ଭୁବନେଶ୍ୱର, ୨୭/୦୪: କଳିଙ୍ଗ ସୁପର କପ୍‌ରେ ମୋହନ ବାଗାନ ଏସ୍‌ସି ଓ ଏଫ୍‌ସି  ଗୋଆ ଆଧିପତ୍ୟ ଜାରି ରଖି ସେମି ଫାଇନାଲ୍‌ରେ  ପ୍ରବେଶ କରିଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଶନିିବାର  ଅନୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲ୍‌ରେ ମୋହନ  ବାଗାନ ୨-୧ ଗୋଲ୍‌ରେ କେରଳ ବ୍ଲାଷ୍ଟର୍ସକୁ  ଏବଂ ଦ୍ୱିତୀୟ କ୍ୱାର୍ଟରରେ ଏଫ୍‌ସି ଗୋଆ ୨-୧  ଗୋଲ୍‌ରେ ପଞ୍ଜାବ ଏଫ୍‌ସିକୁ ପରାସ୍ତ କରିଥିଲା । 

ମୋହନ ବାଗାନ ବନାମ କେରଳ ବ୍ଲାଷ୍ଟର୍ସ:  ଏହି ମ୍ୟାଚ୍‌ କଡ଼ା ସଂଘର୍ଷପୂର୍ଣ୍ଣ ହୋଇଥିଲା ।  ମୋହନ ବାଗାନ ଆରମ୍ଭରୁ ଘନଘନ ଆକ୍ରମଣ କରି ୨୨ମିନିଟ୍‌ରେ ଗୋଲ୍‌ ଖାତା ଖୋଲିଥିଲା । ଦଳ  ପକ୍ଷରୁ ସହଲ ଅବଦୁଲ ସମଦ ଏହି ଗୋଲ୍‌ଟି  ଦେଇଥିଲେ । ଏହି ଭାଗରେ କେରଳ ଗୋଲ୍‌  ପରିଶୋଧ କରିପାରି ନଥିଲା । ଦ୍ୱିତୀୟାର୍ଦ୍ଧ ଖେଳ  ଆରମ୍ଭରୁ ସୁହେଲ ଅହମ୍ମସ ଭଟ (୫୧ମିନିଟ୍‌)ଙ୍କ  ଗୋଲ୍‌ ବଳରେ ମୋହନ ବାଗାନ ୨-୦ରେ ଅଗ୍ରଣୀ  ହାସଲ କରିଥିଲା । 

ଏହାପରେ କେରଳ ମ୍ୟାଚ୍‌କୁ  ଫେରିବା ପାଇଁ ସବୁ ଶକ୍ତ ଲଗାଇ ଦେଇଥିଲା ।  ମାତ୍ର ନିର୍ଦ୍ଧାରିତ ସମୟ ମଧ୍ୟରେ ଦଳ ଗୋଲ୍‌  କରିବାରେ ବିଫଳ ହୋଇଥିଲା । ଇନ୍‌ଜ୍ୟୁରୀ  ଟାଇମ୍‌ରେ କେରଳ ପକ୍ଷରୁ ଶ୍ରୀକୁଟ୍ଟନ ଏମ୍‌ଏସ୍‌  ଗୋଟିଏ ଗୋଲ୍‌ ପରିଶୋଧ କରିବାରେ ସଫଳ ହୋଇଥିଲେ । 

ଏଫ୍‌ସି ଗୋଆ ବନାମ ପଞ୍ଜାବ ଏଫ୍‌ସି:  ମ୍ୟାଚ୍‌ ତୀବ୍ର ପ୍ରତିଦ୍ୱନ୍ଦ୍ୱୀତାମୂଳକ ହୋଇଥିଲା ।  ଇନ୍‌ଜ୍ୟୁରୀ ଟାଇମ୍‌ରେ ମହମ୍ମଦ ୟାସିର ଗୋଟିଏ ଦର୍ଶନୀୟ ଗୋଲ୍‌ କରି ଗୋଆ ବିଜୟରେ ହିରୋ  ସାଜିଥିଲେ । 

ପ୍ରଥମାର୍ଦ୍ଧ ଖେଳ ଆକ୍ରମଣ ଓ ପ୍ରତିଆକ୍ରମଣ  ମଧ୍ୟରେ ଗୋଲଶୂନ୍ୟ ରହିଥିଲା । ଦ୍ୱିତୀୟାର୍ଦ୍ଧରେ  ପଞ୍ଜାବ ଆକ୍ରମଣ ଜୋରଦାର କରି ଖାତା ଖୋଲିଥିଲା । ୫୭ମିନିଟ୍‌ରେ  ଏନ୍‌. ଏଜେକୁଇଲ ଭିଡାଲ  ଏହି ଗୋଲ୍‌ ସ୍କୋର  କରିଥିଲେ । ଏହାପରେ ଗୋଆ ଗୋଲ୍‌ ପରିଶୋଧ  ପାଇଁ ଘନଘନ ଆକ୍ରମଣ ଜାରି ରଖିଥିଲା ।  ୮୮ମିନିଟ୍‌ ପର୍ଯ୍ୟନ୍ତ ପଞ୍ଜାବ ଅଗ୍ରଣୀ ବଜାୟ  ରଖିଥିଲା । ୮୯ମିନିଟ୍‌ରେ ବୋର୍ଜା ହେରେରା ଗୋଞ୍ଜାଲେଜଙ୍କ ଗୋଲ୍‌ ବଳରେ ଗୋଆ ସ୍ଥିତି  ୧-୧ରେ ବରାବର କରିଥିଲା । ମାତ୍ର ଇନ୍‌ଜ୍ୟୁରୀ  ଟାଇମ୍‌ରେ ୟାସିର ଆଉ ଏକ ଗୋଲ୍‌ କରି  ଗୋଆକୁ ସେମିରେ ପହଞ୍ଚାଇଥିଲେ ।