଯୋଗ  କରିବା, ଶିଶୁ ସୁରକ୍ଷା ଏବଂ ବିକାଶକୁ  ସୁନିଶ୍ଚିତ କରିବା, ଅର୍ଥନୀତିରେ  ମହିଳାଙ୍କ ଭାଗିଦାରୀକୁ ପ୍ରୋତ୍ସାହିତ  କରିବା ଏବଂ ଶିଶୁଙ୍କ ପ୍ରାରମ୍ଭିକ ଶିକ୍ଷାକୁ  ସହଜ କରିବା ଏହି ନୀତିର ମୂଳ  ଉଦ୍ଦେଶ୍ୟ । ଏହା ଦ୍ୱାରା ପରିଚାଳିତ  କ୍ରେଚ୍‌ଗୁଡିକରେ ୬ ମାସରୁ  ୬ ବର୍ଷ ଶିଶୁଙ୍କ ଲାଳନପାଳନ  ବ୍ୟବସ୍ଥା ଉପଲବ୍ଧ ହେବ । ଏଠାରେ  ଶିଶୁମାନଙ୍କ ବାଲ୍ୟ ବିକାଶ, ଖାଦ୍ୟ,  ଅଭିବୃଦ୍ଧି ମନିଟରିଂ, ନିଦ୍ରା ଓ ବିଶ୍ରାମ,  ସ୍ୱାସ୍ଥ୍ୟ ଏବଂ ସ୍ୱତନ୍ତ୍ର ଯତ୍ନ ପ୍ରଦାନ  କରାଯିବ । କର୍ମଜୀବୀ ତଥା ଏକାକୀ  ମା’ ଓ ଅଭିଭାବକମାନେ ଏଠାରେ  ନିଜର ଶିଶୁଙ୍କୁ ଚିନ୍ତାମୁକ୍ତ ହୋଇ  ଛାଡିପାରିବେ । ପ୍ରାରମ୍ଭିକ ପର୍ଯ୍ୟାୟରେ  ଲୋକସେବା ଭବନ ପରିସରରେ ଏକ  କ୍ରେଚ୍‌ ସେବା ଆରମ୍ଭ ହୋଇଥିଲା।