ଭୁବନେଶ୍ବର, ୦୬/୦୫: ପଶ୍ଚିମବଙ୍ଗରେ ଅସ୍‌ଗ୍ରାମ ଏସ୍‌ସି-ଏସ୍‌ଟି ବିଧାନସଭା ଆସନରୁ ବିଜେପିର କଲିତା ମାଝୀ ବିଧାୟକ ହୋଇଛନ୍ତି । ଟିଏମ୍‌ସି ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ସେ ନିର୍ବାଚନ ଜିତିଛନ୍ତି । କଲିତାଙ୍କ ସଂଘର୍ଷର କାହାଣୀକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା । ନିର୍ବାଚନ ସମୟରେ ପରିବାର ପ୍ରତିପାଳନ ଲାଗି କଲିତା ଘର ଘର ବୁଲି ବାସନ ମାଜୁଥିଲେ । ଏହି ଆୟରେ ତାଙ୍କ ଘର ଚଳୁଥିଲା । ଏବେ ବିଧାୟକ ହେବା ପରେ ତାଙ୍କ ସଂଘର୍ଷର ଦିନ ଶେଷ ହୋଇଛି ।

୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କଲିତା ପ୍ରଥମ ଥର ଚର୍ଚ୍ଚାକୁ ଆସିଥିଲେ । ସେ ଅସ୍‌ଗ୍ରାମ ଆସନରୁ ବିଜେପିର ପ୍ରାର୍ଥୀ ହୋଇଥିଲେ, କିନ୍ତୁ ନିର୍ବାଚନ ଜିତି ପାରିନଥିଲେ । ୨୦୨୬ ନିର୍ବାଚନରେ କଲିତାଙ୍କ ଉପରେ ବିଜେପି ପୁଣି ଥରେ ଭରସା କରି ତାଙ୍କୁ ଟିକଟ ଦେଲା । ଟିଏମ୍‌ସିର ଶକ୍ତିଶାଳୀ ପ୍ରାର୍ଥୀ ଶ୍ୟାମା ପ୍ରସନ୍ନା ଲୋହାରଙ୍କ ବିପକ୍ଷରେ ତାଙ୍କୁ ମୈଦାନକୁ ଉତାରିଲା । ଏ ଥର କଲିତା ବାଜି ମାରିଲେ । ତାଙ୍କୁ ମୋଟ୍‌ ୧ ଲକ୍ଷ ୭ ହଜାର ୬୯୨ ଭୋଟ୍‌ ମିଳିଲା । ପ୍ରତିଦ୍ୱନ୍ଦ୍ୱୀ ଶ୍ୟାମା ପ୍ରସନ୍ନାଙ୍କୁ ୯୫,୧୫୭ ଭୋଟ୍‌ ମିଳିଲା । କଲିତା ୧୨ ହଜାରରୁ ଅଧିକ ଭୋଟ୍‌ରେ ନିର୍ବାଚନ ଜିତିଛନ୍ତି ।

ଗରିବ ପୃଷ୍ଠଭୂମିର ଜଣେ ମହିଳାଙ୍କ ପାଇଁ ଏହା ବଡ଼ ବିଜୟ । କାରଣ କଲିତାଙ୍କୁ ଆଜି ବି ଦି’ଓଳି ରୁଟି ପାଇଁ ସଂଘର୍ଷ କରିବାକୁ ପଡୁଛି । ପ୍ରାୟ ୧୦ ବର୍ଷ ପୂର୍ବେ କଲିତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା । ପ୍ରଥମେ ସେ ବୁଥ୍‌ ସ୍ତରୀୟ କର୍ମକର୍ତ୍ତା ଥିଲେ । ତାଙ୍କ ଭିତରେ ନେତୃତ୍ୱ କ୍ଷମତା ଓ ସକ୍ରିୟତା ବିଜେପିର ଧ୍ୟାନ ଆକର୍ଷଣ କଲା । ତା’ ପରେ ତାଙ୍କୁ ଅବସର ମିଳିଲା । କଲିତା କହିଛନ୍ତି, ମୁଁ ବହୁତ ଖୁସି । ଏବେ ଏଠାରେ ଫାୟାର ବ୍ରିଗେଡ୍‌ ଓ ହସ୍ପିଟାଲର ବ୍ୟବସ୍ଥା କରାଇବି ।

ଅଧିକ ପଢନ୍ତୁ- ହିଞ୍ଜିଳିରେ ଗର୍ଭବତୀଙ୍କୁ ହତ୍ୟା ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ସହ ଶିଶୁକୁ ସହାୟତା ଦାବି​​​​​​​