ଭୁବନେଶ୍ୱର,୨୬/୦୪: କଳିଙ୍ଗ  ସୁପର କପ୍‌ରେ ଆଜିଠୁ କ୍ୱାର୍ଟର  ଫାଇନାଲ ଖେଳାଯିବ । ଆଜି ୨ଟି ମ୍ୟାଚ୍‌  ରହିଛି । ପ୍ରଥମ ମ୍ୟାଚ୍‌ କେରଳ ବ୍ଲାଷ୍ଟର୍ସକୁ  ମୋହନ ବାଗାନ ଏସ୍‌ଜି ଏବଂ ଦ୍ୱିତୀୟ  ମ୍ୟାଚ୍‌ ଏଫ୍‌ସି ଗୋଆକୁ ପଞ୍ଜାବ ଭେଟିବ ।  

ଆଇ-ଲିଗ୍‌ ଦଳ ଚର୍ଚ୍ଚିଲ ବ୍ରଦର୍ସ ଓହରି  ଯିବାରୁ ଆଇଏସ୍‌ଏଲ୍‌ ଚାମ୍ପିଅନ ମୋହନ ବାଗାନ  ବାଇ ପାଇ ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା । ତେଣୁ ପ୍ରି-କ୍ୱାର୍ଟର  ମ୍ୟାଚ୍‌ ଦଳ ଖେଳି ନଥିଲା । କିନ୍ତୁ କେରଳ  ବ୍ଲାଷ୍ଟର୍ସ ୨-୦ ଗୋଲରେ ଇଷ୍ଟ୍‌ ବେଙ୍ଗଲକୁ  ପରାସ୍ତ କରି କ୍ୱାର୍ଟରକୁ ଉନ୍ନୀତ ହୋଇଥିଲା । ଆଇଏସ୍‌ଏଲରେ ମୋହନ ବାଗାନର ପ୍ରଦର୍ଶନ  ବେଶ ଉନ୍ନତ ରହିଥିଲା । ଦଳ ଲିଗ୍‌ ପର୍ଯ୍ୟାୟରେ  ଟେବୁଲ ଟପ୍ପର ହେବା ସହ ଶେଷରେ ଚାମ୍ପିଅନ  ହୋଇଥିଲା । ତଥାପି କେରଳ ବ୍ଲାଷ୍ଟର୍ସର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ସେମି ଫାଇନାଲରେ  ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି । ମ୍ୟାଚ୍‌  ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । 

ସେମିତି ଦ୍ୱିତୀୟ କ୍ୱାର୍ଟରରେ ଗୋଆ ଓ  ପଞ୍ଜାବ ମୁହାଁମୁହିଁ ହେବେ । ପ୍ରି-କ୍ୱାର୍ଟରରେ  ଗୋଆ ୩-୦ ଗୋଲରେ ଆଇ-ଲିଗ୍‌ ଦଳ  ଗୋକୁଳମ କେରଳକୁ ପରାଜିତ କରିଥିଲା ।  ସେହିପରି ପଞ୍ଜାବ ଘରୋଇ ଓଡ଼ିଶା ଏଫ୍‌ସି  ଦଳକୁ ହରାଇଥିଲା । ଉଭୟ ଦଳ ପୂର୍ବ  ମ୍ୟାଚ୍‌ରେ ୩ଟି ଲେଖାଏଁ ଗୋଲ୍‌ ଦେବାରେ ସଫଳ ହୋଇଥିଲେ । ଦୁଇ ଦଳ ନିଜ ନିଜର  ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରସ୍ତୁତ ରହିଛନ୍ତି । 

୨୭ ତାରିଖରେ ତୃତୀୟ କ୍ୱାର୍ଟର ଇଣ୍ଟର  କାଶୀ ଓ ମୁମ୍ବାଇ ସିଟି ଏବଂ ଅନ୍ତିମ କ୍ୱାର୍ଟର  ନର୍ଥଇଷ୍ଟ୍‌ ୟୁନାଇଟେଡ୍‌ ଓ ଜାମସେଦପୁର  ମଧ୍ୟରେ ଖେଳାଯିବ । ଆସନ୍ତା ୩୦ରେ  ସେମି ଫାଇନାଲ ଏବଂ ମେ’ ୩  ତାରିଖରେ ଟାଇଟଲ ଲଢ଼େଇ ହେବ ।