ଭୁବନେଶ୍ୱର, ୦୬/୦୧ : କପିଳପ୍ରସାଦ ଯୋଗେଶ୍ୱର ପାଟଣାର ମହିଳା ପଟ୍ଟଚିତ୍ର ଶିଳ୍ପୀ ପ୍ରଭାତୀ ନାୟକ। ପଟ୍ଟଚିତ୍ର ଶିଳ୍ପ ସହିତ ପ୍ରାୟ ୩୦ ବର୍ଷ ହେବ ଜଡିତ । ଏଥିପାଇଁ ତାଙ୍କୁ ଉଭୟ ସରକାରୀ ଆଉ ବେସରକାରୀ ସ୍ତରରେ ଅନେକ ସ୍ଵୀକୃତି ମିଳିଛି । ସେ ଏଯାବତ୍ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧୀନରେ ୫୦ରୁ ଅଧିକ ସ୍ଥାନରେ ପ୍ରଦର୍ଶନୀରେ ଭାଗ ନେଇ ନିଜ ପଟ୍ଟଚିତ୍ର ପ୍ରଦର୍ଶନ କରିଛନ୍ତି । ଯାହାକୁ ଅନେକ ପ୍ରଶଂସା ମିଳିଛି । ତାଙ୍କ ପ୍ରସ୍ତୁତ ପଟ୍ଟଚିତ୍ର, ଟସର ଛବି, ତାଳପତ୍ର ଖୋଦିତ ଚିତ୍ର ଓ ପ୍ରସ୍ତର କଳା ଏବେ ଦେଶର ଅନେକ ସ୍ଥାନରେ ଲୋକମାନେ ଅଫିସ ଏବଂ ଘରେ ରଖିଛନ୍ତି ।

ଐତିହ୍ୟନଗରୀ ଏକାମ୍ର କ୍ଷେତ୍ରର କେଦାରଗୌରୀ ମନ୍ଦିରଠାରେ ପ୍ରଭାତୀଙ୍କର ଏକ ଛୋଟ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି । ପ୍ରଭାତୀଙ୍କୁ ତାଙ୍କର ଏହି କାର୍ଯ୍ୟରେ ଡିଆଇସି ପକ୍ଷରୁ କିଛିବର୍ଷ ପୂର୍ବେ ପ୍ରାରମ୍ଭିକ ପ୍ରୋତ୍ସାହନ ଦିଆଯାଇଥିଲା । କରୋନା ପୂର୍ବରୁ ତାଙ୍କ ଅଧୀନରେ କିଛି ଯୁବତୀ ପଟ୍ଟଚିତ୍ର ପାଇଁ ଡିଆଇସି ତତ୍ତ୍ୱାବଧାନରେ ତାଲିମ ନେଇଥିଲେ । ସେମାନଙ୍କୁ ନିଜ ବାସଗୃହରେ ପ୍ରଭାତୀ ସ୍ୱଳ୍ପକାଳୀନ ତାଲିମ ଦେଇଥିଲେ । କିନ୍ତୁ କରୋନା ସମୟରେ ତାହା ବନ୍ଦ ହୋଇଗଲା । ତାଲିମ ଦେବା ପାଇଁ ମଧ୍ୟ ତାଙ୍କ ପାଖରେ ଆବଶ୍ୟକ ଭିତ୍ତିଭୂମି ନାହିଁ। ତାଲିମ ଦେବା ପାଇଁ ତାଙ୍କୁ ଘର ଖଣ୍ଡିଏ ଯୋଗାଇ ଦେଲେ ସେ ଅନେକ ପଟ୍ଟଚିତ୍ର କାରିଗର ସୃଷ୍ଟି କରିପାରନ୍ତେ ବୋଲି କହିଛନ୍ତି।

ସେ କୁହନ୍ତି ‘ମୋ ଜୀବନର ଲକ୍ଷ୍ୟ ଏକ ପ୍ରକାର ଶକ୍ତ ଆଉ କଠିନ ଆବରଣ ତଳେ ଚାପି ହୋଇପଡିଛି । ପ୍ରାୟ ୧୦ ବର୍ଷ ହେବ ଜୀବନର ଉଦ୍ଦେଶ୍ୟ ଚରିତାର୍ଥ କରିବାକୁ ବିଭିନ୍ନ ଦିଗରୁ ପ୍ରୟାସ କରିସାରିଲିଣି । ହେଲେ ତାହା ବାସ୍ତବ ରୂପ ନେଉ ନାହିଁ । ମୋର କୌଣସି ବ୍ୟକ୍ତିଗତ ପ୍ରାପ୍ତି ପାଇଁ ଆଗ୍ରହ ନାହିଁ । କେବଳ ଚାହୁଁଛି ସମାଜର କିଛି ଅବହେଳିତ ଆଉ ବେକାର ମହିଳା ଓ ଯୁବତୀଙ୍କୁ ସ୍ୱାବଲମ୍ବୀ କରି ମୋର ଅର୍ଜିତ ଜ୍ଞାନ କୌଶଳକୁ ସର୍ବାଧିକ ଲୋକଙ୍କ ପାଖରେ ପହଞ୍ଚାଇ ପଟ୍ଟଚିତ୍ର ଶିଳ୍ପର ବିକାଶ କରିବି । ଏହା ମୋର ସଂକଳ୍ପ ଆଉ ଏହି ସଂକଳ୍ପ ପୂରଣ ପାଇଁ ବିକଳ୍ପ ଖୋଜୁଛି।’