ମୁମ୍ବାଇ, ୩।୬: ମୁମ୍ବାଇରେ ଘଟିଥିବା ୨୬/୧୧ର ସେହି ଭୟାବହ ଆତଙ୍କବାଦୀ ଆକ୍ରମଣକୁ ଭାରତ ଇତିହାସର ଏକ କଳା ଅଧ୍ୟାୟ ଭାବେ ଗଣାଯାଏ । ଏହି ଆକ୍ରମଣ ସମୟର ଏକ ଆଶ୍ଚର୍ଯ୍ୟଜନକ ସ୍ମୃତି ଏବେ ସାମ୍ନାକୁ ଆଣିଛନ୍ତି ବଲିଉଡର ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରାନାୱତ । ସେ ନିଜର ଆଗାମୀ ଫିଲ୍ମ 'ଭାରତ ଭାଗ୍ୟ ବିଧାତା'ର ଟ୍ରେଲର ରିଲିଜ୍ ଅବସରରେ ସେଦିନର ସେହି ଭୟଙ୍କର ରାତିର କାହାଣୀ ବୟାନ କରିଛନ୍ତି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । କଙ୍ଗନା ରାନାଓ୍ବତ ପ୍ରକାଶ କରିଛନ୍ତି ଯେ, ୨୦୦୮ ମସିହା ନଭେମ୍ବର ୨୬ ତାରିଖ ରାତିରେ ଯେତେବେଳେ ପାକିସ୍ତାନୀ ଆତଙ୍କବାଦୀମାନେ ମୁମ୍ବାଇ ସହରକୁ ରକ୍ତରଞ୍ଜିତ କରୁଥିଲେ, ସେତେବେଳେ ସେ ବଲିଉଡର ଅନ୍ୟ କିଛି କଳାକାରମାନଙ୍କ ସହ ଏକ ପାର୍ଟିରେ ମଗ୍ନ ଥିଲେ ।
ସେ ସମୟରେ କଙ୍ଗନା ଏବଂ ତାଙ୍କ ସହକର୍ମୀମାନେ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ପ୍ରଯୋଜନା ସଂସ୍ଥା 'ବିଶେଷ ଫିଲ୍ମସ'ରେ କାମ କରୁଥିଲେ ଏବଂ ଇଣ୍ଡଷ୍ଟ୍ରିରେ ସଂଘର୍ଷ କରୁଥିଲେ । ସେହି ସମୟରେ ଅଭିନେତ୍ରୀ ଶାହାନା ଗୋସ୍ୱାମୀ ମୁମ୍ବାଇର ୟାରି ରୋଡ୍ରେ ଏକ ନୂଆ ଘର କିଣିଥିଲେ ଏବଂ ସେଠାରେ ଏକ ସେଲିବ୍ରେସନ୍ ପାର୍ଟିର ଆୟୋଜନ କରିଥିଲେ । କଙ୍ଗନାଙ୍କ ସମେତ ପାଖାପାଖି ୨୦ ରୁ ୨୫ ଜଣ ସଦସ୍ୟ ସେଠାରେ ଏକାଠି ହୋଇ ଗୀତ-ନାଚରେ ମାତିଥିଲେ ।
ଟିଭି ସ୍କ୍ରିନ ଦେଖି ସ୍ତବ୍ଧ ହୋଇଗଲେ ମହେଶ ଭଟ୍ଟ:
କଙ୍ଗନାଙ୍କ କହିବା ଅନୁଯାୟୀ, ସମସ୍ତେ ଯେତେବେଳେ ନାଚଗାନରେ ମସ୍ତ ଥିଲେ, ହଠାତ୍ ମହେଶ ଭଟ୍ଟ ସେହି ରୁମ୍ ଭିତରକୁ ଆସିଥିଲେ । ସେ ତୁରନ୍ତ ସମସ୍ତଙ୍କୁ ନାଚ ବନ୍ଦ କରି ଟିଭି ଚଲାଇବାକୁ କହିଥିଲେ । ଟିଭି ଅନ୍ ହେବା ମାତ୍ରେ ନ୍ୟୁଜ୍ ସ୍କ୍ରିନରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଲାଇଭ୍ ଦୃଶ୍ୟ ଦେଖିବାକୁ ମିଳିଥିଲା । ମହେଶ ଭଟ୍ଟ ହିଁ ସେମାନଙ୍କୁ ପ୍ରଥମେ ଏହି ଆକ୍ରମଣ ବିଷୟରେ ଜଣାଇଥିଲେ, ନଚେତ୍ ସେମାନେ ପାର୍ଟିରେ ଏତେ ବ୍ୟସ୍ତ ଥିଲେ ଯେ ବାହାର ଦୁନିଆରେ କ'ଣ ଚାଲିଛି କିଛି ଜାଣିପାରି ନଥାନ୍ତେ ।
ରାତିସାରା ଘର ଭିତରେ ବନ୍ଦୀ ରହିଲେ କଳାକାର:
ଆକ୍ରମଣ ଖବର ପାଇବା ପରେ ସମସ୍ତେ ଭୟଭୀତ ହୋଇପଡ଼ିଥିଲେ । କଙ୍ଗନା ଏବଂ ଅନ୍ୟ କଳାକାରମାନେ ନିଜ ନିଜ ଘରକୁ ଫେରିଯିବା ପାଇଁ ଚାହୁଁଥିଲେ, ହେଲେ ପରିସ୍ଥିତିର ଗମ୍ଭୀରତାକୁ ଦେଖି ମହେଶ ଭଟ୍ଟ ସମସ୍ତଙ୍କୁ ବାହାରକୁ ନ ଯିବାକୁ ପରାମର୍ଶ ଦେଇଥିଲେ । ସୁରକ୍ଷା ଦୃଷ୍ଟିରୁ ସେହି ୨୦-୨୫ ଜଣ ଯାକ କଳାକାର ସେଦିନ ରାତିସାରା ଶାହାନାଙ୍କ ଘର ଭିତରେ ହିଁ ଆଶ୍ରୟ ନେଇଥିଲେ ।
'ଭାରତ ଭାଗ୍ୟ ବିଧାତା': କାମା ହସ୍ପିଟାଲର ଅକୁହା ହିରୋଙ୍କ କାହାଣୀ
କଙ୍ଗନାଙ୍କ ଏହି ଆଗାମୀ ଫିଲ୍ମ 'ଭାରତ ଭାଗ୍ୟ ବିଧାତା' ସେହି ୨୬/୧୧ ଆକ୍ରମଣର ଏକ ଅକୁହା ଓ ପ୍ରେରଣାଦାୟୀ ଅଧ୍ୟାୟକୁ ପରଦାକୁ ଆଣିବାକୁ ଯାଉଛି । ଏହି ଫିଲ୍ମଟି ବିଶେଷ କରି ମୁମ୍ବାଇର କାମା ହସ୍ପିଟାଲ ଉପରେ ଆଧାରିତ । ଯେତେବେଳେ ଆତଙ୍କବାଦୀମାନେ ହସ୍ପିଟାଲ ଭିତରେ ପଶି ଆତଙ୍କ ସୃଷ୍ଟି କରିଥିଲେ, ସେତେବେଳେ ସେଠାରେ ଥିବା ନର୍ସ ଏବଂ ୱାର୍ଡ ବୟମାନେ ନିଜ ଜୀବନକୁ ବାଜି ଲଗାଇ ରୋଗୀ ଓ ସାଧାରଣ ଲୋକଙ୍କ ଜୀବନ ବଞ୍ଚାଇଥିଲେ । ଏହି ଚଳଚ୍ଚିତ୍ରରେ କଙ୍ଗନା ରାନାୱାତ ଜଣେ ସାହସୀ ନର୍ସ ଭୂମିକାରେ ଅଭିନୟ କରିଛନ୍ତି ।
୨୬/୧୧ର ସେହି ଅଭିଶପ୍ତ ୬୦ ଘଣ୍ଟା:
୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତବାର ୧୦ ଜଣ ସଶସ୍ତ୍ର ଆତଙ୍କବାଦୀ ସମୁଦ୍ର ପଥ ଦେଇ ମୁମ୍ବାଇରେ ପ୍ରବେଶ କରିଥିଲେ । ସେମାନେ ମୁମ୍ବାଇର ତାଜ୍ ହୋଟେଲ, ଓବେରୟ ହୋଟେଲ, ଛତ୍ରପତି ଶିବାଜୀ ଟର୍ମିନାସ ରେଳ ଷ୍ଟେସନ ଏବଂ କାମା ହସ୍ପିଟାଲ ଭଳି ପ୍ରମୁଖ ସ୍ଥାନକୁ ଟାର୍ଗେଟ୍ କରି ଆଖିବୁଜା ଗୁଳିଚାଳନା ଓ ବୋମା ବିସ୍ଫୋରଣ କରିଥିଲେ । ପ୍ରାୟ ୬୦ ଘଣ୍ଟା ଧରି ଚାଲିଥିବା ଏହି ଆତଙ୍କବାଦୀ ଆକ୍ରମଣ ଏବଂ ସେନା-ପୁଲିସର ପାଲଟା ଜବାବରେ ଭାରତୀୟ ସୁରକ୍ଷାକର୍ମୀଙ୍କ ସମେତ ୧୬ ଜଣ ନିରୀହ ଲୋକ ପ୍ରାଣ ହରାଇଥିଲେ ।
ରିଲିଜ୍ ଡେଟ୍ ଓ ଷ୍ଟାର୍ କାଷ୍ଟ:
ମନୋଜ ତାପଡ଼ିଆଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ଏହି ହୃଦୟସ୍ପର୍ଶୀ ଫିଲ୍ମଟି ୧୨ ଜୁନ୍ (୨୦୨୬)ରେ ସିନେମା ହଲ୍ରେ ମୁକ୍ତିଲାଭ କରିବାକୁ ଯାଉଛି । ଏଥିରେ କଙ୍ଗନା ରାନାୱତଙ୍କ ବ୍ୟତୀତ ଗିରିଜା ଓକ୍, ଅମୃତା ନାମଦେବ, ସୁହିତା ଥତ୍ତେ, ରସିକା ଅଗାଶେ, ଈଶା ଡେ, ପ୍ରିୟା ବେର୍ଡେ ଏବଂ ଆଶା ଶେଲାରଙ୍କ ଭଳି ଦକ୍ଷ କଳାକାରମାନେ ପ୍ରମୁଖ ଭୂମିକାରେ ନଜର ଆସିବେ ।
ଆହୁରି ପଢ଼ନ୍ତୁ... Delhi Fire: ଦିଲ୍ଲୀ ମାଲଭିୟ ନଗର ରେଷ୍ଟୁରାଣ୍ଟରେ ନିଆଁ ଲାଗି ୨୦ ରୁ ଉର୍ଦ୍ଧ୍ୱ ମୃତ, ବେସମେଣ୍ଟରେ ଫସିଛନ୍ତି ଅନେକ !