ବାଙ୍ଗିରିପୋଷି,୧୮।୧୨(ଆ.ପ୍ର): ପ୍ରେମୀ ଯୁଗଳଙ୍କୁ ଗଛରେ ବାନ୍ଧି କଙ୍ଗାରୁକୋର୍ଟ। ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଏକ ଗାଁରେ ଏହିପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ପ୍ରେମୀ ଯୁଗଳଙ୍କୁ ଗଛରେ ବନ୍ଧା ହୋଇଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଗଛରେ ବନ୍ଧା ହୋଇଥିବା ଝିଅଟି ଜଣେ ବିବାହିତ ମହିଳା । ସେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଦୁଇ ଦିନ ଧରି ପଳାଇଥିଲେ। ଗ୍ରାମବାସୀ ସେମାନଙ୍କୁ ଅନ୍ୟ ଗାଁ ରୁ ଧରିଆଣି ଗାଁ ରେ ବିଚାର କରିବାକୁ ଉଦ୍ୟମ କରିଥିଲେ। ବାଙ୍ଗିରିପୋଷି ପୋଲିସ ଖବର ପାଇ ତତକ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚି ଉଭୟ ପୁରୁଷ ଏବଂ ମହିଳାଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ । ପୋଲିସ ପକ୍ଷରୁ ଉଭୟଙ୍କ ପରିବାରକୁ ଥାନାକୁ ଡ଼କାଇ ପଚରାଉଚରା କରାଯାଉଛି। ଥାନାରେ ଉଭୟ ମହିଳା ଏବଂ ପୁରୁଷଙ୍କ ଆଡୁ କୌଣସି ଅଭିଯୋଗ ହୋଇ ନ ଥିବା ବାଙ୍ଗିରିପୋଷି ଆଇଆଇସି କହିଛନ୍ତି। ତେବେ ଏହା ସମ୍ପୂର୍ଣ୍ଣ ବେଆଇନ ଘଟଣା ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି  ବାଙ୍ଗିରିପୋଷି ଆଇଆଇସି ବୀରେନ୍ଦ୍ର ସେନାପତି କହିଛନ୍ତି