ସ୍କୁଲ ଜୀବନର ପ୍ରାରମ୍ଭିକ ବର୍ଷଗୁଡ଼ିକ କେବଳ ଆଗାମୀ ଆନୁଷ୍ଠାନିକ ଶିକ୍ଷା ପାଇଁ ଏକ ପ୍ରସ୍ତୁତିମୂଳକ ପର୍ଯ୍ୟାୟ ନୁହେଁ, ବରଂ ଜ୍ଞାନାତ୍ମକ ସଂରଚନା, ଭାବପ୍ରବଣତା, ସାଂସ୍କୃତିକ ସମ୍ବେଦନଶୀଳତା ଏବଂ ସାମାଜିକ କଳ୍ପନାର ମୂଳ ଆଧାର ବୋଲି କହିଲେ କିଛି ଭୁଲ୍ ହେବନାହିଁ । ଏହି ପର୍ଯ୍ୟାୟରେ ପିଲାଙ୍କ ଅନୁଭବ କେବଳ ତାଙ୍କର ଶିକ୍ଷାନୁଭୂତିକୁ ନୁହେଁ, ବରଂ ସମଗ୍ର ଜୀବନ ଦୃଷ୍ଟିକୋଣକୁ ଆକୃତି ଦେଇଥାଏ । ଏହି ସ୍ୱୀକୃତି ସତ୍ତେ୍ୱ, ନୀତିଗତ ଉଦ୍ଦେଶ୍ୟ ଓ ଶ୍ରେଣୀଗୃହର ବାସ୍ତବତା ମଧ୍ୟରେ ଏକ ସ୍ଥାୟୀ ବ୍ୟବଧାନ ରହିଯାଉଛି । ପ୍ରାଥମିକ ଶିକ୍ଷା ଏଯାବତ୍ ପାଠ୍ୟପୁସ୍ତକକୈନ୍ଦ୍ରିକ, ପାଠ୍ୟକ୍ରମଭିତ୍ତିକ ଏବଂ ମୂଲ୍ୟାଙ୍କନ-ଆଧାରିତ ଶିକ୍ଷଣରେ ଆଧାରିତ । ଏହାର ପରିଣାମସ୍ୱରୂପ, ଖେଳ, ସୃଜନଶୀଳତା, ଭାବପ୍ରବଣ ଅଭିବ୍ୟକ୍ତି ଏବଂ ଶରୀରଗତ ସହଭାଗିତା ପରି ମୌଳିକ ବିକାଶମୂଳକ ଉପାଦାନଗୁଡ଼ିକ ଅନେକ ସମୟରେ ଅବହେଳିତ ହୋଇପଡ଼େ, ଯାହା ଶିଶୁ ବିକାଶ ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ପ୍ରାଥମିକ ପର୍ଯ୍ୟାୟରେ ପିଲାମାନେ ସ୍ୱାଭାବିକ ଭାବେ କାହାଣୀ, ଛନ୍ଦ, ଚରିତ୍ର, ଗତି, ତାଳ ଓ ସଂଗୀତ ପ୍ରତି ଆକର୍ଷିତ ହୁଅନ୍ତି । ଜ୍ଞାନ ଯେତେବେଳେ ନିରାବେଗ ଏବଂ ଉପଦେଶାତ୍ମକ ହେବା ପରିବର୍ତ୍ତେ ଜୀବନ୍ତ, ସମ୍ପର୍କମୂଳକ ଏବଂ ଭାବପ୍ରବଣ ହୋଇପଡ଼େ ସେତେବେଳେ ପିଲାମାନେ ଭଲଭାବରେ ଶିଖନ୍ତି, ଜାଣନ୍ତି ଓ ବୁଝିପାରନ୍ତି ।
ଏହାକୁ ଠିକ୍ ଭାବେ ହୃଦୟଙ୍ଗମ କରି ଭାରତର ଜାତୀୟ ଶିକ୍ଷା ନୀତି-୨୦୨୦, ଖେଳ-ଆଧାରିତ ଏବଂ କଳା-ସମନ୍ୱିତ ଶିକ୍ଷାକୁ ଶିଶୁର ଶିକ୍ଷାପୋଷଣ ପାଇଁ ଅତ୍ୟାବଶ୍ୟକ ବୋଲି ଉଲ୍ଲେଖ କରିଛି । ଏହି ପରିପ୍ରେକ୍ଷୀରେ କଣ୍ଢେଇନାଚ, ଯାହାକୁ ପ୍ରାୟତଃ ଏକ ଲୋକକଳା କିମ୍ବା ସାଧାରଣ ମନୋରଞ୍ଜନ ରୂପେ ଦେଖାଯାଏ, ଏକ ଗଭୀର ସମ୍ଭାବନାପୂର୍ଣ୍ଣ ଶିକ୍ଷାଗତ ମାଧ୍ୟମ ଭାବେ ଉଦ୍ଭାସିତ ହୁଏ । କଣ୍ଢେଇ ପ୍ରତି ପିଲାମାନଙ୍କର ସ୍ୱାଭାବିକ ଆକର୍ଷଣ, ଶିକ୍ଷାକୁ ଏକ ଜୀବନ୍ତ ପାରସ୍ପରିକ କ୍ରିୟାରେ ପରିଣତ କରିପାରିବ, ଯେଉଁଠାରେ କଣ୍ଢେଇମାନେ ପିଲାଙ୍କ ସହ କଥାବାର୍ତ୍ତା କରିପାରିବେ, ପ୍ରଶ୍ନ କରିପାରିବେ ଏବଂ କଳ୍ପନାକୁ ଉଦ୍ଦୀପିତ କରିପାରିବେ । ଏହା ଖେଳ ଓ ଶିକ୍ଷା ମଧ୍ୟରେ ଥିବା କୃତ୍ରିମ ସୀମାକୁ ଭାଙ୍ଗିଦେଇପାରିବ । କଣ୍ଢେଇନାଚକୁ ଭାଷାର ବିକାଶ, ଭାବପ୍ରବଣ ଅଭିବ୍ୟକ୍ତି ଏବଂ ଜ୍ଞାନାତ୍ମକ ଅଭିବୃଦ୍ଧିର ଏକ ସକ୍ରିୟ ସାଧନ ଭାବେ ଦେଖିଲେ ଏହା ପ୍ରାଥମିକ ଶିକ୍ଷାରେ, ଜାତୀୟ ଶିକ୍ଷା ନୀତି-୨୦୨୦ ସହ ସମନ୍ୱୟ ରଖିଥିବା ଏକ ଶକ୍ତିଶାଳୀ ଶିକ୍ଷାଶାସ୍ତ୍ର ଉପସ୍ଥାପନ କରିପାରିବ ।
ଦୀର୍ଘସମୟ ଧରି ବିକାଶମୂଳକ ମନୋବିଜ୍ଞାନ ଏହା ପ୍ରମାଣ କରିଆସୁଛି ଯେ, ଯେତେବେଳେ ଜ୍ଞାନ, ଖେଳ, ପ୍ରତୀକବାଦ ଏବଂ ପାରସ୍ପରିକ କ୍ରିୟା ମାଧ୍ୟମରେ ଗଢ଼ିଉଠେ, ସେତେବେଳେ ପିଲାମାନେ ତାଙ୍କର ପ୍ରାଥମିକ ବର୍ଷଗୁଡ଼ିକରେ ପ୍ରଭାବଶାଳୀ ଭାବରେ ଶିଖିଥାନ୍ତି । ଏହି ପ୍ରସଙ୍ଗରେ ଭିଗୋଟସ୍କିଆନ ସିଦ୍ଧାନ୍ତ ଗୁରୁତ୍ୱାରୋପ କରେ ଯେ "ନିକଟବର୍ତ୍ତୀ ବିକାଶର କ୍ଷେତ୍ର' (Zone of Proximal Development) ମଧ୍ୟରେ ଥିବା ସାମାଜିକ ଏବଂ ସାଂସ୍କୃତିକ ମଧ୍ୟସ୍ଥତା ମାଧ୍ୟମରେ ଶିକ୍ଷା ସବୁଠାରୁ ପ୍ରଭାବଶାଳୀ ଭାବରେ ଉନ୍ମୋଚିତ ହୁଏ । କଣ୍ଢେଇନାଚ ଏହି ପ୍ରକାର ମଧ୍ୟସ୍ଥତାକୁ ସ୍ୱାଭାବିକ ଭାବରେ ସାଧନ କରିପାରେ । ଯେତେବେଳେ ଏକ ଶିଶୁ କଣ୍ଢେଇ ମାଧ୍ୟମରେ କଥାହୁଏ, ସେତେବେଳେ ଶିଶୁର ଭୟ ହ୍ରାସପାଏ, ଆତ୍ମବିଶ୍ୱାସ ବୃଦ୍ଧିପାଏ, ଏବଂ ଚିନ୍ତା ଓ ଅଭିବ୍ୟକ୍ତି ମଧ୍ୟରେ ଥିବା ମାନସିକ ଦୂରତା ଧୀରେ ଧୀରେ ସଂକୁଚିତ ହୁଏ । ଏହି ପ୍ରକ୍ରିୟାରେ କଣ୍ଢେଇନାଚ ଏକ ଜ୍ଞାନାତ୍ମକ ଓ ଭାବପ୍ରବଣ ସେତୁରେ ପରିଣତ ହୁଏ, ଯାହା ପିଲାମାନଙ୍କୁ ସେମାନଙ୍କର ଧାରଣା, ଆବେଗ ଏବଂ ଅନୁଭୂତିକୁ ସ୍ପଷ୍ଟ କରିବାର ସୁଯୋଗ ଦିଏ, ଯାହାକୁ ସେମାନେ ସିଧାସଳଖ ଭାବରେ ପ୍ରକାଶ କରିବାରେ ସଂଘର୍ଷ କରିଥାନ୍ତି । ଆନୁଭବିକ ଗବେଷଣା ଏହି ସ୍ୱାଭାବିକ ଶକ୍ତିକୁ ଦୃଢ଼ଭାବେ ସମର୍ଥନ କରେ । କଣ୍ଢେଇନାଚ ଆଧାରିତ ଶିକ୍ଷା, ପ୍ରାଥମିକ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଭାଷା ଅଧିଗ୍ରହଣ, ବର୍ଣ୍ଣନାତ୍ମକ ଦକ୍ଷତା ଏବଂ ମୌଖିକ ପ୍ରବାହିତାକୁ ବୃଦ୍ଧିକରେ । ଏହା ପ୍ରଥମ ପିଢ଼ିର ଶିକ୍ଷାର୍ଥୀ ଏବଂ ବହୁଭାଷୀ ଶ୍ରେଣୀଗୃହ ପରିପ୍ରେକ୍ଷୀରେ ବିଶେଷ ଗୁରୁତ୍ୱ ଧାରଣ କରେ, କାରଣ ଏହା ଭାଷାଗତ ଓ ସାଂସ୍କୃତିକ ମଧ୍ୟସ୍ଥ ଭାବରେ କାର୍ଯ୍ୟ କରି ଶିକ୍ଷାକୁ ଅଧିକ ସମାବେଶୀ କରେ । ପ୍ରାଥମିକ ବିଦ୍ୟାଳୟ ପାଠ୍ୟକ୍ରମରେ କଣ୍ଢେଇନାଚର ମୂଲ୍ୟ କେବଳ ଶୈକ୍ଷଣିକ ପ୍ରଦର୍ଶନ ପର୍ଯ୍ୟନ୍ତ ସୀମିତ ନୁହେଁ ।
ଆଜିକାଲିକାର ଡିଜିଟାଲ୍ ଯୁଗରେ ପିଲାମାନେ ଅତ୍ୟନ୍ତ କମ୍ ବୟସରୁ ସ୍କ୍ରିନ୍ ସଂସ୍ପର୍ଶରେ ଆସୁଛନ୍ତି । ଡିଜିଟାଲ୍ ପ୍ରଯୁକ୍ତି କେତେକ ଶିକ୍ଷାମୂଳକ ସୁଯୋଗ ପ୍ରଦାନ କରୁଥିଲେ ମଧ୍ୟ ଅତ୍ୟଧିକ ସ୍କ୍ରିନ୍ ସମ୍ପର୍କ ଶିଶୁମାନଙ୍କ ବିକାଶରେ ବାଧା ସୃଷ୍ଟି କରିଥାଏ । ଏହାର ପରିଣାମସ୍ୱରୂପ ଧ୍ୟାନ କମିଯିବା, ଜ୍ଞାନାତ୍ମକ ବିକ୍ଷେପ, ନିଦ୍ରାରେ ବାଧା, ସାମାଜିକୀକରଣରେ ସମସ୍ୟା ଭଳି ଅସୁବିଧା ଦେଖାଦିଏ । ତାହାଛଡ଼ା, ଏହା ଛୋଟ ପିଲାମାନଙ୍କ ସୃଜନଶୀଳତା, କଳ୍ପନାଶକ୍ତି ଏବଂ ଭାବପ୍ରବଣ ବିକାଶକୁ ମଧ୍ୟ ପ୍ରଭାବିତ କରିଥାଏ । ଏହି ପରିପ୍ରେକ୍ଷୀରେ କଣ୍ଢେଇନାଚ, ଉଭୟ ଶିକ୍ଷା ଏବଂ ସାମାଜିକ ସଂପ୍ରେଷଣ ପାଇଁ ଏକ ପ୍ରଭାବଶାଳୀ ବିକଳ୍ପ ଓ ପରିପୂରକ ଭାବେ ଉଦ୍ଭାସିତ ହୁଏ । କଣ୍ଢେଇନାଚ ଦେଖି, ଶୁଣି ଓ ଅନୁଭବ କରି ଶିଖିବାର ଏକ ମାଧ୍ୟମ ପ୍ରଦାନ କରି ପିଲାମାନଙ୍କର କଳ୍ପନାଶକ୍ତି, ଆବେଗ ଓ ଜ୍ଞାନାତ୍ମକ କ୍ଷମତାକୁ ସକ୍ରିୟ ଭାବେ ଉଦ୍ବୁଦ୍ଧ କରେ । ଶିକ୍ଷାଗତ ଦୃଷ୍ଟିକୋଣରୁ କଣ୍ଢେଇନାଚ ଜଟିଳ ଧାରଣାମାନଙ୍କୁ ସରଳ କରିବାରେ ଏବଂ ଶିକ୍ଷାକୁ ଆନନ୍ଦଦାୟକ ଓ ଆକର୍ଷଣୀୟ କରିବାରେ ଏକ ଅନନ୍ୟ ଭୂମିକା ନିର୍ବାହ କରେ । କଣ୍ଢେଇନାଚ ମାଧ୍ୟମରେ ପିଲାମାନେ ମୌଳିକ ସାକ୍ଷରତା, ନୈତିକ ମୂଲ୍ୟବୋଧ, ସାମାଜିକ ଆଚରଣ, ପରିବେଶ ସଚେତନତା ଓ ବିଭିନ୍ନ ଶିକ୍ଷାମୂଳକ ଧାରଣାକୁ ଅଧିକ ସହଜ ଓ ଗଭୀର ଭାବରେ ବୁଝିପାରିବେ । କଣ୍ଢେଇନାଚ ପ୍ରାଥମିକ ଶିକ୍ଷାକ୍ଷେତ୍ରରେ ମୌଳିକ ଶିକ୍ଷାଗତ ଧାରଣାଗୁଡ଼ିକୁ ପରିଚୟ କରାଇବାର ଏକ ଅସାଧାରଣ ଭୂମିକା ନିର୍ବାହ କରେ । ପ୍ରାରମ୍ଭିକ ଶିକ୍ଷା ସମ୍ବନ୍ଧୀୟ ଗବେଷଣା ସୂଚିତ କରେ ଯେ, ପିଲାମାନେ ଧାରଣାଗୁଡ଼ିକୁ ସବୁଠାରୁ ଦୃଢ଼ଭାବରେ ସେତେବେଳେ ବୁଝିପାରନ୍ତି ଯେତେବେଳେ ଶିକ୍ଷା ପୃଥକ ରୂପେ ନୁହେଁ, ବରଂ କାହାଣୀ, ଚରିତ୍ର ଏବଂ ପରିସ୍ଥିତି ମାଧ୍ୟମରେ ପ୍ରାସଙ୍ଗିକ ହୋଇ ଉପସ୍ଥାପିତ ହୁଏ ।
କଣ୍ଢେଇନାଚ ଆଧାରିତ ଶିକ୍ଷଣ, ବୋଧଗମ୍ୟତା, ସ୍ମୃତିରକ୍ଷଣ ଏବଂ ଜ୍ଞାନର ପ୍ରୟୋଗରେ ଉଲ୍ଲେଖନୀୟ ଉନ୍ନତି ଆଣିପାରେ, ବିଶେଷକରି ଭାଷା ଅଧିଗ୍ରହଣ, ଅନୁକ୍ରମଣ କୌଶଳ ଏବଂ ମୌଳିକ ଗାଣିତିକ ଯୁକ୍ତିବୋଧ କ୍ଷେତ୍ରରେ । ଉଦାହରଣ ସ୍ୱରୂପ, ଯେତେବେଳେ ଗଣନା, ବର୍ଗୀକରଣ କିମ୍ବା କାରଣ- ପ୍ରଭାବ, ସମ୍ପର୍କ କଣ୍ଢେଇନାଚ ଜରିଆରେ ପିଲାମାନଙ୍କୁ ବୁଝାଯାଏ, ସେତେବେଳେ ପିଲାମାନେ ଅଧିକ ସ୍ପଷ୍ଟଭାବେ ବୁଝିପାରନ୍ତି । ସେହିପରି ବାଣ୍ଟିବା, ସହାନୁଭୂତି, ସ୍ୱଚ୍ଛତା, ପରିବେଶ ଯତ୍ନ ଏବଂ ନାଗରିକ ଦାୟିତ୍ୱ ପରି ମୂଲ୍ୟବୋଧ, ଯାହା ପ୍ରାରମ୍ଭିକ ଶିକ୍ଷାର ନୈତିକ କେନ୍ଦ୍ରବିନ୍ଦୁ, ଯେତେବେଳେ କଣ୍ଢେଇନାଚ ମାଧ୍ୟମରେ ପ୍ରଦର୍ଶନ କରାଯାଏ, ସେତେବେଳେ ପିଲାମାନେ ସେଗୁଡ଼ିକ ଅଧିକ ସ୍ଥାୟୀଭାବେ ହୃଦୟଙ୍ଗମ କରିପାରନ୍ତି । ସ୍ନାୟୁବିଜ୍ଞାନ ଗବେଷଣା ସୂଚିତ କରେ ଯେ, ଏହିପରି ବର୍ଣ୍ଣନାତ୍ମକ-ଆଧାରିତ ଶିକ୍ଷଣ ପ୍ରକ୍ରିୟା, ଏକାସାଥିରେ ଏକାଧିକ ସ୍ନାୟୁପଥକୁ ସକ୍ରିୟ କରି, ସ୍ମୃତି ଦୃଢ଼ୀକରଣ ଏବଂ ଧାରଣାତ୍ମକ ବୁଝାମଣାକୁ ଗଭୀର କରେ । ଏହି ଅର୍ଥରେ, କଣ୍ଢେଇନାଚ ପ୍ରାରମ୍ଭିକ ଶିକ୍ଷାକୁ ଏକ ଅନୁଭୂତିମୂଳକ ପ୍ରକ୍ରିୟାରେ ପରିଣତ କରେ, ଯେଉଁଠାରେ ଜ୍ଞାନ ଜୀବନ୍ତ ହୁଏ, ଅନୁଭବ କରାଯାଏ ଏବଂ ଆପେ ସ୍ମରଣ ହୋଇଯାଏ । ତେଣୁ ପିଲାମାନଙ୍କ ସାମଗ୍ରିକ ବିକାଶ, ମାନସିକ ସ୍ୱାସ୍ଥ୍ୟ ଓ ପାଠ୍ୟଭାର ହ୍ରାସ କରିବାକୁ ଗୁରୁତ୍ୱ ଦେଉଥିବା ଜାତୀୟ ଶିକ୍ଷା ନୀତି୨୦୨୦ ସହ କଣ୍ଢେଇନାଚ ଏକ ସ୍ୱାଭାବିକ ସହଯୋଗୀ ହୋଇପାରିବ । କଣ୍ଢେଇନାଚ ଶ୍ରେଣୀଗୃହକୁ ଏକ ନିଷ୍କ୍ରିୟ ଗ୍ରହଣ ସ୍ଥଳରୁ ସଂଳାପ, କଳ୍ପନା ଏବଂ ସହଭାଗିତାର ଜୀବନ୍ତ ଶିକ୍ଷାତ୍ମକ ପରିବେଶରେ ରୂପାନ୍ତରିତ କରିପାରିବ । ଗୁରୁତ୍ୱପୂର୍ଣ୍ଣ ଭାବରେ ଏହି ଶୈକ୍ଷଣିକ ପରିବର୍ତ୍ତନ ପାଇଁ ନା ମହଙ୍ଗା ଭିତ୍ତିଭୂମିର ଆବଶ୍ୟକତା ରହିଛି, ନା ଡିଜିଟାଲ ନିର୍ଭରଶୀଳତାର । କଣ୍ଢେଇକୁ କପଡ଼ା, କାଗଜ, କାଠ କିମ୍ବା ପୁନଃଚକ୍ରିତ ସାମଗ୍ରୀରୁ ସହଜରେ ତିଆରି କରାଯାଇପାରେ, ଯାହା ଏହାକୁ ଆର୍ଥିକ ପରିପ୍ରେକ୍ଷୀରେ ସ୍ଥାୟୀ ଏବଂ ସମାବେଶୀ କରିଥାଏ । ଏଭଳି ସ୍ୱଳ୍ପ-ମୂଲ୍ୟ, ଉଚ୍ଚ-ପ୍ରଭାବଶାଳୀ ଉପକରଣଗୁଡ଼ିକ ସମତାମୂଳକ ଏବଂ ଶିଶୁକୈନ୍ଦ୍ରିକ ସୁଲଭ ଶିକ୍ଷା ପାଇଁ ଏକ ରଣନୈତିକ ଆବଶ୍ୟକତା ।
ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି, ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ କଣ୍ଢେଇନାଚର ପ୍ରଭାବ କେବଳ ଶିକ୍ଷାଦାନରେ ସୀମିତ ରୁହେନାହିଁ, ବରଂ ଏହା ବ୍ୟାପକ ସାଂସ୍କୃତିକ ଓ ସୃଜନାତ୍ମକ ଅର୍ଥବ୍ୟବସ୍ଥାରେ ମଧ୍ୟ ପ୍ରସାରିତ । ଯେତେବେଳେ କଣ୍ଢେଇକୁ କେବଳ ଏକ ଲୋକପ୍ରଦର୍ଶନୀୟ କଳାରୂପେ ନଭାବି ଏହାକୁ ଏକ ବୈଧ ଶିକ୍ଷାଗତ ଅଭ୍ୟାସ ଭାବରେ ସ୍ଥାନ ଦିଆଯାଏ, ସେତେବେଳେ ବିଦ୍ୟାଳୟଗୁଡ଼ିକ ପ୍ରଦର୍ଶନ କଳା ପରମ୍ପରାକୁ ସଂରକ୍ଷଣ ଓ ପୁନର୍ଜୀବନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାଗତ କେନ୍ଦ୍ରରେ ପରିଣତ ହୁଅନ୍ତି । ଏହା ସହିତ ତାଲିମପ୍ରାପ୍ତ କଣ୍ଢେଇନାଚ କଳାକାର, ପ୍ରଦର୍ଶକ ଓ ସାଂସ୍କୃତିକ ଶିକ୍ଷାବିତ୍ଙ୍କ ପାଇଁ ସଂସ୍ଥାଗତ ଚାହିଦା ସୃଷ୍ଟି ମଧ୍ୟ ହୁଏ । ଏହି ପ୍ରକ୍ରିୟା ମାଧ୍ୟମରେ କଣ୍ଢେଇନାଚ କଳାକାରମାନଙ୍କ ପାଇଁ ମର୍ଯ୍ୟାଦାପୂର୍ଣ୍ଣ ଏବଂ ସ୍ଥାୟୀ ଜୀବିକାର ସୁଯୋଗ ମଧ୍ୟ ସୃଷ୍ଟିହୁଏ । ଆଧୁନିକୀକରଣ ସହିତ ଯେଉଁ କଳାଚର୍ଯ୍ୟାଗୁଡ଼ିକ ଅବହେଳା ଓ ସଂସ୍ଥାଗତ ସମର୍ଥନ ଅଭାବରୁ ଆଜି ବିଲୁପ୍ତିର ସଙ୍କଟରେ, ତାହା ଏହି ପଦକ୍ଷେପ ମାଧ୍ୟମରେ ପୁନର୍ଜୀବିତ ହୋଇପାରିବେ । ଶିକ୍ଷାରେ କଣ୍ଢେଇନାଚର ବ୍ୟବସ୍ଥିତ ଅନ୍ତର୍ଭୂକ୍ତି, ପ୍ରଦର୍ଶନ କଳା, ଶିକ୍ଷାଦାନ, ମନୋବିଜ୍ଞାନ ଓ ସାଂସ୍କୃତିକ ଅଧ୍ୟୟନ ମଧ୍ୟରେ ନୂତନ ଆନ୍ତଃବିଷୟକ ଗବେଷଣା ପଥ ଖୋଲି ଦେଇଥାଏ । ଏହା ଶିକ୍ଷା, ବର୍ଣ୍ଣନାତ୍ମକ ଜ୍ଞାନ ଓ ସ୍ୱଦେଶୀ ଜ୍ଞାନପ୍ରଣାଳୀ ସମ୍ବନ୍ଧୀୟ ଅନୁସନ୍ଧାନକୁ ମଧ୍ୟ ସକ୍ଷମ କରେ । ଏହିପରି ଭାବେ ଶ୍ରେଣୀଗୃହ କେବଳ ଶିକ୍ଷାଗ୍ରହଣର ସ୍ଥାନ ହୋଇ ରୁହେନାହିଁ, ବରଂ ଏକ ଜୀବନ୍ତ ପରୀକ୍ଷାଗାରରେ ପରିଣତ ହୁଏ, ଯେଉଁଠାରେ କଳାତ୍ମକ ପରମ୍ପରା ସଂରକ୍ଷିତ ହୁଏ, କଳାକାରମାନେ ଆର୍ଥିକ ଭାବେ ସମର୍ଥିତ ହୁଅନ୍ତି ଏବଂ ପ୍ରଦର୍ଶନ କଳା ସମକାଳୀନ ଶିକ୍ଷାର ବୌଦ୍ଧିକ ଓ ସାମାଜିକ ଢାଞ୍ଚାରେ ପୁନଃସଂଯୋଜିତ ହୁଏ ।
ଭାରତର ସମୃଦ୍ଧ କଣ୍ଢେଇନାଚ ପରମ୍ପରା, ଯେମିତି କାଠପୁତଲି, ବୋମ୍ମାଲତ୍ତମ, ତୋଗାଲୁ ଗୋମ୍ବେୟାଟା, ପୁତୁଲ୍ ନାଚ ଓ ଅନ୍ୟାନ୍ୟ ଅନେକ ରୂପ କେବଳ ଲୋକକଳାର ପ୍ରଦର୍ଶନ ନୁହେଁ, ବରଂ ପରିବେଶ ଜ୍ଞାନ, ନୈତିକ ଯୁକ୍ତିବୋଧ ଏବଂ ସମୁଦାୟ ସ୍ମୃତିର ଏକ ଜୀବନ୍ତ ଭଣ୍ଡାର । ପ୍ରାଥମିକ ଶିକ୍ଷାରେ କଣ୍ଢେଇନାଚକୁ ବ୍ୟବସ୍ଥିତ ଭାବେ ଏକୀକୃତ କରିବା, ଜାତୀୟ ଶିକ୍ଷା ନୀତି- ୨୦୨୦ର ସ୍ଥାନୀୟ ସଂସ୍କୃତି, ଭାଷା ଓ ସ୍ୱଦେଶୀ ଜ୍ଞାନପ୍ରଣାଳୀ ସମନ୍ୱିତ ଏକ ଦୃଢ଼ ଶୈକ୍ଷିକ ମୂଳଦୁଆ ଗଢ଼ିବାର ଭିତ୍ତିପ୍ରସ୍ତ । ଏପରି ଏକ ସମୟରେ, ଯେତେବେଳେ ଶିକ୍ଷାବ୍ୟବସ୍ଥା ଅତ୍ୟଧିକ ଯାନ୍ତ୍ରିକତା, ମାନକୀକରଣ ଓ ଫଳାଫଳମୁଖୀ ଚାପରେ ପୀଡ଼ିତ, କଣ୍ଢେଇନାଚ ନିରବ ଭାବରେ ଏକ ମୌଳିକ ସତ୍ୟକୁ ପୁନରୁଚ୍ଚାରଣ କରେ । କଣ୍ଢେଇନାଚକୁ ଏକ ଶିକ୍ଷଣୀୟ ଅଭ୍ୟାସ ଭାବେ ଗ୍ରହଣ କରିବାର ଅର୍ଥ, ଏହାକୁ ଏକ ଅଧିକ ସମନ୍ୱିତ, ମାନବୀୟ ଓ ନମନୀୟ ଭବିଷ୍ୟତ ଆଡ଼କୁ ଆଗେଇ ନେଇଯିବା, ଯାହାକୁ ଜାତୀୟ ଶିକ୍ଷା ନୀତି- ୨୦୨୦ କଳ୍ପନା କରେ ଏବଂ ସାକାର କରିବାକୁ ଦୃଢ଼ ସ୍ଥିରୀକୃତ ।